ଓଡ଼ିଶା

ଶିକାରୀଙ୍କ ଭୂସ୍ୱର୍ଗ ପାଲଟିଛି ଉତ୍ତର ଘୁମୁସର ବନଖଣ୍ଡ ; ୧୫ ଦିନ ମଧ୍ୟରେ ଦାନ୍ତ ନଥିବା ଦ୍ୱିତୀୟ ଦନ୍ତାହାତୀ ଶବ ଉଦ୍ଧାର

ଘୁମୁସର, ୨୨/୦୭/୨୦୨୨- ଦିନେ ବନ୍ୟ ଜନ୍ତୁଙ୍କ ନିର୍ଭୟ ଚରା ଭୂଇଁ ପାଲଟିଥିବା ଗଂଜାମ ଜିଲ୍ଲାର ଉତ୍ତର ଘୁମୁସର ବନଖଣ୍ଡ ବର୍ତ୍ତମାନ ଶିକାରୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି । ବିଭାଗୀୟ ଅବହେଳା ହେଉ କିମ୍ବା କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଦିନକୁ ଦିନ ଏହି ବନଖଣ୍ଡରେ ଭାଲୁ, ବାରହା, ହରିଣ ସମେତ ହାତୀ ଶିକାର ମଧ୍ୟ ବୃଦ୍ଧି ପାଉଛି । ଏପରିକି ଏହି ବନଖଣ୍ଡରେ ଚଳିତ ମାସରେ  ୧୫ ଦିନ ମଧ୍ୟରେ ଦୁଇଟି ଦନ୍ତାର ମୃତ ଦେହ ଠାବ ହୋଇଛି । ଗତ ୬ ତାରିଖରେ ଏହି ବନଖଣ୍ଡର ମୂଜାଗଡ଼ ରେଞ୍ଜ୍ କାନବିନ୍ଧା ସଂରକ୍ଷିତ ଜଙ୍ଗଲରୁ ଏକ ଦନ୍ତାର ଗୁଳିବିଦ୍ଧ ମୃତ ଦେହ ଠାବ କରାଯାଇଥିବା ବେଳେ ଏହାର ଦାନ୍ତ ଗୁଡ଼ିକ ଦୁର୍ବୃତ୍ତମାନେ କାଟି ନେଇଥିବା ଜଣାପଡିଥିଲା । ଘଟଣା ସମ୍ପର୍କରେ ବନ ବିଭାଗ ତଦନ୍ତ କରି ତିନି ଜଣ ଶିକାରୀକୁ ଗିରଫ କରିବା ସହିତ ଦୁଇଟି ହାତୀ ଦାନ୍ତ ଜବତ କରିବାରେ ସକ୍ଷମ ହୋଇଥିଲା । ଘଟଣାକୁ ମାତ୍ର ୧୫ ଦିନ ନପୁରୁଣୁ ଏହାର ପୁନାରାବୃତ୍ତି ଘଟିଛି ଜଗନ୍ନାଥପ୍ରସାଦ ରେଞ୍ଜ୍ ବେଲଗୁଣ୍ଠା ସେକ୍ସନ ବିଡ଼ିପୁର ବିଟ୍ ଜାମଗେରେଡା ନିକଟ ମା ସଂନ୍ତୋସି କଲେଜ ନିକଟରେ । ଏଠାରେ ଦନ୍ତାଟିକୁ ବିଦ୍ୟୁତ୍ ଆଘାତ ଦେଇ ହତ୍ୟା କରାଯାଇଛି । ସୂଚନା ପାଇ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ଏବଂ ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାସ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଦନ୍ତାଟିର ଶବକୁ ଜବତ କରିଥିଲେ । ହାତୀଟିର ଗୋଟିଏ ଦାନ୍ତ ନଥିବା ଜଣାପଡିଛି । ମିଳିଥିବା ସୂଚନା ପ୍ରକାରେ ଗତ ୧୭ ତାରିଖରେ ଏକ ଦନ୍ତା ହାତୀ ଅନ୍ୟ ଏକ ମାଈ ହାତୀ ଏବଂ ଛୁଆ ହାତୀ ସହିତ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ କୁମୁଣ୍ଡା ଓ ଅଲାଡି ପାର ହୋଇ ଯାଇଥିବା ବନ ବିଭାଗ ରେକର୍ଡ଼ କରିଥିଲା । ସକାଳେ ଏମାନେ ଉତ୍ତର ଘୁମୁସର ବନଖଣ୍ଡରେ ପ୍ରବେଶ କରିଥିଲେ । ଦନ୍ତାଟି ଆଗରେ ଯାଉଥିବାରୁ ସେ ପ୍ରଥମେ ଶିକାରୀଙ୍କ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ପରେ ମାଈ ହାତୀ ଏବଂ ଛୁଆ ହାତୀ ଦୌଡ଼ି ପଳାଇଥିବା ବନବିଭାଗ ସନ୍ଦେହ କରୁଛି । ଶିକାରୀ ମାନେ ଗୋଟିଏ ଦାନ୍ତ କାଟି ନେଇଥିବା ବେଳେ ରାତି ପାହିଯିବା ଯୋଗୁଁ ଅନ୍ୟ ଦାନ୍ତଟି କାଟି ନେଇପାରି ନଥିବା ଅନୁମାନ କରାଯାଉଛି । ଗୋଟିଏ ବନଖଣ୍ଡରେ ବାରମ୍ବାର ହାତୀର ମୃତଦେହ ଠାବ ହେବା ବନବିଭାଗର ନିଷ୍କ୍ରିୟତାକୂ ପଦାରେ ପକାଇ ଦେଇଛି । ହାତୀ ନିକଟକୁ ଗଲେ ଦୁର୍ଗନ୍ଧ ହେଉଥିବାରୁ ହାତୀଟି ୧୭ ତାରିଖ ରାତିରେ ହିଁ ମରିଯାଇଥିବା ଅନୁମାନ କରାଯାଉଛି । ଏହି ଅଞ୍ଚଳରୁ ବର୍ତ୍ତମାନର ବାଚସ୍ପତି ବିକ୍ରମ କେଶରୀ ଆରୁଖ ଦୀର୍ଘ ଦିନ ଧରି ମନ୍ତ୍ରୀ ଭାବେ ଜଙ୍ଗଲ ବିଭାଗ ସମ୍ଭାଳି ଥି଼ଲେ ମଧ୍ୟ ନିଜ ଅଞ୍ଚଳର ବିଭାଗୀୟ ସମସ୍ୟାକୁ ସମାଧାନ କରିବାରେ ବିଫଳ ହୋଇଥିବା ସ୍ଥାନୀୟ ପଶୁ ପ୍ରେମୀ ଏବଂ ପରିବେଶବିତ ମାନେ ପ୍ରକାଶ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com