ଓଡ଼ିଶା

‘କର୍ଣ୍ଣାଟକା ପାଇଁ ଖୋଲୁଛ, ଆମ ପାଇଁ କାହିଁକି ବନ୍ଦ କରୁଛ PMAY ପୋର୍ଟାଲ‘

ଭୁବନେଶ୍ୱର() ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ଆବାସ ପ୍ରସଙ୍ଗ ଉଠାଇଲା ବିଜେଡି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପୋର୍ଟାଲ ଖୋଲୁନଥିବାରୁ ରାଜ୍ୟର ୬ ଲକ୍ଷ ହିତାଧିକାରୀ ଏହି ଯୋଜନାର ଲାଭ ପାଉନଥିବା ଦଳର ସାଂସଦ ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଓ ସୁଜିତ କୁମାର ଅଭିଯୋଗ କରିଛନ୍ତି ।

ଗତ ୩ ବର୍ଷରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ଲେଖଥିଲେ ବି ପୋର୍ଟାଲ ଖୋଲାଯାଉନଥିବା କହିଛନ୍ତି ସସ୍ମିତ । ଫଳରେ ଯୋଜନାରୁ ଲାଭ ପାଇବାକୁ ଥିବା ପଶ୍ଚିମ, ଦକ୍ଷିଣ ଓ କେବିକେ ଜିଲ୍ଲାର ଆଦିବାସୀ ବଞ୍ଚିତ ହେଉଥିବା କହିଛି ବିଜେଡି  ।

ତେବେ ଗତ ଜାନୁଆରୀ ୧୩ରେ କର୍ଣ୍ଣାଟକା ପାଇଁ ଆବାସ ପୋର୍ଟାଲ ଖୋଲି ୨୫ ଲକ୍ଷ ହିତାଧିକାରୀଙ୍କ ପାଇଁ ଘର ଯୋଡ଼ାଯାଇଥିବା ବିଜେଡି ଉଦାହରଣ ଦେଇଛି । ତେଣୁ ଓଡ଼ିଶା ପାଇଁ ମଧ୍ୟ ଆବାସ ପୋର୍ଟାଲ ଖୋଲି ଆଦିବାସୀ ହିତାଧିକାରୀଙ୍କ ଲାଭ ପାଇଁ ୬ ଲକ୍ଷ ଘର ଯୋଡ଼ିବାକୁ ଦଳ ରାଜ୍ୟସଭାରେ ଦାବି କରିଛି ।

ଅନ୍ୟପଟେ ବିଜେପି କହିଛି ଆବାସ ଯୋଜନା ବଣ୍ଟନରେ ରାଜ୍ୟରେ ହଜାରେ କୋଟିର ଦୁର୍ନୀତି ହୋଇଛି  । କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ପାହ୍ୟାର ଅଫିସରମାନେ ଓଡ଼ିଶାର ବିଭିନ୍ନ ପଞ୍ଚାୟତରେ ଅଡିଟ୍ କରିଥିଲେ । ଯେଉଁଥିରେ ହଜାରେ କୋଟିର ଆବାସ ଦୁର୍ନୀତି ଧରାପଡ଼ିଥିଲା ବୋଲି ବିଜେପି କହିଛି । ଏନେଇ ୨୦୨୦ ଏପ୍ରିଲରୁ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ଦେଇସାରିଛନ୍ତି କେନ୍ଦ୍ରୀୟ ଟିମ୍  । ହେଲେ ଏଯାଏଁ ରାଜ୍ୟ ସରକାର କାହିଁକି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । ସରକାର ଦୁର୍ନୀତିଗ୍ରସ୍ତଙ୍କୁ ଘଣ୍ଟ ଘୋଡ଼ାଉଥିବା କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ଏନେଇ ସେ କହିଛନ୍ତି, ଗରୀବ ଲୋକଙ୍କ ଅଧିକାର ଛଡ଼ାଯାଇ ଭ୍ରଷ୍ଟାଚାର ଉପାୟରେ ଥିଲାବାଲାଙ୍କୁ ବଣ୍ଟନ କରାଗଲା। ନ ଥିଲା ବାଲା ହତାଶ ହେଲେ । ହଜାରେ କୋଟିର ଦୁର୍ନୀତି ବିଷୟରେ କେନ୍ଦ୍ରୀୟ ଟିମ୍‌  କହିଲା।  ହେଲେ ଏବେ କାହିଁକି ନୀରବ ରହୁଛନ୍ତି। ଭ୍ରଷ୍ଟାଚାରୀ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସରକାର ଘଣ୍ଟ ଘୋଡ଼ାଇ ରଖିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com