ଓଡ଼ିଶା

ବେଆଇନ ଭ୍ରୁଣ ଚିହ୍ନଟ ରାକେଟ, ଦଲାଲ ସାଜିଥିଲେ ଆଶାକର୍ମୀ; ମଧ୍ୟସ୍ଥି ଥିଲେ ଔଷଧ ଦୋକାନୀ ପୁରୀ ଜିଲ୍ଲାରେ ପୁଲିସର ଚଢ଼ଉ; ଅଲଟ୍ରାସାଉଣ୍ଡ କମ୍ପାନି ସହ ଯୋଗାଯୋଗ

କଟକ() ଆଲଫା ହେଲଥ କେୟାରରେ ଗର୍ଭବତୀ ମହିଳାଙ୍କ ଭ୍ରୁଣ ଚିହ୍ନଟ ରାକେଟର ଦଲାଲ ସାଜିଥିଲେ ବିଭିନ୍ନ ସ୍ଥାନରେ ଆଶାକର୍ମୀ। କଟକ ସମେତ ପଡ଼ୋଶୀ ଜିଲ୍ଲାରେ ଗାଁ ଗାଁରେ ଆଶାକର୍ମୀମାନେ ପ୍ରସନ୍ନ କୁମାର ସାହୁ ପାଇଁ ଦଲାଲି କରୁଥିଲେ। ଗ୍ରାମାଞ୍ଚଳରେ ଗର୍ଭବତୀ ମହିଳାଙ୍କ ସହିତ ସିଧାସଳଖ ଆଶାକର୍ମୀ ଜଡ଼ିତ ଥିବାରୁ ଭ୍ରୁଣ ନଷ୍ଟ କରିବାକୁ ଚାହୁଁଥିବା ମହିଳାଙ୍କୁ ପ୍ରସନ୍ନର କ୍ଲିନିକକୁ ପଠାଉଥିଲେ। ଏଥିପାଇଁ ତାଙ୍କୁ ପ୍ରତି ଗର୍ଭବତୀ ମହିଳା ପିଛା ୧ ହଜାର ଟଙ୍କା ଲେଖାଏ ମିଳୁଥିଲା। ଏହି କେଳେଙ୍କାରୀରେ ପୁଲିସ ଏବେ ଆଶାକର୍ମୀମାନଙ୍କ ପରିଚୟ ବି ଠାବ କରିଛି। ସେମାନଙ୍କ ଯୋଗାଯୋଗ ନମ୍ବର ପୁଲିସ ପ୍ରସନ୍ନର ସିଡିଆରରୁ ଜବତ କରିବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଏବେ ସାମନାକୁ ଆସିଛି। ସୂଚନା ଅନୁଯାୟୀ, ମଙ୍ଗଳାବାଗ କାଠଗୋଲା ସାହିରେ ନିଜକୁ କର୍କଟ ରୋଗ ବିଶେଷଜ୍ଞ ପରିଚୟ ଦେଇ ଅଲଟ୍ରାସାଉଣ୍ଡ କରୁଥିବା ତିଗିରିଆ ପାଞ୍ଚଗାଁର ପ୍ରସନ୍ନ ପୂର୍ବରୁ ମଙ୍ଗଳାବାଗ ଅଞ୍ଚଳରେ ଏକ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଆଟେଣ୍ଡାଣ୍ଟ କାମ କରୁଥିଲା। କରୋନା ସମୟରେ ଅଧିକ ରୋଜଗାର ଲୋଭରେ ଆଟେଣ୍ଡାଣ୍ଟରୁ ପ୍ରସନ୍ନ ପାଲଟି ଯାଇଥିଲା କର୍କଟ ରୋଗ ବିଶେଷଜ୍ଞ। ଏହି ମାମଲାରେ ମଙ୍ଗଳାବାଗ ଥାନା ପୁଲିସ ପ୍ରସନ୍ନ ସମେତ ଜଣେ ଆଟେଣ୍ଡାଣ୍ଟ, ଡାଇଗ୍ନୋଷ୍ଟିକ ସେଣ୍ଟର ଓ ମେଡିକାଲ୍ ଷ୍ଟୋର ମାଲିକଙ୍କୁ ଗିରଫ କରିବା ପରେ ପୁଲିସ କଟକ ସମେତ ପଡ଼ୋଶୀ ଜିଲ୍ଲାର ଦଲାଲଙ୍କୁ ଧରିବାକୁ ଜିଲ୍ଲା ବାହାରକୁ ଯାଇଛି। ପୃଥକ ଟିମ୍ ସମାନ୍ତରାଳ ଭାବେ ପୁରୀ ସମେତ ଅନ୍ୟ କିଛି ଜିଲ୍ଲାରେ ଆଜି ଦିନ ସାରା ଚଢ଼ଉ କରିଛି। ପୁରୀରେ ଅଧିକ ସଂଖ୍ୟାରେ ଦଲାଲ ଲୁଚିଥିବା କୁହାଯାଉଛି। ତେଣୁ ଏକ ଟିମ୍ ଆଜି ପୁରୀରେ ଡେରା ପକାଇଛି। ପୁଲିସ ପ୍ରସନ୍ନର ସିଡିଆରରୁ ମିଳିଥିବା ନମ୍ବର ଆଧାରରେ ଏହି ଦଲାଲଙ୍କ ପିଛା କରି ପୁରୀରେ ପହଞ୍ଚିଛି।

Related Articles

Back to top button
WP Twitter Auto Publish Powered By : XYZScripts.com