ଓଡ଼ିଶା

ବିଜାପୁର ଜିଲ୍ଲାରେ ଗୁଳିବିନିମୟ, ନକ୍ସଲ ସଂଗଠନର ଡେପୁଟି କମାଣ୍ଡର ରିତେଶ ପୁନେମ ନିହତ

ମାଲକାନଗିରି : ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଗୁଳିବିନିମୟ । ପୋଲିସ ଗୁଳିରେ ଜଣେ ହାଡକୋର ମାଓବାଦୀ ନିହତ । ମୃତ ମାଓବାଦୀ ହେଉଛନ୍ତି ବିଜାପୁର ନକ୍ସଲ ସଂଗଠନର ଡେପୁଟି କମାଣ୍ଡର ରିତେଶ ପୁନେମ । ତାଙ୍କ ମୁଣ୍ଡ ଉପରେ ପୂର୍ବରୁ ଛତିଶଗଡ ସରକାର ତିନି ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଘଟଣା ସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।
ତେବେ ଗୁଳି ବିନିମୟ ବେଳେ ରାମଲୁ ହେମଲା ନାମକ ଜଣେ ଯବାନ ଆହତ ହୋଇଥିବା ଜଣାପଡିଛି । ବିଜାପୁର ଜିଲ୍ଲାର ନେନଡ଼ ଥାନା ଅନ୍ତର୍ଗତ କେକା ଓ ମେସଲା ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ କରି ରହିଥିବା ନେଇ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା ଯାହାକୁ ଆଧାର କରି ଡିଆରଜି ଓ ସିଆରପିଏଫ ବାହିନୀ ପକ୍ଷରୁ ସେଠାରେ କୁମ୍ୱିଂ ଅପରେସନ ଆରମ୍ଭ ହୋଇଥିଲା । ଯବାନଙ୍କ ଆସିବା ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ ।
ପରେ ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହେବା ପରେ ନକ୍ସଲମାନେ ଘଟଣା ସ୍ଥଳ ଛାଡି ପଳାୟନ କରିଛନ୍ତି । ଆହତ ଯବାନଙ୍କୁ ରେସକ୍ୟୁ କରିବା ପାଇଁ ଡିଆରଜି ବାହିନୀର ଏକ ଟିମକୁ ଘଟଣା ସ୍ଥଳକୁ ପଠା ଯାଇଥିବା ଜଣାପଡିଛି । ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିବା ନେଇ ସୂଚନା ଦେଇଛନ୍ତି ବିଜାପୁର ଏସପି କୋମଳ ଲୋଚନ କାଶ୍ୟବ ।

Related Articles

Back to top button
WP Twitter Auto Publish Powered By : XYZScripts.com