ଜାତୀୟ

୧୯ ବର୍ଷୀୟ ଭାରତୀୟ କ୍ରିକେଟର ୧୭୧ ବଲ୍‌ରୁ କଲେ ୨୬୭ ରନ, ଦଳକୁ ଟି-୨୦ ବିଶ୍ଵ କପ୍‌ରେ ପହଞ୍ଚାଇଲେ

ନୂଆଦିଲ୍ଲୀ() ବୃତ୍ୟା ଅରବିନ୍ଦଙ୍କ ଜନ୍ମ ଚେନ୍ନାଇରେ ହୋଇଥିଲା। ପାଠପଢା ପାଇଁ ସେ ୟୁଏଇ ଚାଲିଗଲେ ଏବଂ ସେଠାକାର ନାଗରିକ ହୋଇ ରହିଗଲେ। ଟି-୨୦ ବିଶ୍ଵ କପ୍‌ର କ୍ଵାଲିଫାୟର ମୁକାବିଲା ସଂପ୍ରତି ଓମାନରେ ଖେଳାଯାଉଛି। ୟୁଏଇ ଏବଂ ଆୟରଲାଣ୍ଡ ଫାଇନାଲ୍‌ରେ ପ୍ରବେଶ କରିବା ସହ ଟି-୨୦ ବିଶ୍ଵ କପ୍‌ ପାଇଁ କ୍ଵାଲିଫାୟର ମଧ୍ୟ କରିଛନ୍ତି। ୟୁଏଇକୁ ବିଶ୍ଵ କପ୍ ଟିକେଟ୍ ଦେବାରେ ଅରବିନ୍ଦଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ସେମି ଫାଇନାଲ୍‌ରେ ପହଞ୍ଚିବା ପାଇଁ ଦଳକୁ ଭଲ ରନ ରେଟ୍‌ର ଆବଶ୍ୟକତା ଥିଲା। ଅନ୍ତିମ ଲିଗ୍ ମ୍ୟାଚ୍‌ରେ ୟୁଏଇକୁ ବାହାରିନ ବିରୋଧରେ ୬ ବଲରେ ୧୨ ରନ କରିବାର ଥିଲା। ମାତ୍ର ଅରବିନ୍ଦ ୨୪ ରନ କରି ଦଳକୁ ସେମି ଫାଇନାଲରେ ପହଞ୍ଚାଇଥିଲେ।

୧୯ ବର୍ଷୀୟ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ବୃତ୍ୟା ଅରବିନ୍ଦ ପୂରା ଟୁର୍ଣ୍ଣାମେଣ୍ଟରେ ଏ ପର୍ଯ୍ୟନ୍ତ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ୪ଟି ଇନିଂସରେ ୧୩୪ ହାରରେ ୧୭୧ ବଲ୍‌ରେ ୨୬୭ ରନ କରି ସାରିଛନ୍ତି। ଷ୍ଟ୍ରାଇକ୍ ରେଟ୍ ୧୫୬ ରହିଛି। ଏ ପର୍ଯ୍ୟନ୍ତ ୨୫ ଚୌକା ଏବଂ ୧୧ ଛକା ମାରି ସାରିଛନ୍ତି ଅରବିନ୍ଦ। ଅର୍ଥାତ ୧୬୬ ରନ କେବଳ ବାଉଣ୍ଡରୀରୁ ଆସିଛି। ଏଥିରେ ୨ ଅର୍ଦ୍ଧଶତକ ମଧ୍ୟ ସାମିଲ୍। ସେ ବାହାରିନ ବିରୋଧରେ ଶେଷ ଲିଗ୍ ମ୍ୟାଚ୍‌ରେ ୫୨ ବଲ୍‌ରୁ ୬ ଚୌକା ଏବଂ ୫ ଛକା ସହ ୮୪ ରନର ଅପରାଜିତ ଇନିଂସ ଖେଳିଛନ୍ତି। ସେ ଶେଷ ଓଭରରେ ୨ ଚୌକା ଏବଂ ୨ ଛକା ମାରିଥିଲେ।

ବୃତ୍ୟା ଅରବିନ୍ଦ ସେମି ଫାଇନାଲ୍‌ରେ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେ ମାତ୍ର ୨୩ ବଲ୍‌ରୁ ୫ ଚୌକା ଓ ୩ ଛକା ସହ ୪୬ ରନର ଇନିଂସ ଖେଳିଥିଲେ। ୟୁଏଇ ୭ ଓ୍ଵିକେଟ୍‌ରେ  ୧୭୫ ରନ କରିଥିଲା। ଜବାବରେ ନେପାଳ ଦଳ ୧୦୭ ରନ କରିବାକୁ ସକ୍ଷମ ହୋଇଛି। ଏହିପରି ୟୁଏଇ ମ୍ୟାଚ୍‌କୁ ୬୮ ରନରେ ଜିତି ନେଇଛି। ଏବେ ଫାଇନାଲ୍‌ ମୁକାବିଲା ୟୁଏଇ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଯାଉଛି। ଆୟରଲାଣ୍ଡ ସେମି ଫାଇନାଲ୍‌ରେ ଓମାନକୁ  ହରାଇଛି। ବୃତ୍ୟା ଅରବିନ୍ଦଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟର ଉପରେ ନଜର ପକାଇଲେ, ସେ ୧୨ଟି ଇନିଂସରେ ୪୨ ହାରରେ  ୪୧୭ ରନ କରିଛନ୍ତି। ଏଥିରେ ୩ ଅର୍ଦ୍ଧଶତକ ସାମିଲ୍। ଅପରାଜିତ ୯୭ ରନ ହେଉଛି ତାଙ୍କର ସର୍ବୋଚ୍ଚ ସ୍କୋର। ଷ୍ଟ୍ରାଇକ୍ ରେଟ୍ ୧୩୮ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com