ଓଡ଼ିଶା

ଜଗା ଦର୍ଶନ ପାଇଁ କୋହଳ ହୋଇପାରେ ଶ୍ରୀମନ୍ଦିରରେ ନିୟମ, ଉଠିଯାଇପାରେ କିଓସ୍କୋ ବ୍ୟବସ୍ଥା

ପୁରୀ() ପୁରୀ ସହରବାସୀଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା କୋହଳ ପାଇଁ ଦାବି । ଏଥିସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ ଓ କିଓସ୍କୋ ବ୍ୟବସ୍ଥା ଉଠାଇବା ପାଇଁ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଇଛନ୍ତି ପୁରୀ ସହରବାସୀ ଓ ସେବାୟତ। ସେପଟେ ଦୁଇଦିନିଆ ପୁରୀ ଗସ୍ତରେ ରାଷ୍ଟ୍ରପତି ଆସୁଥିବା ବେଳେ ୧୯ ତାରିଖରେ ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ଶୃଙ୍ଖଳିତ ଦର୍ଶନ ନେଇ ଛତିଶା ନିଯୋଗ ପ୍ରତିନିଧିଙ୍କ ସହ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତିଙ୍କ ଗସ୍ତ ଦିନ ଶ୍ରୀମନ୍ଦିରରେ ନୀତିକାନ୍ତି ଶୃଙ୍ଖଳିତ ହେବା ସହ ପ୍ରଶାସନକୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ନିଯୋଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଅନ୍ୟପଟେ କୋଭିଡ ସଂକ୍ରମଣ କମୁଥିବାରୁ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ କଟକଣା କୋହଳ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଦୀର୍ଘ ୨ ବର୍ଷ ହେବ ପୁରୀ ସହରବାସୀ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ସାହିର ବାସିନ୍ଦାମାନେ ପ୍ରତ୍ୟେକ ଦିନ ଶ୍ରୀମନ୍ଦିର ଚାରି ଦ୍ଵାର ଦେଇ ଭିତରକୁ ଯାଇ ମହାପ୍ରଭୁଙ୍କ ମଙ୍ଗଳଆଳତୀ ଦର୍ଶନ କରିଥାନ୍ତି । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନର ନୂଆ ଏସଓପି ଅନୁଯାୟୀ ସକାଳ ୬ଟାରୁ ଶ୍ରୀମନ୍ଦିରରେ ଦର୍ଶନ ଆରମ୍ଭ ହେଉଛି। ମଙ୍ଗଳ ଆଳତୀ ଦର୍ଶନ କରିବା ପାଇଁ ସହରବାସୀ ବ୍ୟାକୁଳିତ ଥିଲେ ମଧ୍ୟ ଶ୍ରୀମନ୍ଦିର ପୋଲିସ ଓ ଜିଲ୍ଲା ପୋଲିସ ସେମାନଙ୍କୁ ନଛାଡ଼ି ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି ।‌ ତେବେ ସକାଳ ୬ଟା ପୂର୍ବରୁ ମଙ୍ଗଳ ଆଳତୀ ସରୁଥିବାରୁ ସହରବାସୀ ଦର୍ଶନ କରିନପାରି ମନ ଦୁଃଖରେ ଫେରୁଛନ୍ତି । ସୋମବାର ସୁଆର ସେବାୟତ ଜମ୍ବେଶ୍ଵର ମହାସୁଆରଙ୍କ ନେତୃତ୍ବରେ ବହୁ ସଂଖାରେ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ମଙ୍ଗଳ ଆଳତୀ ଦର୍ଶନ ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି।

ଅନ୍ୟପଟେ ଦୁଇଦିନିଆ ପୁରୀ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସୁଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ସୋମବାର ଛତିଶା ନିଯୋଗ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ରାଷ୍ଟ୍ରପତି ୧୯ ତାରିଖ ଅପରାହ୍ନ ୩ଟା ୨୫ମିନିଟରେ ପୁରୀ ହେଲିପ୍ୟାଡରେ ପହଞ୍ଚି ଏକ ହୋଟେଲରେ ଅବସ୍ଥାନ କରିବେ ।  ଏହାପରେ ସନ୍ଧ୍ୟା ୫ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ୫ଟା ୪୫ମିନିଟରେ ବାହାରିବେ। ଶ୍ରୀମନ୍ଦିର ଭିତରେ ସେ ୪୫ ମିନିଟ୍ ସମୟ ଅତିବାହିତ କରିବେ। ତେଣୁ ରାଷ୍ଟ୍ରପତିଙ୍କ ଦର୍ଶନ ସମୟରେ ସାଧାରଣ ଦର୍ଶନ ବନ୍ଦ ରଖିବା ନେଇ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି ।

ସେହିପରି ୨୦ ତାରିଖ ସକାଳ ୧୦ଟା ୩୫ମିନିଟରେ ଶ୍ରୀଚୈତନ୍ୟ ଗୌଡୀୟ ମଠ ଯାଇ ରାଷ୍ଟ୍ରପତି ପରିଦର୍ଶନ କରିବେ । କୋଭିଡ୍ କଟକଣା ମଧ୍ୟରେ ମଠର ୪୦ଜଣ ଆଚାର୍ଯ୍ୟ ସେହି ସମୟରେ ଉପସ୍ଥିତ ରହିବେ। ଏହାପରେ ମଠରୁ ବାହାରି ୧୧ଟା ରେ ଶରଧାବାଲିରେ ଆୟୋଜିତ ଗୌଡୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ଵତୀ ଗୋସ୍ବାମୀ ମହାରାଜାଙ୍କ ୧୫୦ତମ ଜୟନ୍ତୀ ସମାରୋହ ଉଦଘାଟନୀ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବେ। ତେବେ ରାଷ୍ଟ୍ରପତିଙ୍କ ଆସିବାରୁ ଯିବା ପର୍ଯ୍ୟନ୍ତ ସମସ୍ତ ସୁରକ୍ଷା ବ୍ୟବସ୍ଥା, ଶ୍ରୀମନ୍ଦିର ଦର୍ଶନ, ରୁଟ୍ ସିକ୍ୟୁରିଟି ବ୍ୟବସ୍ଥା ସଂପର୍କରେ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ କହିଛନ୍ତି।

ତେବେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ବରିଷ୍ଠ ପ୍ରଶାସନିକ ଅଧିକାରୀ, କୌଳିକ ପଣ୍ଡା ଓ ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଦର୍ଶନ ସମୟରେ ଉପସ୍ଥିତ ଥିବା ସେବାୟତଙ୍କ କୋଭିଡ ଆରଟିପିସିଆର ଟେଷ୍ଟ ହେବ ଜିଲ୍ଲାପାଳ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com