କ୍ରୀଡ଼ା

ରଣଜୀରେ ଇତିହାସ ରଚିଲା ମୁମ୍ୱାଇ, ପ୍ରଥମ ଶ୍ରେଣୀରେ ହାସଲ କଲା ସବୁଠୁ ବଡ଼ ବିଜୟ, ଉତ୍ତରାଖଣ୍ଡକୁ ରେକର୍ଡ ରନରେ କଲା ପରାସ୍ତ

ନୂଆଦିଲ୍ଲୀ: ରଣଜୀ ଟ୍ରଫି ୨୦୨୧-୨୨ର ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ମୁମ୍ୱାଇ ଉତ୍ତରଖଣ୍ଡକୁ ପରାଜିତ କରିଛି । ୪୧ ଥରର ଚାମ୍ପିୟନ ମୁମ୍ୱାଇ ରେକର୍ଡ ରନ ବ୍ୟବଧାନ ସହ ବିଜୟୀ ହୋଇ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ସେମିଫାଇନାଲରେ ଉତ୍ତର ପ୍ରଦେଶକୁ ଭେଟିବ ମୁମ୍ୱାଇ । କ୍ୱାର୍ଟର ଫାଇନାଲରେ ଉତ୍ତରାଖଣ୍ଡକୁ ୭୨୫ ରନରେ ପରାସ୍ତ କରିଛି ମୁମ୍ୱାଇ । ରନ ଆଧାରରେ ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ସବୁଠୁ ବଡ଼ ବିଜୟ । ଏହାସହ ୯୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛି।

ପ୍ରଥମ ଶ୍ରେଣୀ କ୍ରିକେଟରେ ରନ ଆଧାରରେ ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲ ଟିମ ସବୁଠୁ ବଡ଼ ବିଜୟ ହାସଲ କରିଥିଲା। ୧୯୨୯-୩୦ ଡୋମେଷ୍ଟିକ୍ ସିଜିନରେ କ୍ୱିନସଲ୍ୟାଣ୍ଡକୁ ୬୮୫ରନ ହରାଇଥିଲା। ସେହିପରି ରଣଜୀ ଟ୍ରଫି ଇତିହାସରେ ସବୁଠୁ ବଡ଼ ବିଜୟର ରେକର୍ଡ ବେଙ୍ଗଲ ନାଁରେ ରହିଛି। ୧୯୫୩-୫୪ ରଣଜୀ ସିଜିନରେ ଓଡ଼ିଶାକୁ ୫୪୦ ରନରେ ପରାସ୍ତ କରିଥିଲା।

କର୍ଣ୍ଣାଟକର ଉଲୁର ସ୍ଥିତି ସେଏସସିଏ କ୍ରେକିଟ୍ ଗ୍ରାଉଣ୍ଡରେ ଦ୍ୱିତୀୟ ଇନିଂସରେ ଉତ୍ତରାଖଣ୍ଡକୁ କେବଳ ୬୯ ରନରେ ଅଲଆଉଟ କରିଥିଲା ମୁମ୍ୱାଇ। ଉତ୍ତରାଖଣ୍ଡର ଦୁଇ ଜଣ ବ୍ୟାଟର କେବଳ ଦୁଇ ଅଙ୍କ ଛୁଇଁବାରେ ସଫଳ ହୋଇଥିଲେ। ଶିବନ ଖୁରାନା ସବୁଠୁ ଅଧିକ ଅପରାଜିତ ୨୫ ରନ ଏବଂ କୁଣାଲ ଚଣ୍ଡେଲା ୨୧ ରନ କରିଥିଲେ। ମୁମ୍ୱାଇ ତରଫରୁ ଧବଲ କୁଲକର୍ଣ୍ଣୀ, ଶମ୍ସ ମୁଲାନୀ ଏବଂ ତନୁଷ କୋଟିୟାନ ତିନୋଟି ଲେଖାଏଁ ୱିକେଟ ହାସଲ କରିଥିଲେ। ମୋହିତ ଅବସ୍ତୀଙ୍କୁ ଗୋଟିଏ ସଫଳତା ମିଳିଥିଲା।

ଏହା ପୂର୍ବରୁ ମୁମ୍ୱାଇର ଅଧିନାୟକ ପୃଥ୍ୱୀ ଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଥିବା ସୁଭେଦ ପାରକର ୨୫୨ ରନ ଏବଂ ସରଫରାଜ ଖାନ ୧୫୩ ରନ ବଳରେ ମୁମ୍ୱାଇ ଆଠ ୱିକେଟ୍ ହରାଇ ୬୪୭ ରନ କରିଥିଲା। ସେପଟେ ଉତ୍ତରାଖଣ୍ଡ ପ୍ରଥମ ଇନିଂସରେ ୧୧୪ ରନ କରିଥିଲା। ୫୩୩ ରନ ଲିଡ୍ ସହ ମୁମ୍ୱାଇ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ଦ୍ୱୀତିୟ ଇନିଂସରେ ମୁମ୍ୱାଇ ୩ ୱିକେଟ୍ ହରାଇ ୨୬୧ ରନ କରିଥିଲା। ଏହିପରି ଉତ୍ତରାଖଣ୍ଡ ଆଗରେ ୭୯୫ର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା ମୁମ୍ୱାଇ ।

Related Articles

Back to top button
WP Twitter Auto Publish Powered By : XYZScripts.com