ଜାତୀୟରାଜନୀତି

ନିର୍ବାଚନୀ ରାଲି ଓ ରୋଡ ଶୋ’ ଉପରେ ଲାଗିଥିବା ବ୍ୟାନ ୩୧ ଯାଏ ବଢ଼ିଲା

ନୂଆଦିଲ୍ଲୀ() ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ କମିଶନ ରାଜନୀତିକ ରାଲି, ରୋଡ ଶୋ’ ଓ ପଦଯାତ୍ରା ଉପରେ ଲଗାଇଥିବା ରୋକ ଅବଧିକୁ ଆଜି ପୁଣିଥରେ ବୃଦ୍ଧି କରିଛନ୍ତି। ଏହି କଟକଣାକୁ ଜାନୁଆରୀ ୩୧ ଯାଏ ବଢ଼ାଯାଇଥିବା କମିଶନ ପକ୍ଷରୁ ସୂଚନା ଦିଆଯାଇଛି।

ଏହାର ଅର୍ଥ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ଉତ୍ତର ପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ, ପଞ୍ଜାବ ଓ ମଣିପୁରରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କୌଣସି ପ୍ରକାରର ରୋଡ ଶୋ’, ରାଲି କିମ୍ବା ପଦଯାତ୍ରା ଅନୁଷ୍ଠିତ ହୋଇପାରିବ ନାହିଁ। ସେହିପରି ଭୁର୍ଚୁଆଲ ରାଲି ଓ ସଭା ଦ୍ୱାରା ଲୋକଙ୍କ ପାଖରେ ପହଞ୍ଚିବେ।

ରାଲି ଓ ରୋଡ ଶୋ’ ଉପରେ ରୋକ ଲାଗିଥିଲେ ମଧ୍ୟ ନିର୍ବାଚନ କମିଶନ ଫେବୃଆରୀ ୧୦ ଓ ୧୪ ତାରିଖରେ ହେବାକୁ ଥିବା ନିର୍ବାଚନର ପ୍ରଚାର ପାଇଁ କୋହଳ ନୀତି ପୋଷଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ପାଇଁ ରାଜନୀତିକ ଦଳ ଓ ପ୍ରାର୍ଥୀମାନେ ଜାନୁଆରୀ ୨୮ ପରଠାରୁ ସର୍ବସାଧାରଣରେ ମିଟିଂ ଓ ରାଲି କରିପାରିବେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ରାଜନୀତିକ ଦଳ ଓ ପ୍ରାର୍ଥୀମାନେ ଫେବୃଆରୀ ୧ ପରଠାରୁ ରାଲି କରିବାକୁ ଅନୁମତି ପାଇବେ।

ପୂର୍ବରୁ ଡୋର ଟୁ ଡୋର ପ୍ରଚାର ପାଇଁ ସର୍ବାଧିକ ୫ ଜଣ ଲୋକଙ୍କୁ ଅନୁମତି ମିଳୁଥିଲା। ହେଲେ ଏବେ ଏହି ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। କୋଭିଡ କଟକଣା ମଧ୍ୟରେ ରାଜନୀତିକ ଦଳଗୁଡ଼ିକ ଭିଡିଓ ଭ୍ୟାନକୁ ପ୍ରଚାର ପାଇଁ ଖୋଲା ସ୍ଥାନରେ ବ୍ୟବହାର କରିପାରିବେ ବୋଲି କମିଶନ କହିଛନ୍ତି।

ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ୫ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା କରିବା ବେଳେ ରାଲି ଓ ରୋଡ ଶୋ’ ଉପରେ ଜାନୁଆରୀ ୧୫ ଯାଏ ରୋକ ଲଗାଇଥିଲେ। ଏହାପରେ ଏହି ଅବଧିକୁ ଜାନୁଆରୀ ୨୨ ଯାଏ ବୃଦ୍ଧି କରାଯାଇଥିଲା। ଆଜି ଏହି ଅବଧି ସରୁଥିବା ବେଳେ କମିଶନ ଏହାକୁ ୩୧ ତାରିଖ ଯାଏ ଦିନ ବଢ଼ାଇ ଦେଇଛନ୍ତି।

କରୋନା କଟକଣାକୁ ଭାଙ୍ଗୁଥିବା ଲୋକଙ୍କ ବିରୋଧରେ ଯଦି ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବେ, ତା’ହେଲେ ନିର୍ବାଚନ କମିଶନ ବାଧ୍ୟ ହୋଇ ପଦକ୍ଷେପ ନେବେ। ନିର୍ବାଚନ କମିଶନ ଜାରି କରିଥିବା ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବା ଦାୟିତ୍ୱ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାମ। ତେଣୁ ସେମାନେ ସ୍ଥିତି ଉପରେ ନଜର ରଖିବା ଦରକାର ବୋଲି କମିଶନର କହିଛନ୍ତି।

ଜାନୁଆରୀ ୧୫ରେ କମିଶନ ବ୍ୟାନ ଅବଧି ୨୨ ତାରିଖ ଯାଏ ବୃଦ୍ଧି କରିଥିଲେ। ହେଲେ ଏହି ସମୟରେ ରାଜନୀତିକ ଦଳଗୁଡ଼ିକ ଇଣ୍ଡୋର ବୈଠକ ପାଇଁ ଅନୁମତି ଦେଇଥିଲେ। ଏଥିରେ ସର୍ବାଧିକ ୩୦୦ ଲୋକ ଯୋଗ ଦେଇପାରିବେ ବୋଲି କମିଶନ ସର୍ତ୍ତ ରଖିଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com