ଓଡ଼ିଶା

ଶିବରାତ୍ରୀ ପାଇଁ ଦୀପ କାରିଗରଙ୍କୁ ନିଦ ନାହିଁ, ବିଡ଼ାନାସୀରେ ପ୍ରସ୍ତୁତି ଚାଲିଛି ଦେଢ଼ କ୍ବିଣ୍ଟାଲ୍‌ ଘିଅ ଦୀପ; ଚାଉଳିଆଗଂଜରେ ଜଳିବ

କଟକ() ଆଉ ଦିନ କେଇଟା ପ‌ରେ ମହାଶିବରାତ୍ରୀ। ଫଗୁଣ ମାସର ଅମାବାସ୍ୟା ଚତୁର୍ଦ୍ଦଶୀରେ ପାଳନ ହୋଇଥାଏ ମହାଶିବରାତ୍ରୀ ବା ଜାଗର। ଜାଗର ଉତ୍ସବ ପାଳନ ପାଇଁ ସହରରେ ଥିବା ଶିବ ମନ୍ଦିର ମାନଙ୍କରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଶୈବ ପୀଠ ମାନଙ୍କରେ ଜାଗର ଜାଳି ନିଜ ବ୍ରତ ସମ୍ପୂର୍ଣ୍ଣ କରିଥାନ୍ତି ବ୍ରତଧାରୀ। ଏହାକୁ ନଜ‌ରରେ ରଖି ସହରର ବିଡ଼ାନାସୀ ଠାରେ ଥିବା କୁମ୍ଭାର ସାହିରେ ଏବେ ଦୀପ ପ୍ରସ୍ତୁତି କାର୍ଯ୍ୟ ଜୋରଦାର ଭାବେ ଆରମ୍ଭ ହୋଇଯାଇଛି। ଛୋଟରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ବିଭିନ୍ନ ଆକୃତିର ଦୀପ ତିଆରି କରୁଛନ୍ତି କାରିଗର। ଜାଗର ପାଇଁ କଟକ ସହର ସମତେ ବାହାରୁ ମଧ୍ୟ ଗ୍ରାହକ ଆସି ଦୀପ ପାଇ ବଇନା ଦେଉଛନ୍ତି। ଚଳିତବର୍ଷ ତିଆରି ହୋଇଛି ଦେଢ଼ କ୍ବିଣ୍ଟାଲ ଘିଅ ଜଳିବାର ବିରାଟକାୟ ଦୀପ। ଯାହାକି ଚାଉଳିଆଗଞ୍ଜ ଶିବ ମନ୍ଦିରରେ ଜଳିବ। ଏହି ଦୀପର ଉଚ୍ଚତା ୧୫ ଇଞ୍ଚ ରହିଥିବା ବେଳେ ୩ ଫୁଟ୍‌ ‌ଚଉଡ଼ା ରହିଛି। ବିଡ଼ାନାସୀ ଅଞ୍ଚଳର କାରିଗର ସୁରେନ୍ଦ୍ର ବେହେରା ତିଆରି କରୁଛନ୍ତି ଏହି ବିରାଟକାୟ ଦୀପକୁ। ଦେଢ଼ କ୍ବିଣ୍ଟାଲ ଘିଅ ଦୀପର ମୂଲ୍ୟ ରହିଛି ୧୦ହଜାର ଟଙ୍କା। ଏହାଛଡ଼ା ବିଭିନ୍ନ ଆକାରର ଦୀପ ପ୍ରସ୍ତୁତି କରାଯାଇଛି ଯାହାର ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ କରି ୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।

ଦୀପ ତିଆରି କରିବା ପାଇଁ ମାଟି, ବାଲି, ଝୋଟ, କପଡ଼ା ଇତ୍ୟାଦି ବ୍ୟବହାର କରାଯାଇଥାଏ। ଛୋଟ ଦୀପ ତିଆରି ପରେ ଏହାକୁ ଭାଟିରେ ପୋଡ଼ା ଯାଇଥାଏ। ହେଲେ ବଡ଼ ଆକୃତିର ଦୀପ ତିଆରି ପରେ ଏହାକୁ ଶୁଖା ଯାଇଥାଏ। ପରେ ଏହାକୁ ଭଳି କି ଭଳି ରଙ୍ଗରେ ରଙ୍ଗୀନ କରାଯାଇ ବିକ୍ରି କରାଯାଇଥାଏ। ଏଥର ମଲ୍ଟି କଲର ଦୀପର ଚାହିଦା ଅଧିକ ରହିଛି। ଏ ନେଇ କାରିଗର ସୁରେନ୍ଦ୍ର ବେହେରା କହନ୍ତି ଯେ, ମାଟି ଦର ବୃଦ୍ଧି ଅଧିକ ବାଧୁଛି। ତା’ଛଡ଼ା, କଲିକତୀ ଦୀପ‌ ଲୋକଙ୍କୁ ଆକର୍ଷିତ କଲେ ମଧ୍ୟ ଗ୍ରାହକଙ୍କ ମଧ୍ୟରେ ଏହି ମାଟି ତିଆରି ଦୀପ ଚାହିଦା ରହିଛି। ଫଳରେ ଚଳିତବର୍ଷ ବହୁ ସଂଖ୍ୟାରେ ଅର୍ଡ଼ର ଆସିଛି। ଏବେ ଯାଏଁ ୪ ହଜାରରୁ ଅଧିକ ଦୀପ ବିକ୍ରି ସରିଛି। ଦୀପ ମଧ୍ୟରେ ଚଳିତବର୍ଷ ଦେଢ଼ କ୍ବିଣ୍ଟାଲ ଘିଅ ଜଳିବାର ଦୀପ ତିଆରି କରିଛି। ଏହି ଦୀପ ତିଆରି କାମ ୨ ମାସ ହେବ ଆରମ୍ଭ କରିଛି। ଗତବର୍ଷ ବହୁ କ୍ଷତିର ସମ୍ମୁଖୀନ ହୋଇଛି। ହେଲେ ଚଳିତବର୍ଷ ଜାଗର ପାଇଁ ଦୀପର ଅର୍ଡ଼ର ସହ ବେପାର ମଧ୍ୟ ଖୁବ୍‌ ଭଲ ହେଉଛି ବୋଲି ସୁରେନ୍ଦ୍ର କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com