ଅନ୍ତର୍ଜାତୀୟରାଜନୀତି

ୱାଙ୍ଗ ୟିଙ୍କ ସହ ୩ ଘଣ୍ଟା କାଳ ଆଲୋଚନା କଲେ ଏସ୍.ଜୟଶଙ୍କର, ଏଲଏସି, କାଶ୍ମୀର ଓ ୟୁକ୍ରେନକୁ ନେଇ ହେଲା କଥାବାର୍ତ୍ତା

ନୂଆଦିଲ୍ଲୀ : ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ନୂଆଦିଲ୍ଲୀରେ ଶୁକ୍ରବାର ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ଆଲୋଚନା କରିଛନ୍ତି। ଦୀର୍ଘ ୩ ଘଣ୍ଟା କାଳ ଚାଲିଥିବା ଆଲୋଚନାରେ ପୂର୍ବ ଲଦ୍ଦାଖ ବିବାଦ, ୟୁକ୍ରେନ ଯୁଦ୍ଧ ଯୋଗୁ ଉପୁଜିଥିବା ଭୂ- ରାଜନୈତିକ ସଂକଟ ଓ  କାଶ୍ମୀର ଆଦି ପ୍ରସଙ୍ଗ ସ୍ଥାନ ପାଇଥିଲା। ଏହି ଆଲୋଚନା କାଳରେ କାଶ୍ମୀରକୁ ନେଇ ୱାଙ୍ଗ ୟିଙ୍କ ବୟାନ ଉପରେ ଜୟଶଙ୍କର ଆପତ୍ତି କରିଛନ୍ତି।
ସାକ୍ଷାତ ଆଲୋଚନା ପରେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର କାଶ୍ମୀରକୁ ନେଇ ୱାଙ୍ଗ ୟିଙ୍କ ବୟାନ କାହିଁକି ଆପତ୍ତିଜନକ ସେ ବାବଦରେ ବିସ୍ତୃତ ବୁଝାଇ ଦେଇଥିବା କହିଛନ୍ତି। ସେହିପରି ଭାରତକୁ ନେଇ ଚୀନ୍‌ର ଏକ ସ୍ୱତନ୍ତ୍ର ନୀତି ରହିବା ଦରକାର ଓ କୌଣସି ଦେଶ ଅଥବା ପ୍ରସଙ୍ଗରେ ପ୍ରଭାବିତ ହୋଇ ଅବାନ୍ତର ମତ ମନ୍ତବ୍ୟରୁ ଚୀନ୍ ବର୍ତ୍ତିବା ଦରକାର ବୋଲି ଜୟଶଙ୍କର ୱାଙ୍ଗ ୟିଙ୍କୁ କହିଛନ୍ତି।
ଦୁଇ ଦେଶଙ୍କ ବୈଦେଶିକ ମନ୍ତ୍ରୀସ୍ତରୀୟ ଏହି ସାକ୍ଷାତ ଆଲୋଚନାରେ ସେହି ସବୁ ଦ୍ୱିପାକ୍ଷିକ ସମ୍ପର୍କ ମଧ୍ୟ ସ୍ଥାନ ପାଇଥିଲା, ଯାହା ଏପ୍ରିଲ ୨୦୨୦ରେ ଚୀନର କାର୍ଯ୍ୟାନୁଷ୍ଠାନର ପରିଣାମ ସ୍ୱରୂପ ବାଧିତ ହୋଇଥିଲା। ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ପରିସ୍ଥିତିକୁ ୱାର୍କ ଇନ ପ୍ରୋଗ୍ରେସ୍ କୁହାଯାଇ ପାରେ ବୋଲି ଜୟଶଙ୍କର କହିଛନ୍ତି। ତେବେ ଏହା ମଧ୍ୟ ଧିମା ଗତିରେ ହେଉଛି, ଏଲଏସିରେ ଡିସଏନଗେଜମେଣ୍ଟ ଲାଗି ଏହାକୁ ଆଗକୁ ନେଇଯିବାର ଆବଶ୍ୟକତା ରହିଛି ବୋଲି ଜୟଶଙ୍କର କହିଛନ୍ତି।
ୱାଙ୍ଗ ଗୁରୁବାର କାବୁଲରୁ ସିଧା ନୂଆ ଦିଲ୍ଲୀ ପହଞ୍ଚିଥିଲେ। ତାଙ୍କର ଏହି ଗସ୍ତ ନେଇ ପୂର୍ବରୁ କୌଣସି ଅଧିକାରୀକ ବୟାନ ଅଥବା ସୂଚନା ଦିଆଯାଇନଥିଲା। ଏଣୁ ଶୁକ୍ରବାର ଚୀନ୍‌ ବିଦେଶମନ୍ତ୍ରୀଙ୍କ ସହ ଆଲୋଚନା ପୂର୍ବରୁ ଏସ୍.ଜୟଶଙ୍କର ଏକ ଟ୍ୱିଟ୍‌ କରିଥିଲେ। ଏଥିରେ ହାଇଦ୍ରାବାଦ ହାଉସ୍‌ରେ ଚୀନ୍‌ ବିଦେଶମନ୍ତ୍ରୀଙ୍କୁ ଅଭିବାଦନ କରିବା ସହ ଆମର ଆଲୋଚନା ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଉଲ୍ଲେଖ କରିଥିଲେ। ୱାଙ୍ଗଙ୍କ ଯାତ୍ରାରେ ଭାରତ ପକ୍ଷରୁ ଏହା ପ୍ରଥମ ଅଧିକାରୀକ ଟିପ୍ପଣୀ ଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com