ସ୍ୱାସ୍ଥ୍ୟ

ଜମ୍ମୁ କାଶ୍ମୀରକୁ ଫେରିଲା ସପ୍ତାହାନ୍ତ କର୍ଫ୍ୟୁ

ଶ୍ରୀନଗର() କୋଭିଡ-୧୯ର ତୃତୀୟ ଲହର ବିସ୍ଫୋରକ ନେଉଥିବାରୁ ତାହାକୁ ଦୃଷ୍ଟିରେ ରଖି ଜମ୍ମୁ କାଶ୍ମୀର ପ୍ରଶାସନ ପକ୍ଷରୁ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ କରାଯାଇଛି । ସେଥିପାଇଁ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ଅଣ ଅତ୍ୟାବଶ୍ୟକ ଚଳପ୍ରଚଳ ଉପରେ ସମ୍ପୂର୍ଣ୍ଣ ଭାବରେ କଟକଣା ରହିବ ।

ଜମ୍ମୁ କାଶ୍ମୀରର ମୁଖ୍ୟ ଶାସନ ସଚିବ ଏ କେ ମେହଟାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି (ଏସଇସି) ବୈଠକ ବସି ଏ ସଂକ୍ରାନ୍ତ ନିଷ୍ପତ୍ତି ନିଆଯାଇଛି । ତାହା ସହିତ ପୂର୍ବରୁ କୋଭିଡ ସମ୍ପର୍କିତ ଜାରି କଟକଣା ମଧ୍ୟ ଅପରିବର୍ତ୍ତିତ ରହିବ । ସେଥିମଧ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଏବଂ ଶିକ୍ଷାନୁଷ୍ଠାନଗୁଡିକରେ ଅନ୍‍ଲାଇନ ଶିକ୍ଷାଦାନ ଆଦି ଅନ୍ତର୍ଭୁକ୍ତ । ସାପ୍ତାହିକ କୋଭିଡ-୧୯ ସ୍ଥିତିର ସମୀକ୍ଷା କରିବା ଅବସରରେ ଏସଇସି ଉଲ୍ଲେଖ କରିଥିଲେ ଯେ ମହାମାରୀର ମୁକାବିଲା ପାଇଁ ଅଧିକ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି । ତାହା ନହେଲେ ପରିସ୍ଥିତି ଅଣାୟତ୍ତ ହୋଇପଡିବ । ବୈଠକ ପରେ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଜମ୍ମୁ କାଶ୍ମୀରକୁ ବିମାନ, ରେଳ ଏବଂ ସଡକ ପଥରେ ଆସୁଥିବା ଲକ୍ଷଣ ବିହୀନ ଲୋକଙ୍କ ନିକଟରେ ଯଦି କୋଭିଡ-୧୯ ଟିକାକରଣ ପ୍ରମାଣପତ୍ର ରହିଥାଏ ଅଥବା ପହଞ୍ଚିବାର ୭୨ ଘଣ୍ଟା ପୂର୍ବରୁ ଆରଟିପିସିଆର ପରୀକ୍ଷା ରିପୋର୍ଟରେ ସେ କୋଭିଡ ସଂକ୍ରମିତ ହୋଇନଥିବା ପ୍ରମାଣପତ୍ର ରହିଥାଏ ତେବେ ସେ ଏଠାରେ ପହଞ୍ଚିଲେ ତାଙ୍କର ରାପିଡ ଆଣ୍ଟିଜେନ ଅଥବା ଆରଟିପିସିଆର ପରୀକ୍ଷା ଆବଶ୍ୟକ ପଡିବ ନାହିଁ । ତେବେ ଏଠାକୁ ଆସୁଥିବା ଯାତ୍ରୀଙ୍କ ଠାରେ ଯଦି କିଛି ଲକ୍ଷଣ ଥାଏ ତେବେ ତାଙ୍କର ନମୁନା ପରୀକ୍ଷା କରାଯିବ । ପୂର୍ବରୁ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାନାମାରେ କୁହାଯାଇଥିଲା ଯେ ଏକ ଆବଦ୍ଧ ସ୍ଥାନରେ ଆୟୋଜନ କରାଯାଉଥିବ କୌଣସି କାର୍ଯ୍ୟକ୍ରମରେ ସର୍ବାଧିକ ୨୫ ଜଣ, ଟିକା ନେଇଥିବା ୨୫ ଜଣ ଅଥବା ଉକ୍ତ ସ୍ଥାନରେ ଜନ ସମାବେଶ କ୍ଷମତାର ୨୫ ପ୍ରତିଶତ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିଭଳି ସିନେମା ହଲ, ଥିଏଟର, ମଲ୍ଟିପ୍ଲେକ୍ସ, ରେଷ୍ଟୁରାଣ୍ଟ, କ୍ଲବ, ଜିମ୍ନାସିୟମ ଓ ସନ୍ତରଣାଗାର ଆଦି ୨୫% କ୍ଷମତାରେ ଚାଲିବାକୁ ଅନୁମତି ଦିଆଯାଇଛି । ସମ୍ପୂର୍ଣ୍ଣ ଭାବରେ ଟିକା ନେଇଥିବା ଏବଂ ୭୨ ଘଣ୍ଟା ପୂର୍ବର ଆଟିପିସିଆର ପରୀକ୍ଷା କରାଇଥିବା ପ୍ରମାଣପତ୍ର ଧାରୀ ଯାତ୍ରୀଙ୍କୁ ରାଜ୍ୟ ସଡକ ପରିବହନ ଅଥବା ବେସରକାରୀ ବସ୍‍ରେ ଆନ୍ତଃରାଜ୍ୟ ଗମନା ଗମନ ନିମନ୍ତେ ଅନୁମତି ଦିଆଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com