ଅନ୍ତର୍ଜାତୀୟଜାତୀୟ

ସୁଧୁରୁନି ଶ୍ରୀଲଙ୍କା ସ୍ଥିତି: ୫ ଦିନ ପାଇଁ ବନ୍ଦ ରହିବ କଲମ୍ବୋ ଷ୍ଟକ ଏକ୍ସଚେଞ୍ଜ

କଲମ୍ବୋ() ନିୟନ୍ତ୍ରଣ ବାହାରେ ଶ୍ରୀଲଙ୍କା ସ୍ଥିତି । ଖାଦ୍ୟ, ଇନ୍ଧନ, ମେଡିସିନ ଅଭାବ କ୍ରମଶଃ ଅଧିକ ଘନୀଭୂତ ହୋଇଥିବା ବେଳେ ପ୍ରତିବାଦରେ କଲମ୍ବୋ ସମେତ ଅନ୍ୟାନ୍ୟ ସ୍ଥାନରେ ହୋଇଛି ବିକ୍ଷୋଭ । କଲମ୍ବୋସ୍ଥିତ ଗାଲେ ଫ୍ରଣ୍ଟ ସମ୍ମୁଖରେ ଆନ୍ଦୋଳନରେ ସାମିଲ ହୋଇଛନ୍ତି ଛାତ୍ର, ଶିକ୍ଷକ, ଆଇନଜୀବୀ, ଡାକ୍ତର, ନର୍ସ ପ୍ରମୁଖ । ଆନ୍ଦୋଳନକାରୀମାନେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କୁ ବିରୋଧ କରିବା ସହ ତୁରନ୍ତ ସମାଧାନର ପନ୍ଥା ବାହାର କରିବା ଲାଗି ଦାବି କରିଛନ୍ତି ।

ସେପଟେ ଆସନ୍ତାକାଲି ଠାରୁ ୫ ଦିନ ଲାଗି କଲମ୍ବୋ ଷ୍ଟକ ଏକ୍ସଚେଞ୍ଜ ବନ୍ଦ ଲାଗି ନିର୍ଦ୍ଦେଶ ଦିଆଯାଇଛି । ନିବେଶକଙ୍କ ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛି ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ କମିଶନ ବା ସିଏସଇ । ଦେଶର ଅର୍ଥନୀତି ଅତି ଗମ୍ଭୀର ସ୍ତରକୁ ଠେଲି ହୋଇଯାଇଥିବା ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସିଏସଇ ଆଇନର ଧାରା ୩୦ ଅନୁସାରେ ଷ୍ଟକ ଏକ୍ସଚେଞ୍ଜକୁ ୫ ଦିନ ଲାଗି ବନ୍ଦ ଘୋଷଣା କରାଯାଇଛି ।

ଏହାସହ ୫୧ ବିଲିୟନ ଡଲାର ଋଣ ଭାରରେ ସଢୁଥିବା ଶ୍ରୀଲଙ୍କା ସରକାର ପରିବର୍ଦ୍ଧିତ ବିମାନ ସେବା ଲାଗି ନେଇଥିବା ନିଷ୍ପତ୍ତି ବିଚିତ୍ର ମନେ ହେଉଛି । ନିଜକୁ ଦେବାଳିଆ ଘୋଷଣା କରିବାର ଦୁଇ ଦିନ ପୂର୍ବରୁ ନିଜର ବିମାନ ସଂଖ୍ୟା ୨୪ରୁ ୩୫କୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନେଇଥିଲେ । ଆସନ୍ତା ୩ ବର୍ଷ ମଧ୍ୟରେ ବିମାନ ସଂଖ୍ୟା ବଢ଼ାଇବା ଲାଗି ସରକାରଙ୍କ ନିଷ୍ପତ୍ତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶ୍ରୀଲଙ୍କା ଏୟାରଲାଇନ୍ସକୁ ଘରୋଇକରଣ କରିବା ଲାଗି ସରକାରଙ୍କୁ ବାରମ୍ବାର ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ପରାମର୍ଶ ଦେଇ ଆସୁଥିବା ସତ୍ତ୍ବେ ସରକାର ଏହା କାର୍ଯ୍ୟକାରୀ କରିନାହାନ୍ତି ।

ଶ୍ରୀଲଙ୍କା ଏୟାରଲାଇନ୍ସର ମୁଖ୍ୟ ଭାବେ ବର୍ତ୍ତମାନ କାର୍ଯ୍ୟଭାର ସମ୍ଭାଳୁଛନ୍ତି ପ୍ରଧାନମନ୍ତ୍ରୀ ମହିନ୍ଦାଙ୍କ ଶାଳକ ନିଶାନ୍ତ ବିକ୍ରମସିଂଘେ । ପୂର୍ବରୁ ୮ଟି ଏୟାରବସ ୩୫୦କୁ ଲିଜ୍ ନେବା କ୍ଷେତ୍ରରେ ବିଭିନ୍ନ ଅଭିଯୋଗ ପରେ ଅପରାଧ ତଦନ୍ତ ଜାରି ରହିଛି । ଏହି ଘଟଣାରେ ୨ ନିୟୁତ ଡଲାର କିକବ୍ୟାକ ଅଭିଯୋଗ ହେବାରୁ ୨ ବର୍ଷ ତଳେ ଗିରଫ ହୋଇଥିଲେ ତତକାଳୀନ ସିଇଓ କପିଳ ଚନ୍ଦ୍ରସେନା ଓ ତାଙ୍କ ପତ୍ନୀ ।

Related Articles

Back to top button
WP Twitter Auto Publish Powered By : XYZScripts.com