କ୍ରୀଡ଼ା

ପୂର୍ଣ୍ଣାଙ୍ଗ ଘରୋଇ ସିଜିନ ଆୟୋଜନ କରିବ ବିସିସିଆଇ : ରଣଜୀ ସହ ଖେଳାଯିବ ଦୁଲୀପ ଓ ଇରାନୀ କପ୍

ନୂଆଦିଲ୍ଲୀ:  ବିସିସିଆଇ ଆଗାମୀ ୨୦୨୨-୨୩ରେ ପୂର୍ଣ୍ଣାଙ୍ଗ ଘରୋଇ ସିଜନ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଗୁରୁବାର ବୋର୍ଡ଼ର ଆପେକ୍ସ କାଉନସିଲ୍‌ ବୈଠକ ଶେଷ ହେବା ପରେ ଏବିଷୟ ସୂଚନା ଦେଇଛନ୍ତି । ଆସନ୍ତା ସିଜନରେ ପୂର୍ଣ୍ଣ ରଣଜୀ ଟ୍ରଫି ସମେତ ଦୁଲୀପ ଟ୍ରଫି ଓ ଇରାନୀ କପ୍‌ ଖେଳାଯିବ । କରୋନା ମହାମାରୀ ଯୋଗୁ ଗତବର୍ଷ ବିସିସିଆଇ ରଣଜୀ ଟ୍ରଫିକୁ ଛୋଟ କରିବାକୁ ବାଧ୍ୟ ହୋଇଥିଲା । ଦୁଇଟି ପର୍ଯ୍ୟାୟରେ ଟୁର୍ଣ୍ଣାମେଣ୍ଟ ଶେଷ କରିଥିଲା । ଅନ୍ୟ ପଟରେ ଗତ ୩ଟି ସିଜନ ଧରି ଦୁଲୀପ ଟ୍ରଫି ଓ ଇରାନୀ କପ୍‌ ଆୟୋଜନ ବନ୍ଦ ରହିଥିଲା ।

ବିସିସିଆଇ ଦୁଲୀପ ଟ୍ରଫିରୁ ଘରୋଇ ସିଜନ ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ଏହି ଟୁର୍ଣ୍ଣାମେଣ୍ଟ ଆଗାମୀ ସେପ୍ଟେମ୍ବର ୮ରୁ ଆରମ୍ଭ ହେବା ସମ୍ଭାବନା ରହିଛି । ଦୁଲୀପ ଟ୍ରଫିରେ ସାଧାରଣତଃ ୫ଟି ଜୋନ୍‌ର ଦଳ ନକଆଉଟ୍‌ ପର୍ଯ୍ୟାୟରେ ଭାଗ ନେଇଥାନ୍ତି । ସେହିପରି ଅକ୍ଟୋବର ୧ରୁ ୫ ତାରିଖ ମଧ୍ୟରେ ଇରାନୀ କପ୍‌ ମ୍ୟାଚ୍‌ ଆୟୋଜନ କରିବାକୁ ବିସିସିଆଇ ଯୋଜନା କରୁଛି । ଏହି ଦୁଇଟି ଟୁର୍ଣ୍ଣାମେଣ୍ଟ ବ୍ୟତୀତ ଆପେକ୍ସ କାଉନସିଲ୍‌ ବୈଠକରେ ସୟଦ ମୁସ୍ତାକ ଅଲି ଟ୍ରଫି, ବିଜୟ ହଜାରେ ଟ୍ରଫି ଏବଂ ରଣଜୀ ଟ୍ରଫି ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ମୁସ୍ତାକ ଅଲି ଟ୍ରଫି ଟି-ଟ୍ୱେଣ୍ଟି ଅକ୍ଟୋବର ୧୧ରୁ ଏବଂ ବିଜୟ ହଜାରେ ଟ୍ରଫି ନଭେମ୍ବର ୧୨ରୁ ଆରମ୍ଭ କରିବାକୁ ବିସିସିଆଇ ଚିନ୍ତା କରୁଛି। ସେହିପରି ରଣଜୀ ଟ୍ରଫି ଡିସେମ୍ବର ୧୩ରୁ ଆରମ୍ଭ ହେବାର ସମ୍ଭାବନା ରହିଛି । ଟୁର୍ଣ୍ଣାମେଣ୍ଟର ନକ୍‌ ଆଉଟ୍‌ ପର୍ଯ୍ୟାୟ ଫେବ୍ରୁଆରୀ ୧ରୁ ଆରମ୍ଭ ହୋଇପାରେ । ବୈଠକରେ ୪ଟି ଗ୍ରୁପ୍‌ରେ ୮ଟି ଲେଖାଏଁ ଏଲିଟ୍‌ ଦଳ ଏବଂ ପ୍ଲେଟ୍‌ ଗ୍ରୁପ୍‌ରେ ୬ଟି ଦଳ ସାମିଲ୍‌ କରିବା ନେଇ ଆଲୋଚନା କରାଯାଇଥିବା ଜଣାପଡ଼ିଛି । ଏହି ଫର୍ମାଟରେ ଖେଳାଗଲେ ପ୍ରତ୍ୟେକ ଦଳ ପୂର୍ବଭଳି ୭ଟି ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇବେ।

Related Articles

Back to top button
WP Twitter Auto Publish Powered By : XYZScripts.com