ଅନ୍ୟାନ୍ୟ

ହାଇଦ୍ରାବାଦ ଗୋଦାମରେ ଅଗ୍ନିକାଣ୍ଡ; ପୋଡ଼ି ହୋଇ ୧୧ଜଣ ବିହାରୀ ପ୍ରବାସୀ ଶ୍ରମିକ ମୃତ

ହାଇଦ୍ରାବାଦ୍() ପାହାନ୍ତା ପ୍ରାୟ ୪ଟା ବେଳେ ହାଇଦ୍ରାବାଦ୍‌ର ଭୋଇଗୁଡ଼ା ଅଞ୍ଚଳରେ ଥିବା ଗୋଟାଏ କବାଡ଼ିଆ ‌ଗୋଦାମରେ ନିଆଁ ଲାଗିଯିବାରୁ ୧୧ଜଣ ପ୍ରବାସୀ ବିହାରୀ ଶ୍ରମିକଙ୍କର ମୃତ୍ୟୁ ଘଟିଛି।

ଅଘଟଣରେ ବ୍ୟଥିତ ହୋଇ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଶୋକବ୍ୟକ୍ତ କରିବା ସହିତ ପ୍ରତି ମୃତ ଶ୍ରମିକଙ୍କ ସକାଶେ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଅର୍ଥରାଶି ଘୋଷଣା କରିଛନ୍ତି। ଉଦ୍ଧାର ‌ହୋଇଥିବା ଶବଗୁଡ଼ିକ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବାରୁ ଆଉ ଚିହ୍ନିବା ପରିସ୍ଥିତିରେ ନାହିଁ।

ପ୍ରାପ୍ତ ସୂଚନା ଅନୁସାରେ, ବିଜୁଳି ସର୍ଟ ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଏବେ ଅଧିକ ତଦନ୍ତ ଆରମ୍ଭ ହୋଇଛି। କେନ୍ଦ୍ରୀୟ ଜୋନ୍‌ର ଡେପୁଟି ପୋଲିସ୍‌ କମିସନର୍‌ କହିଛନ୍ତି, ଭସ୍ମୀଭୂତ ଗୋଦାମ ଘରୁ ୧୧ଜଣ ଶ୍ରମିକଙ୍କ ଶବ ଉଦ୍ଧାର କରାଯାଇ ଔପଚାରିକ ପ୍ରକ୍ରିୟା ନିମନ୍ତେ ଗାନ୍ଧୀ ହସ୍ପିଟାଲ୍‌କୁ ପଠାଯାଇଛି।

Image Courtesy of The Madras Tribune

ମୃତ ଶ୍ରମିକମାନେ ଥିଲେ ବିହାରର ବାସିନ୍ଦା। ସିକନ୍ଦରାବାଦ ରେଳ ଷ୍ଟେସନ୍‌ ନିକଟ ଜନବହୁଳ ଆବାସିକ କଲୋନିରେ ଥିବା କବାଡ଼ିଆ ଗୋଦାମରେ କାମ କରିବା ପାଇଁ ସେମାନଙ୍କୁ ନିଯୁକ୍ତି ମିଳିଥିଲା। ନିଆଁ ଲାଗିବା ବ‌େଳେ ଗୋଦାମର ଉପର ମହଲାରେ ପ୍ରାୟ ୧୩ଜଣ ଶ୍ରମିକ ଶୋଇଥିଲେ। କୌଣସି ମତେ ଜଳନ୍ତା ଗୋଦାମରୁ ବାହାରି ଆସିଥିବା ଜଣେ ଗୁରୁତର ଆହତ ଶ୍ରମିକଙ୍କୁ ଗାନ୍ଧୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଅଗ୍ନିକାଣ୍ଡ ସ୍ଥଳରେ ୮ଟି ଦମକଳ ପହଞ୍ଚି ସକାଳ ପ୍ରାୟ ୭ଟା ବେଳେ ନିଆଁ ଲିଭାଇବାକୁ ସମର୍ଥ ହୋଇଥିଲେ। ରାଜ୍ୟମନ୍ତ୍ରୀ ତଲାସନୀ ଶ୍ରୀନିବାସ ଯାଦବ ଘଟଣାସ୍ଥଳ ପରିଦର୍ଶନ କରିବା ସହ ମୃତବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com