ଓଡ଼ିଶା

କଟକ ଜିଲ୍ଲାପାଳଙ୍କ ଘୋଷଣା, ଚଳିତ ବର୍ଷ ହେବ ବାଲିଯାତ୍ରା

କଟକ: ଚଳିତ ବର୍ଷ ଅନୁଷ୍ଠିତ ହେବ କଟକ ବାଲିଯାତ୍ରା । ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ । କୋଭିଡ୍‌ କଟକଣା କାରଣରୁ ୨ ବର୍ଷ ଧରି ବାଲି ଯାତ୍ରାର ଆୟୋଜନ କରାଯାଇ ନାହିଁ । ୨୦୨୦ରେ ବାଲିଯାତ୍ରା ବାତିଲ୍‌ କରାଯାଇଥିବା ବେଳେ ୨୦୨୧ରେ ମଧ୍ୟ କରୋନାକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ବନ୍ଦ ରଖିଥିଲା ପ୍ରଶାସନ ।

ସୂଚନା ଥାଉକି, ପ୍ରତିବର୍ଷ କାର୍ତ୍ତିକ ମାସ ଶେଷକୁ ପ୍ରସିଦ୍ଧ ବାଲି ଯାତ୍ରାର ଆୟୋଜନ କରାଯାଏ । ଏଥିରେ ବହୁ ବ୍ୟବସାୟୀଙ୍କ ସମାଗମ ହେବା ସହିତ ବହୁ ଲୋକ ଏହି ଯାତ୍ରାକୁ ଅପେକ୍ଷା କରି ରହିଥାନ୍ତି । ଦୁଇ ବର୍ଷ ଧରି ବାଲିଯାତ୍ରା ଆୟୋଜନ ନ ହେବା କାରଣରୁ କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ଆରମ୍ଭ କରି କୁଟୀର ଶିଳ୍ପ, ହସ୍ତଶିଳ୍ପ ବ୍ୟବସାୟୀଙ୍କ ସମେତ ମଧ୍ୟମବର୍ଗର ବ୍ୟବସାୟୀ ଏବଂ ମିଶନ ଶକ୍ତି ତଥା ସ୍ୱୟଂ ସହାୟିକା ଗୋଷ୍ଠୀ ନିରାଶ ହୋଇଥିଲେ । ବାଲିଯାତ୍ରାରେ ଭଲ ବ୍ୟବସାୟ ହେଉଥିବାରୁ ଏଥିପାଇଁ ମାସ ମାସ ଆଗରୁ ପ୍ରସ୍ତୁତ ହୋଇଥାନ୍ତି ବ୍ୟବସାୟୀ । ଏପରିସ୍ଥଳେ ବାଲିଯାତ୍ରାରେ ବ୍ୟବସାୟ ପାଇଁ ଚାତକ ପରି ଚାହିଁ ବସିଥିବା ବ୍ୟବସାୟୀ ଦୁଇ ବର୍ଷ ଧରି ହତାଶ ହୋଇଥିଲେ ।

ଅନ୍ୟପକ୍ଷରେ ବାଲିଯାତ୍ରା ୧୦ ଦିନ ବ୍ୟାପି ହୋଇଥାଏ । ରାଜ୍ୟର ଏହି ସର୍ବବୃହତ ଯାତ୍ରାରେ ଛୋଟବଡ଼ ମିଶି ୨ ହଜାରରୁ ଅଧିକ ବ୍ୟବସାୟୀ ବ୍ୟବସାୟ କରିଥାନ୍ତି । ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହୋଇଥାଏ । ଏହାଦ୍ୱାରା ଜିଲ୍ଲା ପ୍ରଶାସନ ଏବଂ ସିଏମ୍‌ସିର ମଧ୍ୟ ଆୟ ବୃଦ୍ଧି ପାଇଥାଏ । ଦୁଇ ବର୍ଷ ଧରି ବାଲିଯାତ୍ରା ବନ୍ଦ ହୋଇଯିବା ଦ୍ୱାରା ପ୍ରଶାସନର ବହୁ ରାଜସ୍ୱହାନି ମଧ୍ୟ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com