ଅନ୍ୟାନ୍ୟ

ସରକାର ନିଜ କାମ କରୁଛନ୍ତି, ଯୁଦ୍ଧ ରୋକିବାକୁ ଆମେ ପୁଟିନଙ୍କୁ ନିର୍ଦ୍ଦେଶ ଦେଇ ପାରିବୁ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧର ଗୁରୁବାର ହେଉଛି ଅଷ୍ଟମ ଦିନ। ଯୁଦ୍ଧଗ୍ରସ୍ତ ଅଞ୍ଚଳରୁ ଭାରତୀୟ ଛାତ୍ରଙ୍କ ଉଦ୍ଧାର ପାଇଁ ଭାରତ ପକ୍ଷରୁ ଚାଲିଛି ଅପରେସନ ଗଙ୍ଗା। ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ଆଣିବା ପାଇଁ ଭାରତ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଜଣେ ଓକିଲ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ତାଙ୍କ ଆବେଦନ ଉପରେ ଆଜି ଶୁଣାଣି ହୋଇଛି। ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଭାରତ ସରକାର ଭାରତୀୟଙ୍କୁ ୟୁକ୍ରେନରୁ ଆଣିବା ପାଇଁ ନିଜ କାମ କରୁଛନ୍ତି।
ପ୍ରଧାନ ବିଚାରପତି ରମନ୍ନା କହିଛନ୍ତି, ଛାତ୍ରଙ୍କ ପ୍ରତି ଆମର ସହାନୁଭୂତି ରହିଛି। ଆମକୁ ମଧ୍ୟ ବହୁତ ଖରାପ ଲାଗୁଛି। କିନ୍ତୁ ଆମେ କଣ ରୁଷ ରାଷ୍ଟ୍ରପତିଙ୍କୁ ଯୁଦ୍ଧ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇ ପାରିବୁ ? ସେଠାରୁ ଭାରତୀୟଙ୍କୁ ଆଣିବା ଦିଗରେ କେନ୍ଦ୍ର ସରକାର ଠିକ୍ କାମ କରୁଥିବା ସୁପ୍ରିମକୋର୍ଟ କହିଛନ୍ତି।
ଅପରେସନ ଗଙ୍ଗା ଆଧାରରେ ଆଜି ୩୭୨୬ ଭାରତୀୟଙ୍କୁ ୟୁକ୍ରେନରୁ ସ୍ଵଦେଶ ଅଣାଯିବ। କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ବୁଖାରେଷ୍ଟରୁ ୮ ବିମାନ, ସୁସେଭାରୁ ୨ ବିମାନ, କୋସିସେରୁ ୧ ବିମାନ, ବୁଡାପେଷ୍ଟରୁ ୫ ବିମାନ ଏବଂ ରେଜଜୋରୁ ୩ ବିମାନ ଜରିଆରେ ଛାତ୍ର ଏବଂ ଅନ୍ୟ ଲୋକଙ୍କୁ ସ୍ଵଦେଶ ଅଣାଯିବ।
ୟୁକ୍ରେନରୁ ଗୁରୁବାର ମୁମ୍ବାଇ ପହଞ୍ଚିଥିବା ଜଣେ ଛାତ୍ର କହିଛନ୍ତି, ଯୁଦ୍ଧଗ୍ରସ୍ତ ଦେଶରେ ଏବେ ମଧ୍ୟ ଅନେକ ଭାରତୀୟ ଛାତ୍ର ଫସି ରହିଛନ୍ତି। ସେମାନଙ୍କୁ ସହାୟତାର ଅତି ଆବଶ୍ୟକତା ରହିଛି। ୧୮୩ ଯାତ୍ରୀଙ୍କୁ ହଙ୍ଗେରୀର ରାଜଧାନୀ ବୁଡାପେଷ୍ଟରୁ ଧରି ଏକ ବିଶେଷ ବିମାନ ଆଜି ସକାଳେ ମୁମ୍ବାଇ ପହଞ୍ଚିଛି। ଯାତ୍ରୀଙ୍କ ମଧ୍ୟରେ ଜଣେ ନବଜାତ ଶିଶୁ ମଧ୍ୟ ସାମିଲ୍।

Related Articles

Back to top button
WP Twitter Auto Publish Powered By : XYZScripts.com