କ୍ରୀଡ଼ା

ବିଶ୍ୱକପ: ଭାରତୀୟ ମହିଳା ଦଳର ବିଶାଳ ବିଜୟ, ୧୫୫ ରନରେ ହାରିଲା ୱେଷ୍ଟଇଣ୍ଡିଜ

ହାମିଲଟନ: ନ୍ୟୁଜିଲ୍ୟାଣ୍ଡରେ ଚାଳିଥିବା ଦିନିକିଆ ମହିଳା ବିଶ୍ୱକପରେ ଭାରତ ଦ୍ୱିତୀୟ ବିଜୟ ହାସଲ କରିଛି। ଅଧିନାୟକ ମିତାଲି ରାଜଙ୍କ ବିଶ୍ୱକପର ରେକର୍ଡ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜଙ୍କୁ ବିଶାଳ ୧୫୫ ରନ୍‌ରେ ହରାଇ ଦେଇଛି। ମ୍ୟାଚ୍‌ରେ ପ୍ରଥମ ବ୍ୟାଟିଂ କରିଥିବା ଭାରତ ଓପନର ସ୍ମୃତି ମନ୍ଧାନା ଓ ଉପ ଅଧିନାୟକ ହରମନପ୍ରୀତ କୌରଙ୍କ ଦମଦାର ଶତକ ବଳରେ ୮ ୱିକେଟ ହରାଇ ୩୧୭ ରନ୍‌ କରିଥିଲା।

ଏହାର ଜବାବରେ ଇଣ୍ଡିଜ ମହିଳା ଟିମ୍‌ ୧୬୨ ରନ୍‌ରେ ଅଲଆଉଟ ହୋଇଯାଇଛି। ଭାରତ ଚଳିତ ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ ଆୟୋଜକ ନ୍ୟୁଜିଲ୍ୟାଣ୍ଡ ଠାରୁ ୬୨ ରନ୍‌ରେ ହାରିଥିଲା। ଆଜି ଦଳ ଜବରଦସ୍ତ କମବ୍ୟାକ୍‌ କରି ଇଣ୍ଡିଜ ଟିମ୍‌କୁ ହରାଇଛି।

ଭାରତ ଦେଇଥିବା ୩୧୮ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ଇଣ୍ଡିଜ ପାଇଁ ଦୁଇ ଓପନର ଡିଏଣ୍ଡ୍ରା ଡଟିନ ଓ ହାଲେ ମାଥ୍ୟୁସ ଜବରଦସ୍ତ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ମାତ୍ର ୧୨ ଓଭର୍‌ରେ ୧୦୦ ରନ୍‌ ଯୋଡ଼ିଥିଲେ। ଏଥିସହ ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ।

କିନ୍ତୁ ଏହି ସମୟରେ ସ୍ନେହା ରଣା ୪୬ ବଲ୍‌ରେ ୬୨ ରନ୍‌ କରିଥିବା ଡଟିନଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହି ଠାରୁ ଇଣ୍ଡିଜ ଟିମ୍‌ର ବିପର୍ଯ୍ୟୟ ଆରମ୍ଭ ହୋଇଥିଲା। ରାଣାଙ୍କ ପରେ ମେଘନା ସିଂହ କାଇଶୋନା ନାଇଟ(୫) ଓ ଅଧିନାୟକ ଷ୍ଟେଫାନୀ ଟେଲର୍(୧)ଙ୍କୁ ଆଉଟ କରି ଯୁଗଳ ଝଟକା ଦେଇଥିଲେ।

ଭଲ ଲୟରେ ଥିବା ମାଥ୍ୟୁସ(୪୩)ଙ୍କୁ ୧୯ତମ ଓଭରରେ ଆଉଟ କରି ରାଣା ଇଣ୍ଡିଜ ଟିମକୁ ସଂପୂର୍ଣ୍ଣ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଶେମେନ୍ କ୍ୟାମ୍ପବେଲ୍(୧୧), ଚିନେଲ୍ ହେନରୀ(୭), ଆଲିୟା ଆଲେନ୍(୪) ଓ ଅନିସା ମହମ୍ମଦ (୨) ନିରାଶ କରିଥିଲେ।

ଶାମିଲିଆ କୋନ୍ନେଲ(୦)ଙ୍କୁ ରାଣା ଆଉଟ କରି ଇଣ୍ଡିଜ ଟିମକୁ ୯ମ ଝଟକା ଦେଇଥିଲେ। କିଛି ସମୟ ପାଇଁ ଚେଡିନ୍ ନେଶନ୍(୧୯) ଲଢ଼େଇ କରିଥିଲେ ମଧ୍ୟ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା। ତାଙ୍କୁ ଦୀପ୍ତି ଶର୍ମା ରନ ଆଉଟ କରି ଇଣ୍ଡିଜ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଏଥିସହ ଇଣ୍ଡିଜ୍ ଟିମ୍ ୪୦ ଓଭରରେ ୧୬୨ ରନ୍ କରି ଅଲଆଉଟ ହୋଇଯାଇଥିଲା।

ଭାରତ ପକ୍ଷରୁ ରାଣା ୩ଟି ୱିକେଟ ନେଇଥିବା ବେଳେ ଝୁଲଣ ଗୋସ୍ୱାମୀ ୧, ମେଘନା ସିଂହ ୨, ରାଜେଶ୍ୱରୀ ଗାଏକ୍ୱାଡ ୧ ଓ ପୂଜା ଭସ୍ତ୍ରକର ଗୋଟିଏ ସଫଳତା ପାଇଛନ୍ତି।

ଏହାପୂର୍ବ ମହିଳା ବିଶ୍ୱକପରେ କ୍ୟାପ୍ଟେନ ଭାବେ ସର୍ବାଧିକ ଥର ଅବତୀର୍ଣ୍ଣ ହେବାର କୀର୍ତ୍ତିମାନ ମିତାଲି ରାଜ ଆଜି ସୃଷ୍ଟି କରିଥିଲେ। ମିତାଲିଙ୍କ ନେତୃତ୍ୱରେ ଭାରତ ୨୪ତମ ବିଶ୍ୱକପ ମ୍ୟାଚ୍ ଖେଳିବାକୁ ମୈଦାନକୁ ଓହ୍ଲାଇଥିଲା। ଏହି ମ୍ୟାଚରେ ସେ ଟସ୍ ମଧ୍ୟ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ।

ଭାରତ ପକ୍ଷରୁ ସ୍ମୃତି ମନ୍ଧାନା(୧୨୩) ଓ ହରମନପ୍ରୀତ କୌର (୧୦୯) ଶତକ ହାସଲ କରିଥିଲେ। ଏଥିସହ ଉଭୟ ୪ର୍ଥ ୱିକେଟ ପାଇଁ ରେକର୍ଡ ୧୮୪ ରନ୍‌ର ଭାଗିଦାରୀ ମଧ୍ୟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୟାସ୍ତିକା ଭାଟିଆ ୩୧ ରନ ଇନିଂସ ଖେଳିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com