କ୍ରୀଡ଼ା

ମହିଳା ବିଶ୍ୱକପ : ‘କର ବା ମର’ ମୁକାବିଲା ଜିତିଲା ଟିମ୍ ଇଣ୍ଡିଆ, ବାଂଲାଦେଶ ୧୧୦ ରନରେ ପରାସ୍ତ

ନୂଆଦିଲ୍ଲୀ: କର ବା ମର ମୁକାବିଲାରେ ଭାରତୀୟ ମହିଳା ଦଳ ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ଲିଗ୍ ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରିଛି । ଦଳ ୧୧୦ ରନରେ ବାଂଲାଦେଶକୁ ମାତ୍ ଦେଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨୨୯ ରନ୍ କରିଥିଲା । ଜବାବରେ ବାଂଲାଦେଶ ୧୧୯ ରନରେ ଅଲଆଉଟ୍ ହୋଇଯାଇଥିଲା ।
ମଙ୍ଗଳବାର ମୁକାବିଲାରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । କିନ୍ତୁ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଥିଲା । ତେବେ ସ୍ମୃତି ମନ୍ଧନା, ସେଫାଳି ଓ ୟାସ୍ତିକା ସ୍ଥିତି ସମ୍ଭାଳିଥିଲେ ।  ୟାସ୍ତିକା ଭାଟିକା ସର୍ବାଧିକ ୫୦ ରନ୍ କରିଥିବା ବେଳେ ସେଫାଳି ବର୍ମା ୪୨ ଓ ସ୍ମୃତି ମନ୍ଧାନା ୩୦ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରିଚା ଘୋଷ ୨୬ ଓ ହରମନପ୍ରିତ କୌର ୧୪ ରନ୍ କରିଥିଲେ ।  ଫଳରେ ଦଳ୭ ଓ୍ୱିକେଟ୍ ହରାଇ ୨୨୯ ରନ୍ କରିପାରିଥିଲା ।ଏହାସହ ବାଂଲାଦେଶକୁ ୨୩୦ ରନର ଟାର୍ଗେଟ୍ ଦେଇଥିଲା ଭାରତ ।
ସେହିପରି ବାଂଲାଦେଶ ପକ୍ଷରୁ ରିତୁ ମୋନି ସର୍ବାଧିକ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ମାହିଦା ଆଖତର ଦୁଇଟି ଓ ଜାହାନାରା ଆଲମ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।
୨୩୦ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବାଂଲାଦେଶ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଦଳର ୬ ବ୍ୟାଟର ଦୁଇ ଅଙ୍କ ଛୁଇଁପାରିନଥିଲେ । କେବଳ ସଲମା ଖାତୁନ ୩୨ ରନ୍ କରିଥିଲେ । ଭାରତ ପକ୍ଷରୁ ସ୍ନେହା ରଣା ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଝୁଲଣ ଗୋସ୍ୱାମୀ ଓ ପୂଜା ଭାସ୍ତରକର ଦୁଇଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ । ଏହି ବିଜୟ ସହ ଭାରତର ସେମିଫାଇନାଲ ଖେଳିବା ଆଶା ଉଜ୍ଜୀବିତ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com