ଓଡ଼ିଶା

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଗଣମାଧ୍ୟମର ଆତ୍ମ ବିଶ୍ଲେଷଣ ଓ ଲିଙ୍ଗଗତ ସାମ୍ୟତା’ କର୍ମଶାଳା

ଭୁବନେଶ୍ୱର () ସାମ୍ବାଦିକତା ହେଉଛି ଜ୍ଞାନର ଏକ ଅଂଶ । ଜଣେ ସାମ୍ବାଦିକଟିଏ ନିଜର କଲମ ମାଧ୍ୟମରେ ସଦା ସର୍ବଦା ରାଷ୍ଟ୍ରର ଗଠନରେ ନିଜର ବହୁମୂଲ୍ୟ ଯୋଗଦାନ ଦେଇଥାଏ । କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଭାରତୀୟ ସମାଜ ଜାତି, ଲିଙ୍ଗ ଓ ବର୍ଗ ଭିତ୍ତିରେ ବିଭିନ୍ନ ଶ୍ରେଣୀରେ ବିଭକ୍ତ ହୋଇ ବହୁ ସମସ୍ୟାର ସୁତ୍ରଧର ପାଲଟିଛି । ଏହା ଫଳରେ ଦେଶର ସାମାଜିକ କ୍ଷେତ୍ର ଅବକ୍ଷୟ ହେବାରେ ଲାଗିଛି । ଯେହେତୁ ଏକ ରାଷ୍ଟ୍ର ପାଇଁ ସାମାଜିକ ଭାବେ ବିକଶିତ ହେବା ବେଶ ଗୁରୁତ୍ୱପୁର୍ଣ୍ଣ, ଗଣମାଧ୍ୟମକୁ ଏନେଇ ସଚେତନ ହେବାକୁ ପଡ଼ିବ । ଭାରତୀୟ ସମାଜର ପ୍ରଗତି ପଥରେ ବାଧା ଦୂରୀକରଣ ପାଇଁ ଶିକ୍ଷା ହିଁ ଏକ ମାତ୍ର ମାଧ୍ୟମ ଏବଂ ଏହାହିଁ ବର୍ତ୍ତମାନ ସମୟର ଆହ୍ୱାନ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ  ପ୍ରକାଶ କରିଛନ୍ତି ।

ଉତ୍କଳ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ଆୟୋଜିତ ‘ଗଣମାଧ୍ୟମର ଆତ୍ମ ବିଶ୍ଲେଷଣ ଓ ଲିଙ୍ଗଗତ ସାମ୍ୟତା’ ଶୀର୍ଷକ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ  ରାଷ୍ଟ୍ରର ସାମାଜିକ ବିକାଶ କ୍ଷେତ୍ରରେ ଗଣମାଧ୍ୟମ କେତେ ମାତ୍ରାରେ ସହଯୋଗ କରୁଛି ସେନେଇ ଗଣମାଧ୍ୟମକୁ ଆତ୍ମଚିନ୍ତନ କରିବା ଆବଶ୍ୟକ ବୋଲି ପ୍ରଫେସର ମଲ୍ଲିକ କହିଛନ୍ତି ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ମୁଖ୍ୟ ଡଃ ବନ୍ଦିତା ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଛନ୍ତି ଯେ ଗଣମାଧ୍ୟମର ଭୂମିକା ସବୁବେଳେ ସକାରାତ୍ମକ ଭାବେ ସମାଜ ନିର୍ମାଣ ପାଇଁ ଉତ୍ସର୍ଗୀକୃତ ହେବା ଉଚିତ । ସମାଜର ବିକାଶ ସେତେବେଳେ ସମ୍ଭବ ଯେତେବେଳେ ନାରୀପୁରୁଷ ଭେଦଭାବ ଦୂର ହୋଇପାରିବ । ସାମ୍ବାଦିକତା ଓ ଗଣମାଧ୍ୟମ ଛାତ୍ରଛାତ୍ରୀମାନେ ନିରପେକ୍ଷ ଭାବେ ନିଜର ଦକ୍ଷତା ଅନୁଯାୟୀ ଏହାକୁ ଉପସ୍ଥାପନା କରିବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି ।

ଉତ୍କଳ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସଂଯୋଜିକା ପ୍ରଫେସର ପଦ୍ମାଳୟା ମହାପାତ୍ରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ପଣ୍ଡା, ସହକାରୀ ପ୍ରଫେସର ଡଃ ହେମନ୍ତ କୁମାର ଦାଶ ଓ ଡଃ ଜ୍ୟୋତିର୍ମୟୀ ଟୁଡୁ ବକ୍ତବ୍ୟ ରଖିଥିଲେ । ଡଃ ରମାକାନ୍ତ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ଛାତ୍ରୀ ସୁଦେଷ୍ଣା ଲେଙ୍କା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ଓ ଲୋକ ପ୍ରଶାସନ ବିଭାଗର ଛାତ୍ରଛାତ୍ରୀ ଓ ଗବେଷକ ଯୋଗଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com