ଓଡ଼ିଶା

ଆଜି ନେତ୍ର ଉତ୍ସବ: ଆସନ୍ତାକାଲି ଗଡିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର: ଆଜି ନେତ୍ର ଉତ୍ସବ । ପ୍ରତିଷ୍ଠା ହେବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୨୦ ତାରିଖଠାରୁ ରଥଖଳାରେ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ଯ ଶେଷ ପର୍ଯ୍ଯାୟରେ ପହଞ୍ଚିଛି । ଦଶପଲ୍ଲାରୁ ରଥ କାଠ ଆସିବା ପରେ ୫୫ ଜଣ ମହାରଣା ସେବାୟତ ରଥ ନିର୍ମାଣରେ ନିୟୋଜିତ ଅଛନ୍ତି । ଆସନ୍ତାକାଲି ଗଡ଼ିବ ବାବାଙ୍କ ଅଣଲେଉଟା ରୁକୁଣା ରଥ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ ।

ଆସନ୍ତାକାଲି ଆଶୋକାଷ୍ଟମୀରେ ପରମ୍ପରା ଓ ନୀତିକାନ୍ତି ସହ ପହଣ୍ଡି ପରେ ଅପରାହ୍ନ ସାଢ଼େ ୩ଟାରେ ରଥଟଣା । ୫ ଦିନ ବ୍ୟାପୀ ହେବାକୁ ଥିବା ରୁକୁଣା ରଥଯାତ୍ରା ହେବାକୁ ଥିବାବେଳେ ୧୩ ତାରିଖରେ ହେବ ବାହୁଡ଼ା । ଦୁଇବର୍ଷ ପରେ ରୁକୁଣା ରଥଯାତ୍ରାରେ ସାମିଲ ହେବେ ଭକ୍ତ । ଶ୍ରଦ୍ଧାଳୁଙ୍କୁ ମିଳିବ ରଥ ଟାଣିବାର ସୁଯୋଗ । କରୋନା କଟକଣା ଯୋଗୁଁ ୨୦୨୦ରେ ଶେଷ ମୂହୁର୍ତ୍ତରେ ରଥଯାତ୍ରାକୁ ବନ୍ଦ କରିଥିଲା ପ୍ରଶାସନ । ୨୦୨୧ରେ ବିନା ଭକ୍ତରେ ହୋଇଥିଲା ରଥଯାତ୍ରା । ଚଳିତ ବର୍ଷ ଭକ୍ତ ସାମିଲ ହେବାକୁ ଥିବାରୁ ସମସ୍ତଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା । ୩୬ପାଳିଆ ସେବାୟତଙ୍କ ଦ୍ୱାରା ରୁକୁଣା ରଥର ନୀତିକାନ୍ତି ସମାପନ ହେବ। ଚଳିତବର୍ଷ ଭକ୍ତଙ୍କୁ ନେଇ ରଥଯାତ୍ରା ହେଉଥିବାରୁ ଶୃଙ୍ଖଳିତଭାବେ ରଥ ସମାପନ ପାଇଁ ବିଧିବ୍ୟବସ୍ଥା ଗ୍ରହଣ କରାଯାଇଛି। ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ସମାପନ କରିବା ଲାଗି ୧୭ ପ୍ଲାଟୁନ ଫୋର୍ସ ସହ ୧୦୦ ଅଧିକାରୀଙ୍କୁ ନିୟୋଜିତ କରାଯିବ ବୋଲି କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com