ଜାତୀୟରାଜନୀତି

କଂଗ୍ରେସକୁ ଜି-୨୩ ଟେନସନ୍ : ମାନସ ମନ୍ଥନ ପୂର୍ବରୁ ୨୦୨୪ ପାଇଁ ଦଳକୁ ଦେଲେ ପରାମର୍ଶ, ପୁଣି ଉଠାଇଲେ ଶକ୍ତି ସଂଗ୍ରହର ଦାବି

ନୂଆଦିଲ୍ଲୀ() ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟରେ ହାରିବା ପରେ କଂଗ୍ରେସ ପାଇଁ ଅଡୁଆ ବଢିବାରେ ଲାଗିଛି । ପରାଜୟ ପରେ ଜି୨୩ ନେତା ଦଳରେ ବିଦ୍ରୋହ କଲେଣି । ସେମାନେ ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କରୁଛନ୍ତି । ଏପରିକି ବୁଧବାର ଗୁଲାମ ନବୀ ଆଜାଦଙ୍କ ଘରେ ୧୮ ନେତା ବୈଠକ କରିଥିଲେ । ଏହାମଧ୍ୟରୁ କିଛି ନେତା ଜି୨୩ର ଥିଲା ବେଳେ ଆଉ କିଛି ନୂଆ ନେତା ମଧ୍ୟ ରହିଥିଲେ । ଏଥିରୁ ଧିରେଧିରେ ଜି୨୩ର କଳେବର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।

ବୈଠକରେ ନେତାମାନେ କହିଛନ୍ତି ଯେ, ସମାନ ବିଚାରଧାରା ଥିବା ଛୋଟଛୋଟ ଦଳ ସହ କଂଗ୍ରେସ ମେଣ୍ଟ କରିବା ଆବଶ୍ୟକ । ୨୦୨୪ ସାଧାରଣ ନିର୍ବାଚନକୁ ନଜରରେ ରଖି ଏପରି ପରାମର୍ଶ ଦିଆଯାଇଛି ।

ଏହି ବୈଠକରେ ୬ଟି ରାଜ୍ୟର ନେତା ସାମିଲ ଥିଲେ । ଗାନ୍ଧୀ ପରିବାରକୁ ସିଧାସଳଖ ଟାର୍ଗେଟ କରିଥିବା କପିଲ ସିବଲଙ୍କ ସହ ଆନନ୍ଦ ଶର୍ମା ଓ ପୃଥ୍ୱୀରାଜ ଚୌହାନ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । ଏହି ସବୁ ନେତା ଜି୨୩ରେ ସାମିଲ ଅଛନ୍ତି । ଉଭୟ ଗତବର୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଦଳରେ ଆମୂଳଚୁଳ ପରିବର୍ତ୍ତନ ପାଇଁ ଦାବି କରିଥିଲେ ।

ସେହିପରି ବୈଠକରେ ଭୁପିନ୍ଦର ସିଂ ହୁଡ୍ଡା, ରାଜ ବ୍ବର, ଶଙ୍କର ସିଂ ବଘେଲା, ମଣିଶଙ୍କର ଆୟର ସାମିଲ ଥିଲେ । ଏହି ନେତାମାନେ ଜି୨୩ରେ ନାହାଁନ୍ତି । ସବୁଠାରୁ ବଡ କଥା ହେଉଛି ଯେ, ଶଶି ଥରୁର ମଧ୍ୟ ଉପସ୍ଥିତ ରହିଥିଲେ । ସେ ସୋନିଆଙ୍କୁ ଚିଠି ଲେଖିଥିବା ନେତାଙ୍କ ମଧ୍ୟରେ ରହିଥିଲେ ମଧ୍ୟ ଦୁଇବର୍ଷ ହେଲା ଜି୨୩ଠୁ ଦୂରରେ ଥିଲେ ।

ସୂଚନାଯୋଗ୍ୟ, ଏହି ବୈଠକ କପିଲ ସିବଲଙ୍କ ଘରେ ହେବାର ଥିଲା ।  କିନ୍ତୁ ନେତାମାନେ ଗାନ୍ଧୀ ପରିବାର ବିରୋଧରେ ଯିବାକୁ ଚାହିଁନଥିଲେ । ଶେଷରେ କାର୍ଯ୍ୟସୂଚୀ ବଦଳାଯାଇ ଗୁଲାମ ନବୀ ଆଜାଦଙ୍କ ଘରେ ସମସ୍ତେ ଏକତ୍ର ହୋଇଥିଲେ । ସେପଟେ ଦଳ ପକ୍ଷରୁ ଆସନ୍ତା ମାସରେ ଏକ ମାନସ ମନ୍ଥନ ଶିବିରର ଆୟୋଜନ ନେଇ ନିଷ୍ପତ୍ତି ମଧ୍ୟ ହୋଇସାରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com