କ୍ରୀଡ଼ା

କେକେଆରକୁ ମିଳିଲା ନୂଆ କ୍ୟାପ୍ଟେନ୍, ମୋର୍ଗାନଙ୍କ ସ୍ଥାନ ନେଲେ ଶ୍ରେୟସ ଆୟର

କୋଲକାତା() ଆଇପିଏଲ୍‌-୨୦୨୨ ସିଜନ ପାଇଁ କୋଲକାତା ନାଇଟ୍‌ ରାଇଡର୍ସ ବୁଧବାର ଭାରତୀୟ ବ୍ୟାଟର ଶ୍ରେୟସ୍‌ ଆୟରଙ୍କୁ ନୂଆ ଅଧିନାୟକ ନିଯୁକ୍ତ କରିଛି । ସେ ପୂର୍ବତନ ଅଧିନାୟକ ଇୟନ ମୋର୍ଗାନଙ୍କ ସ୍ଥାନ ନେଇଛନ୍ତି । ଗତ ସଂସ୍କରଣରେ ମୋର୍ଗାନଙ୍କ ଅଧିନରେ ନାଇଟ ରାଇଡର୍ସ ରନର୍ସ ଅପ୍‌ରେ ସନ୍ତୁଷ୍ଟ ହୋଇଥିଲା । କିନ୍ତୁ ଆଇପିଏଲ୍‌-୧୫ ସଂସ୍କରଣ ପାଇଁ ନାଇଟ୍‌ ରାଇଡର୍ସ ତାଙ୍କୁ ନିଲାମୀ ପାଇଁ ଛାଡ଼ିବା ପରେ ନେତୃତ୍ୱ ପରିବର୍ତ୍ତନ ନିଶ୍ଚିତ ହୋଇ ଯାଇଥିଲା । ଗତ ସପ୍ତାହ ମେଗା ଖେଳାଳି ନିଲାମରେ ଦଳ ଶ୍ରେୟସ୍‌ଙ୍କୁ କିଣିବା ପାଇଁ ଡାକ ଲଗାଇଥିଲା । ଶେଷରେ ୧୨.୨୫ କୋଟି ଟଙ୍କାରେ ତାଙ୍କୁ କିଣିଥିଲା । ସେ ଦଳର ସବୁଠୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଥିଲେ ।

ନାଇଟ୍‌ ରାଇଡର୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ଭେଙ୍କି ମୈସୁର କହିଛନ୍ତି, ଆଇପିଏଲ୍‌ ନିଲାମରେ ଆମେ ଦଳର ନେତୃତ୍ୱ ପାଇଁ ଶ୍ରେୟସଙ୍କୁ କିଣିଥିଲୁ । ସେ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ୍‌ ଭାବେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି, ଆମର ବିଶ୍ୱାସ ଅଧିନାୟକ ଭାବେ ସେ ସଫଳ ହେବେ ।’

ନୂଆ ଦାୟିତ୍ୱକୁ ନେଇ ଶେୟସ ବେଶ ଉତ୍ସାହିତ ହୋଇ ପଡ଼ିଛନ୍ତି । ସେ କହିଛନ୍ତି, ନାଇଟ୍‌ ରାଇଡର୍ସ ଦଳର ନେତୃତ୍ୱ ନେବାକୁ ସୁଯୋଗ ମିଳିଥିବାରୁ ନିଜକୁ ଗର୍ବିତ ମନେ କରୁଛି । ଦଳର ମାଲିକ, ମ୍ୟାନେଜମେଣ୍ଟ, ସହକାରୀ ଷ୍ଟାଫ୍‌ଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ।’ ସେହିପରି ମୁଖ୍ୟ କୋଚ୍‌ ବ୍ରେଣ୍ଡନ ମ୍ୟାକ୍‌କୁଲମ କହିଛନ୍ତି, ଶ୍ରେୟସ ହେଉଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ଭବିଷ୍ୟତ ଅଧିନାୟକଙ୍କ ମଧ୍ୟରେ ଅନ୍ୟତମ । ତାଙ୍କ ବ୍ୟାଟିଂ ଓ ନେତୃତ୍ୱ ଦକ୍ଷତା ଅନେକଙ୍କୁ ପ୍ରଭାବିତ କରିଛି । ତାଙ୍କ ଅଧିନରେ ନାଇଟ୍‌ ରାଇଡର୍ସ ତା’ର ଲକ୍ଷ୍ୟ ପୂରଣ କରିପାରିବ ।’

ଶ୍ରେୟସ୍‌ଙ୍କୁ ଆଇପିଏଲ୍‌ର ଅନ୍ୟତମ ସଫଳ ଅଧିନାୟକ ଭାବେ ଗଣନା କରାଯାଉଛି । ସେ ୨୦୧୮ରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ନିଯୁକ୍ତ ହୋଇଥିଲେ । ତାଙ୍କ ଅଧିନରେ ଦଳ ୨୦୧୯ (ଏଲିମିନେଟର), ୨୦୨୦ (ଫାଇନାଲ୍‌) ସଂସ୍କରଣରେ ପ୍ରଭାବୀ ପ୍ରଦର୍ଶନ କରିବା ସହ ପ୍ଲେ-ଅଫ୍‌ରେ ପ୍ରବେଶ କରିଥିଲା । ଗତବର୍ଷ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ ବେଳେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା । ଫଳରେ ସେ ୨୦୨୧ ଆଇପିଏଲ୍‌ ସିଜନରୁ ଓହରି ଯାଇଥିଲେ । ତାଙ୍କ ଅନୁପସ୍ଥିତିରେ ରିଷଭ ପନ୍ତଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଥିଲା । ଏହି ସଂସ୍କରଣର ଦ୍ୱିତୀୟ ଭାଗ ବେଳକୁ ଶ୍ରେୟସ ସମ୍ପୂର୍ଣ୍ଣ ଫିଟ୍‌ ହୋଇ ଦଳକୁ ଫେରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ନେତୃତ୍ୱ ହସ୍ତାନ୍ତର କରିବା ପରିବର୍ତ୍ତେ ପନ୍ତଙ୍କ ଅଧିନରେ ଖେଳିବାକୁ ନିଷ୍ପତ୍ତି ନେଇଥିଲା । ଆଇପିଏଲ୍‌ରେ ଶ୍ରେୟାସ ୪୧ଟି ମ୍ୟାଚ୍‌ର ନେତୃତ୍ୱ ନେଇଛନ୍ତି । ସେଥିମଧ୍ୟରୁ ଦଳ ୨୧ଟି ଜିତିଥିବାବେଳେ ୧୮ଟି ପରାଜୟ ଏବଂ ୨ଟି ଟାଇ ରହିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com