ଓଡ଼ିଶା

ଖଣି ବ୍ୟବସାୟୀ ଶ୍ରୀନିବାସ ସାହୁଙ୍କ ଘରେ ଆୟକର ଚଢାଉ, ବିଭିନ୍ନ ରେକର୍ଡ ପତ୍ରର ଯାଞ୍ଚ କରୁଛି ୮ ଜଣିଆ ଟିମ୍

ବଡ଼ବିଲ: ଖଣିଜ ବ୍ୟବସାୟୀ ତଥା ଶିଳ୍ପପତି ଶ୍ରୀନିବାସ ସାହୁଙ୍କ ଘରେ ଆୟକର ଚଢାଉ । ଶ୍ରୀନିବାସ ସାହୁଙ୍କ ବଡ଼ବିଲ ସ୍ଥିତ ବାସଭବନ ଓ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଆୟକର ବିଭାଗର ୮ ଜଣିଆ ଟିମ୍ ଆୟ ସମ୍ବନ୍ଧୀୟ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ରେକର୍ଡ ପତ୍ର ଯାଞ୍ଚ କରୁଥିବା ସୂଚନା ମିଳିଛି ।

ଅନ୍ୟପଟେ ବୁଧବାର ସକାଳ ପ୍ରାୟ ୮ଟା ବେଳେ ଯୋଡ଼ା ଗଣେଶ ଭବନ ନିକଟସ୍ଥ ଆର.ପି.ସାଓଙ୍କ କାର୍ଯ୍ୟାଳୟ ଆୟକର ବିଭାଗର ଏକ ୯ ଜଣିଆ ଟିମ୍ ପହଞ୍ଚି ଚଢାଉ ଆରମ୍ଭ କରିଥିଲେ । ସମ୍ବଲପୁର ଆୟକର ବିଭାଗର ଅଧିକାରୀମାନେ ଏଥିରେ ସାମିଲ ଥିବା ସୂଚନା ମିଳିଥିଲା । ଏହାସହ କମ୍ପାନୀର ଝାଡ଼ଖଣ୍ଡ, ଚାଇଁବାସାଠାରେ ଥିବା ମୁଖ୍ୟ କାର୍ଯ୍ୟାଳୟ ଏବଂ ବାସଭବନରେ ମଧ୍ୟ ରେଡ୍ ଚାଲିଥିବା ଜଣାପଡିଥିଲା । ଜାମସେଦପୁର ଏବଂ ରାଞ୍ଚିର ଏକ ମିଳିତ ଦଳ ଆୟକର ସମ୍ବନ୍ଧୀୟ ଅନୁସନ୍ଧାନ ଆରମ୍ଭ କରିଥିଲ । ଖଣିଜ ବ୍ୟବସାୟ ସହ ଜଡ଼ିତ ଟିପିଏସଏଲ (ଠାକୁର ପ୍ରସାଦ ସାଓ ଆଣ୍ଡ ସନ୍ସ ପ୍ରାଇଭେଟ ଲିମିଟେଡ୍) କମ୍ପାନୀର  ଝାଡ଼ଖଣ୍ଡ, ପଶ୍ଚିମ ସିଂହଭୂମ ଜିଲ୍ଲାର ନୋଆମୁଣ୍ଡି ବ୍ଲକରେ ଅବସ୍ଥିତ ଲୁହାପଥର ଖଣି ୧୦ ବର୍ଷରୁ ଉର୍ଦ୍ଧ୍ବ ହେବ ବନ୍ଦ ରହିଛି ।

ସେହିପରି  ଯୋଡା ଖଣି କ୍ଷେତ୍ର ଗୁଆଲିଠାରେ  ଥିବା ଆର.ପି. ସାଓ (ରମେଶ ପ୍ରସାଦ ସାଓ)ଙ୍କ ଖଣିର ଲିଜ୍ ଅବଧି ୩୧ ମାର୍ଚ୍ଚ ୨୦୨୦ରେ ଶେଷ ହୋଇଯାଇଛି । ବର୍ତ୍ତମାନ ଓଡ଼ିଶାର ଝାରସୁଗୁଡ଼ାଠାରେ କମ୍ପାନୀର TPSL GOLD ନାମରେ ଏକ ଇସ୍ପାତ ଉତ୍ପାଦନ କାରଖାନା ରହିଛି । କମ୍ପାନୀର ଏକ ସ୍ପଞ୍ଜ କାରଖାନା ମଧ୍ୟ ରାଉରକେଲା ସେକ୍ଟରରେ ଥିବା ଜଣାପଡ଼ିଛି । ଆୟକର ବିଭାଗ ବିଭିନ୍ନ ବ୍ୟବସାୟିକ ତଥ୍ୟକୁ ଖୋଳତାଡ଼ କରିବା ସହ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ବ୍ୟାଙ୍କ କାରବାର ଆଦିକୁ ଯାଞ୍ଚ କରୁଛନ୍ତି । ତେବେ ଚଢ଼ାଉ ସମ୍ପର୍କରେ ଆୟକର ଅଧିକାରୀମାନେ କିଛି ବି ପ୍ରକାଶ କରିବାକୁ ମନା କରିଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com