ଓଡ଼ିଶା

ପାରାଦୀପରେ କିଏ ହେବ ପୌରାଧ୍ୟକ୍ଷ? ବିଜେଡିରୁ ୩ ଆଶାୟୀ, ବିରୋଧୀ ଏବେ ବି ଖୋଜୁଛନ୍ତି

ଜଗତସିଂହପୁର() ପାରାଦୀପ ପୌରପାଳିକାର କିଏ ହେବ ଅଧ୍ୟକ୍ଷ? ଏ ନେଇ ବିରୋଧୀ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ କରିପାରି ନଥିବା ବେଳେ ବିଜେଡିରୁ ଏବେ ତିନି ଜଣ ଆଶାୟୀଙ୍କ ନାଁ ରହିଛି। ସେମାନଙ୍କ ମଧ୍ୟରୁ କେଉଁ ନାଁରେ ବିଜେଡି ହାଇକମାଣ୍ଡ ମୋହର ମାରିବେ ତା ଉପରେ ସମସ୍ତଙ୍କ ନଜର ରହିଛି। ପୂର୍ବତନ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ ନା ଆଉ କାହାକୁ ହାଇକମାଣ୍ଡ ସୁଯୋଗ ଦେ‌ବେ, ଏହା ଉପରେ ସମସ୍ତଙ୍କ ନଜର ରହିଛି। ଏଥର ‌ପୌରାଧ୍ୟକ୍ଷ ନିର୍ବାଚନ ସିଧାସଳଖ ହେଉଥିବାରୁ ଏକ ରୋଚକ ପରିସ୍ଥିତି ସୃଷ୍ଟି ହେବ। ସେଥିପାଇଁ ପ୍ରଥମ ଥର ବିଜେଡିରୁ ଏହି ପଦବି ପାଇଁ ଏକାଧିକ ଆଶାୟୀ ହୋଇପଡ଼ିଛି। ପାରାଦୀପରେ ପୌରାଧ୍ୟକ୍ଷ ଭାବେ ବସନ୍ତଙ୍କ ସହ ଚିନ୍ମୟ ପରିଡ଼ା ଓ ପୂର୍ବତନ ଜିଲ୍ଲାପରିଷଦ ସଭାପତି ସବିତା ମହାପାତ୍ର ମଧ୍ୟ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ଏହି ତିନି ଜଣଙ୍କ ନାଁକୁ ଦଳର ସୁପାରିସ ପାଇଁ ପଠାଇଛି। ଏହି ତିନି ଜଣଙ୍କ କଥାକୁ ବିଚାରକୁ ନେଲେ ଅଭିଜ୍ଞତା ଓ ସଂଗଠକ ଦୃଷ୍ଟିରୁ ବସନ୍ତ ଆଗୁଆ ଅଛନ୍ତି। ସବିତା ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଥିଲେ। ବର୍ତ୍ତମାନ ସମୟରେ ପାରାଦୀପରେ ତାଙ୍କ ନେତୃତ୍ବକୁ ଖୋଦ୍ ତାଙ୍କ ଦଳର ନେତା ଓ କର୍ମୀମାନେ କେତେ ମାନିବେ, ଏହା ସମୟ କହିବ। ମାତ୍ର ଚିନ୍ମୟ ହେଉଛନ୍ତି ରାଜନୀତିରେ ସମ୍ପୂର୍ଣ୍ଣ ନୂଆ। ତାଙ୍କ ବାପା କିଶୋର ପରିଡ଼ା ‌ପୌରାଧ୍ୟକ୍ଷ ପଦରେ ରହିଥିଲେ।

କିନ୍ତୁ ଚିନ୍ମୟ କେବେ ବି ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇ ନାହାନ୍ତି। ଚିନ୍ମୟଙ୍କ ସାନ ଭାଇ ରଶ୍ମିରଂଜନ ପରିଡ଼ା ବିଧାୟକ ସମ୍ବିତ ରାଉତରାୟଙ୍କ ପାରାଦୀପ ପୌରପାଳିକାର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବାରୁ ତାଙ୍କ ହ ସମ୍ପର୍କ ନିବିଡ଼। ଏଣୁ ଏଥର ଅଧ୍ୟକ୍ଷ ପଦ ପାଇଁ ଚିନ୍ମୟ ଆଶା ବାନ୍ଧିଥିବା ଶୁଣିବାକୁ ମିଳୁଛି। ପଞ୍ଚାୟତ ନିର୍ବାଚନରେ ବିଜେଡି ସାରା ରାଜ୍ୟରେ ଯେଉଁ ପ୍ରଦର୍ଶନ କଲା, ଏହା ଆଉ କାହାକୁ ଅଛପା ନାହିଁ। ଏହାସହ ଦଳରେ ଥିବା ଗୋଷ୍ଠୀ କନ୍ଦଳ କେତେ ଯେ ତୀବ୍ର ହେଲା, ଏହା ମଧ୍ୟ ସ୍ପଷ୍ଟ ଭାବେ ଜଣାପଡ଼ିଗଲା। ଏଣୁ ଯଦି ବିଜେଡି ଠିକ୍ ଭାବେ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଚୟନ ନ କରନ୍ତି, ତେବେ ନିଶ୍ଚିତ ଭାବେ ଏକ ବଡ଼ ଧରଣର ସମସ୍ୟା ମୁଣ୍ଡ ଟେକିବ। ବସନ୍ତଙ୍କ ସାଂଗଠନିକ ଦକ୍ଷତା କାହାକୁ ଅଛପା ନାହିଁ। ପୌରପାଳିକାର ସମସ୍ତ ୧୯ଟି ଯାକ ୱାର୍ଡରେ ତାଙ୍କର ନେଟୱର୍କ ରହିଛି। ଅନ୍ୟପଟେ ସବିତା ମଧ୍ୟ କିଛି କମରେ ନାହାନ୍ତି। ଯଦିଓ ଦୀର୍ଘ ବର୍ଷ ହେଲା ସେ ପ୍ରତ୍ୟେକ୍ଷ ନିର୍ବାଚନ ମଇଦାନକୁ ଓହ୍ଲାଇ ନାହାନ୍ତି, ତଥାପି ଦଳର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦବିରେ ତାଙ୍କୁ ସୁଯୋଗ ମିଳିଛି। ଏହାସହ ଦୀର୍ଘ ଦିନ ହେଲା ସେ ପାରାଦୀପରେ ରହୁଥିବାରୁ ୱାର୍ଡବାସୀଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ ଭଲ। ଆଉ ପାରାଦୀପରେ ଅଧ୍ୟକ୍ଷ ଭାବେ ଏକ ନୂଆ ମୁହଁର ଆବଶ୍ୟକତା ରହିଛି ବୋଲି ଖୋଦ୍ ବିଜେଡିର ଏକ ଗୋଷ୍ଠୀ ଦାବି କରିବା ସହ ଚିନ୍ମୟଙ୍କୁ ପ୍ରାର୍ଥୀ କରାଯିବା ଆବଶ୍ୟକ ବୋଲି ମତ ରଖିଛନ୍ତି। ଏଣୁ ଉଭୟ ମହିଳା, ଯୁବକ ଓ ସାଂଗଠନିକ ଦକ୍ଷତା ଥିବା ପ୍ରାର୍ଥୀଙ୍କୁ ଅଧ୍ୟକ୍ଷ କରାଗଲେ, କିଛି ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।

Related Articles

Back to top button
WP Twitter Auto Publish Powered By : XYZScripts.com