ଅନ୍ୟାନ୍ୟ

୧୦୦ ଫୁଟ ଗଭୀର ଖାଇକୁ ଖସିଲା ବସ୍‌: ଦୁର୍ଘଟଣାରେ ୮ ମୃତ, ୪୦ ଆହତ

ତିରୁପତି: ଆନ୍ଧ୍ରପ୍ରଦେଶର ଚିତୁର ଜିଲ୍ଲାରେ ଗତ ରାତିରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ୮ ଜଣ ଲୋକଙ୍କ ମୃତ୍ୟୁ ଘଟିବା ସହ ୪୦ ଜଣ ଆହତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକମ୍ପା ରାଶି ଘୋଷଣା କରାଯାଇଛି। ସୂଚନାଯୋଗ୍ୟ ମଦନପଲ୍ଲୀ ଓ ତିରୁପତି ମଧ୍ୟରେ ଶନିବାର ରାତ୍ରି ପ୍ରାୟ ସାଢ଼େ ୧୦ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସର କହିବା ଅନୁସାରେ ପ୍ରାୟ ୫୦ ଜଣ ପରିବାର ସଦସ୍ୟ ଓ ତାଙ୍କ ବନ୍ଧୁମାନେ ଏକ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ତିରୁଚାନୁର ଯାଉଥିଲେ ଯାହା ତିରୁପତିଠାରୁ ପ୍ରାୟ ୫ କିମି ଦୂର। କିନ୍ତୁ ଶେଷାଚଳମ୍ ଘାଟି ରାସ୍ତାରେ ଯାଉଥିବା ବେଳେ ଘରୋଇ ବସ୍‌ଟି ଭାରସାମ୍ୟ ହରାଇ ୧୦୦ ଫୁଟ ତଳେ ଥିବା ଖାଇକୁ ଖସିପଡ଼ିଥିଲା। ଏଥିରେ ଡ୍ରାଇଭରଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ବିଳମ୍ବିତ ରାତ୍ରି ହୋଇଥିବାରୁ ଦୁର୍ଘଟଣା ବିଷୟରେ ୨ ଘଣ୍ଟା ଯାଏ ଜଣାପଡ଼ି ନ ଥିଲା। ଗଭୀର ଖାଇରେ ମୋବାଇଲର ସିଗ୍ନାଲ ବି ନ ଥିଲା। ୨ ଘଣ୍ଟା ପରେ କିଛି ଲୋକେ ଉପତ୍ୟକାରୁ କ୍ରନ୍ଦନ ରୋଳ ଶୁଣି ପୁଲିସକୁ ଖବର ଦେଇଥିଲେ। ଜଗନମୋହନ ରେଡ୍ଡୀ ସରକାର ସମସ୍ତ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com