ଓଡ଼ିଶା

ନକଲି ଡାକ୍ତର ରମେଶ: ଠକେଇ ପେଡ଼ି ଖୋଲି ପୁଲିସ ବାୟା ଆନ୍ଧ୍ରର ଫଳ ବ୍ୟବସାୟୀଙ୍କୁ ଅଢ଼େଇ ଲକ୍ଷ ଟଙ୍କାର ଚୂନ, କୁକୁଡ଼ା ଦାନା ବ୍ୟବସାୟୀଙ୍କୁ ବି ଠକିଛି

ଭୁବନେଶ୍ବର() ନକଲି ଡାକ୍ତର ରମେଶର ଠକେଇ ପେଡ଼ି ଖୋଲିବା ପରେ ପୁଲିସ ବାୟା ହୋଇଯାଇଛି। କେଉଁଠୁ ତଦନ୍ତ ଆରମ୍ଭ କରିବ, ପ୍ରଥମେ କେଉଁ ଦିଗରୁ ଖୋଳତାଡ଼ କରିବ, କେଉଁ ଘଟଣା ଫୋକସରେ ରହିବ, ରମେଶ ପାଇଁ କେତେ ସମୟ କାଢ଼ିବ, ଏହି ସବୁ ପ୍ରଶ୍ନ ପୁଲିସକୁ ଏବେ ଅଡ଼ୁଆରେ ପକାଇ ଦେଇଛି। ରମେଶ ଏମିତି ଜଣେ ଠକ, ଯାହା ରାଜ୍ୟ ପୁଲିସରେ ପୂର୍ବରୁ କେବେ ଦେଖିବାକୁ ମିଳି ନଥିବ। ଦେଶରେ ମଧ୍ୟ ଏହା ବିରଳ ଘଟଣା ବୋଲି କୁହାଯାଉଛି। ରମେଶର ମୋବାଇଲ ଫୋନ୍‌ ତଥ୍ୟକୁ ଆଧାର କରି ତଦନ୍ତକାରୀ ଟିମ୍ ଯୁଆଡ଼େ ପଶୁଛି ସିଆଡ଼ୁ ମାଳମାଳ ଠକେଇ ସାମ୍ନାକୁ ଆସୁଛି। ଠକେଇର ତରିକା ମଧ୍ୟ ଭିନ୍ନଭିନ୍ନ ହୋଇଥିବା ବେଳେ ଚେର ଦେଖି ମଧ୍ୟ ପୁଲିସ ତାଜୁବ୍ ହୋଇଯାଇଛି। ମୋବାଇଲ ଫୋନ୍‌ ତଥ୍ୟକୁ ଆଧାର କରି ପୁଲିସ ଛାନଭିନ୍ ଚଳାଇଥିବା ବେଳେ ପ୍ରତିଦିନ ନୂଆ ନୂଆ ଠକେଇ ବାହାରୁଛି। ଏମ୍‌ବିବିଏସ୍ ଆଡମିସନ୍‌, ଚାକିରି, ନିଜ କ୍ଲିନିକ୍‌ରେ ଡାକ୍ତର ନିଯୁକ୍ତି ନାଁରେ ଠକେଇ ସାମ୍ନାକୁ ଆସିଥିବା ବେଳେ ଏବେ କେତେକ ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କ ସହ ପୁଲିସ ଯୋଗାଯୋଗ କରିଛି।

ମିଳିଥିବା ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର ଜଣେ ଫଳ ବ୍ୟବସାୟୀଙ୍କୁ ଅଢ଼େଇ ଲକ୍ଷ ଟଙ୍କାର ଚୂନ ଲଗାଇଛି। ନିଜକୁ ଓଡ଼ିଶାର ଫଳ ବ୍ୟବସାୟୀ ପରିଚୟ ଦେଇ ଦୁଇ ଟ୍ରକ୍‌ ମାଲ ଆଣିଥିଲା। ଅଳ୍ପ କିଛି ବଇନା ଦେଇଥିବା ବେଳେ ବାକି ଟଙ୍କା ଦେଇ ନଥିଲା। ଦୁଇ ଟ୍ରକ୍ ଫଳ କେଉଁଠି ବିକି ଦେଇଛି ତାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ପୁଲିସ। ହ୍ବାଟସଆପ୍ ଚାଟିଂରୁ ତଥ୍ୟ ମିଳିବା ପରେ ସମ୍ପୃକ୍ତ ବ୍ୟବସାୟୀଙ୍କ ସହ ତଦନ୍ତକାରୀ ଟିମ୍ ଯୋଗାଯୋଗ କରିଛି। ସେହିପରି ଗତବର୍ଷ ନିଜ ଗାଁରେ ଏକ କୁକୁଡ଼ା ଫାର୍ମ କରିଥିଲା। ଜଣେ ବ୍ୟବସାୟୀଙ୍କଠାରୁ ପ୍ରାୟ ୫୦ ହଜାର ଟଙ୍କାର କୁକୁଡ଼ା ଦାନା ଆଣି ତାଙ୍କୁ ମଧ୍ୟ ଚୂନ ଲଗାଇବା ଘଟଣା ସାମ୍ନାକୁ ଆସିଛି। ସେହିପରି କେନ୍ଦ୍ରାପଡ଼ା ଅଞ୍ଚଳରେ ଏକ କୋଠା ତିଆରି କରିଥିଲା। ଘର ତିଆରି କରିଥିବା ଠିକାଦାରଙ୍କର ଦେଢ଼ଲକ୍ଷ ଟଙ୍କା ବାକି ରଖି ରଙ୍କି ତାଙ୍କୁ ଫାଙ୍କି ଚାଲିଛି। ଗୋଡ଼ି, ବାଲି, ସିମେଣ୍ଟ ଯୋଗାଉଥିବା ଜଣେ ସପ୍ଲାୟର୍ସଙ୍କୁ ମଧ୍ୟ ଠକିଛି। ଓଡ଼ିଶା ସମେତ ୧୨ଟି ରାଜ୍ୟରେ ରମେଶ ଠକେଇ କରିଥିବା ପୁଲିସ ତା’ର ମୋବାଇଲ ଚାଟିଂ, ଫୋନ୍‌ କଲରୁ ତଥ୍ୟ ସଂଗ୍ରହ କରିଛି। ଏମିତି ଏକ ଠକର କଳା କାରନାମା ପର୍ଦ୍ଦାଫାସ୍ କରିବା ପୁଲିସ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

ଅନ୍ୟପକ୍ଷରେ ପୁଲିସ ହାତରେ ଏବେ ରମେଶର ୧୨ଟି ବ୍ୟାଙ୍କ ଆକାଉଣ୍ଟ ଲାଗିଥିବା ବେଳେ ଆହୁରି ୧୦ଟି ରାଜ୍ୟରେ ତା’ର ବ୍ୟାଙ୍କ କାରବାର ଥିବା ଜଣାପଡ଼ିଛି। ସାରା ଦେଶରେ କେତୋଟି ବ୍ୟାଙ୍କ ଆକାଉଣ୍ଟ ରହିଛି? ସେଥିରେ କେତେ ଟଙ୍କା ଅଛି? ସମ୍ପର୍କୀୟଙ୍କ ନାଁରେ କେତେ ଆକାଉଣ୍ଟ ଅଛି? ସେହି ସବୁ ଆକାଉଣ୍ଟକୁ ରମେଶ ଆକାଉଣ୍ଟରୁ ଟ୍ରାନାଜକସନ୍ ହୋଇଛି କି ନାହିଁ? ଏ ସବୁ ଜାଣିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ)କୁ ଚିଠି ଲେଖିଛି ପୁଲିସ। ଏହି ତଥ୍ୟ ଆସିଲା ପରେ ବଡ଼ଧରଣର ପର୍ଦ୍ଦାଫାସ୍ ହେବ ବୋଲି ତଦନ୍ତକାରୀ ଟିମ୍ ଆଶା ରଖିଛି।

ସେହିପରି ରମେଶର ମୋବାଇଲ ଫୋନ୍‌ ତଥ୍ୟକୁ ଆଧାର କରି ପୁଲିସ ଗତକାଲି ସୁଦ୍ଧା ଶହେରୁ ଅଧିକ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିଥିଲା। ଆଜି ଆଉ ପ୍ରାୟ ୩୦ଜଣଙ୍କ ସହ ଯୋଗାଯୋଗ କରିଛି। ସେମାନଙ୍କ ମଧ୍ୟରୁ ୭ରୁ ୮ଜଣ ମହିଳା ରହିଥିବା ବେଳେ ବାକି ଅନ୍ୟମାନେ ବିଭିନ୍ନ ଉପାୟରେ ଠକାମିର ଶିକାର ହୋଇଥିବା କିମ୍ବା ଠକେଇ ପାଇଁ ଜାଲରେ ପଡ଼ିଥିବା ତଦନ୍ତକାରୀ ଟିମ୍‌ ଜାଣିବାକୁ ପାଇଛି। ଯେଉଁମାନେ ଠକାମିର ଶିକାର ହୋଇଛନ୍ତି, ସେମାନଙ୍କୁ ଅଭିଯୋଗ କରିବା ପାଇଁ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ରମେଶଙ୍କ ଦ୍ବିତୀୟ ପତ୍ନୀ ଡାକ୍ତରାଣୀ ହୋଇଥିବା ବେଳେ ସେ ଠକେଇ ସଂକ୍ରାନ୍ତରେ ଜାଣିଥିବା ଓ ତାଙ୍କର ସହଯୋଗ ରହିଥିବା ପୁଲିସ ଜେରା ବେଳେ ସୂଚନା ପାଇଛି। ସେ ଝାଡ଼ଖଣ୍ଡରେ ରହୁଥିବା ଜଣାପଡ଼ିଛି। ତାଙ୍କୁ ପଚରାଉଚରା ସହ ବୟାନ ରେକର୍ଡ ପାଇଁ ସେଠାକୁ ଏକ ଟିମ୍ ଯିବ ବୋଲି ଜଣାପଡ଼ିଛି।

Related Articles

Back to top button
WP Twitter Auto Publish Powered By : XYZScripts.com