ଜାତୀୟରାଜନୀତି

ଲୋକସଭାରୁ ଇସ୍ତଫା ଦେଲେ ଅଖିଳେଶ ଯାଦବ, ଆଜମ ଖାନ ମଧ୍ୟ ଛାଡିଲେ ତାଙ୍କ ସଂସଦ ସଦସ୍ୟତା

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି (ସପା) ସଭାପତି ଅଖିଳେଶ ଯାଦବ ଓ ପାର୍ଟିର ସାଂସଦ ଆଜମ ଖାନ ମଙ୍ଗଳବାର ସେମାନଙ୍କ ଲୋକସଭା ସଦସ୍ୟତା ତ୍ୟାଗ କରିଛନ୍ତି। ନିକଟରେ ଶେଷ ହୋଇଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଉଭୟ ନେତା ବିଧାୟକ ନିର୍ବାଚିତ ହୋଇଛନ୍ତି। ଏଣୁ ଅଖିଳେଶ ତାଙ୍କ ଆଜମଗଡ଼ ଓ ଆଜମ ଖାନ ତାଙ୍କ ରାମପୁର ଲୋକସଭା ଆସନରୁ ଇସ୍ତଫା ଦେଇଛନ୍ତି।

ରେକର୍ଡ ଭୋଟରେ ହରାଇଥିଲେ ବାଘେଲଙ୍କୁ
ଗତ ବିଧାନସଭା ନିର୍ବାଚନରେ ଅଖିଳେଶ କରହଲ ଆସନରୁ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ବେଳେ ତାଙ୍କ ନିକଟତମ ବିଜେପି ପ୍ରତିଦ୍ୱନ୍ଦ୍ୱୀ ଏସ.ପି.ସିଂହ ବଘେଲଙ୍କୁ ୧ଲକ୍ଷ ୪୮ ହଜାର ୧୯୬ ରେକର୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ଅଖିଳେଶ ଓ ଜେଲରେ ବନ୍ଦୀ ତାଙ୍କ ଦଳୀୟ ନେତା ଆଜମ ଖାନ ଉଭୟ ମଙ୍ଗଳବାର ଲୋକସଭା ବାଚସ୍ପତି ଓମ ବିରଳାଙ୍କୁ ସେମାନଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଅଖିଳେଶଙ୍କ ସପାକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏଣୁ ଲୋକେ ଅନୁମାନ କରୁଥିଲେ ହୁଏତ ଅଖିଳେଶ ସଂସଦ ସଦସ୍ୟତା ଆଉ ତ୍ୟାଗ କରି ନ ପାରନ୍ତି। ତେବେ ଭୋଟରଙ୍କ ଆସ୍ଥାକୁ ଦୃଷ୍ଟିରେ ରଖି ବିଧାନସଭା ଆସନ ଲାଗି ଅଖିଳେଶ ତାଙ୍କ ଲୋକସଭା ଆସନକୁ ତ୍ୟାଗ କରିଦେଇଛନ୍ତି । ଆଜମ ଖାନଙ୍କ କ୍ଷେତ୍ରରେ ମଧ୍ୟ ସମାନ ଆକଳନ କରାଯାଉଥିଲା। ତେବେ ଉଭୟ ନେତାଙ୍କ ନିଷ୍ପତ୍ତି ଏବେ ଜନତାଙ୍କୁ ଚକିତ କରିଛି।

ଭୋଟରଙ୍କ ପାଖେପାଖେ ରହିବେ ଅଖିଳେଶ
ବିଧାନସଭା ନିର୍ବାଚନରେ ମିଳିଥିବା ପରାଜୟକୁ ନଜରରେ ରଖି ଅଖିଳେଶ ଓ ଆଜମ ତାଙ୍କ ଭୋଟରଙ୍କ ପାଖେପାଖେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଲୋକସଭା ସାଂସଦ ଭାବେ ସେମାନଙ୍କ ଅଧିକାଂଶ ସମୟ ଦିଲ୍ଲୀରେ କଟୁଥିଲା। ଏଣୁ ସେମାନେ ରାଜ୍ୟ ରାଜନୀତିରୁ ଦୂରତା ପସନ୍ଦ କରୁଥିବା କଥା ଚର୍ଚ୍ଚା ହେଉଥିଲା। ଏଥର ଅଖିଳେଶଙ୍କ ଦଳ ଆଜମଗଡରେ ମଧ୍ୟ ଭଲ ପ୍ରଦର୍ଶନ କରିଛି। ଏଣୁ ବିଧାନସଭା ଆସନ  ଦଳ ହାତେଇ ନେଇଥିବାରୁ ଲୋକସଭା ଆସନ ଛାଡିବାକୁ ଅଖିଳେଶ ଉଚିତ ମନେ କରିଛନ୍ତି।

ଯୋଗୀଙ୍କୁ ସହଜ ହେବନି ଏଥରର ବିଧାନସଭା
ଏଥର ନିର୍ବାଚନରେ ସପାକୁ ୨ ଗୁଣାରୁ ବି ଅଧିକ ଆସନ ମିଳିଛି। ଏଣୁ ଅଖିଳେଶ ବିଧାନସଭାରେ ବିରୋଧୀ ଦଳ ନେତା ଦାୟିତ୍ୱ ତୁଲାଇବେ। ବିରୋଧୀ ଦଳ ଭାବେ ସପା ରାଜ୍ୟରେ ଏବେ ମଜଭୁତ ସ୍ଥିତିରେ ଅଛି। ଏଣୁ ଅଖିଳେଶ ଲୋକସଭା ଛାଡିବା ଉଚିତ ମନେ କରିଛନ୍ତି। ବିଜେପି ପୁଣି ସରକାର ହାତେଇ ଥିଲେ ବି ଆସନ ସଂଖ୍ୟା ହ୍ରାସ ହୋଇଛି। ଏଣୁ ମଜଭୁତ ବିରୋଧୀ ଭାବେ ସରକାରଙ୍କୁ ବିଧାନସଭା ଓ ଏମଏଲସିରେ ମୁକାବିଲା କରିବା ଲାଗି ରାଜ୍ୟ ରାଜନୀତି ମୈଦାନକୁ ଅଖିଳେଶ ସିଧା ଲମ୍ପ ପ୍ରଦାନ କରିଛନ୍ତି। ଏଣୁ ଏଥର ଯୋଗୀଙ୍କୁ ବିଧାନସଭା ପୂର୍ବ ଥର ଭଳି ଏତେ ସହଜ ଲାଗି ନପାରେ, ଯେଉଁଠି ସେ ନିଜ ଇଛା ମୁତାବକ ଆଇନ ଗୃହୀତ କରାଇନେବେ।

୨୦୨୪ରେ ବିଜେପିକୁ କଣ୍ଟାରେ ଟକ୍କର ଦେବ ସପା
ଅଖିଳେଶ ଭାବପ୍ରବଣତା ନୁହେଁ ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପୋଖତ ରାଜନେତା ଭଳି ନିଷ୍ପତ୍ତି ନେଇଛନ୍ତି। କେବଳ ଉତ୍ତରପ୍ରଦେଶରେ ରହିଛି ଲୋକସଭାର ୮୦ଟି ଆସନ। ଏଣୁ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ରାଜ୍ୟରେ ମୁକାବିଲା କରିବା ସପା ଲାଗି ଏବେ ଚାଲେଞ୍ଜରେ ପରିଣତ ହୋଇଛି। ଏଣୁ ବିରୋଧୀ ଦଳ ନେତା ଭାବେ ରାଜ୍ୟରେ ଲୋକସଭା ନିର୍ବାଚନ ଲାଗି ଏବେଠୁ ରଣନୀତି ପ୍ରସ୍ତୁତ କରିପାରିବେ ଅଖିଳେଶ। ଯେପରି  ସାଧାରଣ ନିର୍ବାଚନରେ ବିଜେପିକୁ କଣ୍ଟାରେ ଟକ୍କର ଦେଇପାରିବ ସପା।

Related Articles

Back to top button
WP Twitter Auto Publish Powered By : XYZScripts.com