ଓଡ଼ିଶା

ଓଡ଼ିଶା ପାଇଁ ରେଳ ବଜେଟ୍‌ ୧୦ ଗୁଣା ବଢ଼ିଛି

ଓଡ଼ିଶା ପାଇଁ ରେଳ ବଜେଟ  ବୃଦ୍ଧି ପାଇ ୨୦୧୪ ରୁ ୨୦୨୩ ମଧ୍ୟରେ ହାରାହାରି ୫,୨୯୮ କୋଟି ଟଙ୍କାରେ ପହଞ୍ଚିଛି। ବଜେଟ୍‌ରେ ୧୦୬୨ ପ୍ରତିଶତ ବୃଦ୍ଧି ଘଟିଛି। ୨୦୦୯ ରୁ ୧୪ ପର୍ଯ୍ୟନ୍ତ ପ୍ରତି ବର୍ଷ ହାରାହାରି ପୁଞ୍ଜି ବ୍ୟୟ ୭୮୦ କୋଟି ଟଙ୍କା ଥିବା ବେଳେ ୨୦୧୪ ରୁ ୨୦୨୨ ମଧ୍ୟରେ ଏହା ୩,୫୬୮ କୋଟି ଟଙ୍କା ରହିଛି। ରେଳ ମନ୍ତ୍ରାଳୟ ଦ୍ବାରା ପ୍ରକାଶିତ ପୁସ୍ତିକାରେ ଓଡ଼ିଶା ସମ୍ପର୍କରେ ଏହି ସୂଚନା ଦିଆଯାଇଛି। ମାର୍ଚ ୨୦୨୨ ସୁଦ୍ଧା ରାଜ୍ୟୱାରି ସଫଳତା ଏଥିରେ ଉଲ୍ଲେଖ ରହିଛି। କୋଭିଡ୍‌-୧୯ ଲକ୍‌ଡାଉନ ସମୟରେ ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ୧୬୧୭୦.୬୯ ଟନ୍‌ ତରଳ ମେଡିକାଲ୍‌ ଅକ୍ସିଜେନ (ଏଲ୍‌ଏମ୍‌ଓ) ପରିବହନ ହୋଇଥିଲା। ଲକ୍‌ଡାଉନ ସମୟରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ୩ ଲକ୍ଷ ୬୦ ହଜାର ୧୪୯ ପ୍ରବାସୀ ଶ୍ରମିକ ଓ ଯାତ୍ରୀମାନଙ୍କୁ ସେମାନଙ୍କ ଓଡ଼ିଶାରେ ପହଞ୍ଚାଇବା ତଥା ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସମୁଦାୟ ୬୩୬ ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଚଳାଚଳ କରିଥିଲା। ଏହି ସମୟରେ ୧୭ ହଜାର ୧୯୯ଟି ମାଲବାହୀ ଟ୍ରେନ୍‌ ଜରିଆରେ ୬୦.୬୨ ନିୟୁତ ଟନ୍‌ ସାମଗ୍ରୀ ପରିବହନ କରାଯାଇଥିଲା। ଏହା ସହ ୨୯ ଟି କିଷାନ ଟ୍ରେନ ଦ୍ବାରା ୧୦ ହଜାର ୧୭୯ ଟନ୍‌ ଆମ୍ବ ଓ ୬୧୩୭ ଟନ୍‌ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ହୋଇଥିଲା। ୨୬୧ଟି କୋଚ୍‌କୁ କୋଭିଡ୍‌ କେୟାର କୋଚ୍‌ ଭାବେ ପରିବର୍ତ୍ତନ କରାଯାଇଥିଲା। ରେଳ ଭିତ୍ତିଭୂମି ସ୍ଥାପନ ପ୍ରସଙ୍ଗରେ ପୁସ୍ତିକାରେ ଦିଆଯାଇଥିବା ତଥ୍ୟରୁ ଜଣାପଡ଼ିଛି, ରାଜ୍ୟରେ ୨୦୨୧-୨୨ରେ ୧୩.୦୫ କିମି ନୂଆ ରେଳ ଲାଇନ କାର୍ଯ୍ୟ ଶେଷ ହୋଇଛି ଓ ୭୮.୩୬ କିମି ଟ୍ରାକ୍‌ ‌ଦୋହରୀକରଣ କାର୍ଯ୍ୟ ଶେଷ ହୋଇଛି। ଖୋର୍ଦ୍ଧାରୋଡ-ନୟାଗଡ ଟାଉନ-ନୂଆଗାଁ, ବଲାଙ୍ଗୀର –ବିଛୁପାଲି ଏବଂ ରୁପ୍‌ସା –ବାଙ୍ଗିରିପୋଷୀ ଲାଇନରେ ବିଦ୍ୟୁତ୍‌କରଣ କାର୍ଯ୍ୟ ଜାରି ରହିଛି। ଗତ ସାତ ବର୍ଷ ମଧ୍ୟରେ ପୂର୍ବତଟ ରେଳପଥ ଅଧୀନରେ ଥିବା ୫୨୭ଟି ‘ଅନମ୍ୟାନ୍‌ଡ ଲେଭଲ କ୍ରସିଂ’କୁ ବନ୍ଦ କରି ଦିଆଯାଇଛି। ଏଥି ସହିତ ୧୫୮ଟି ଲେବଲ୍‌ କ୍ରସିଂକୁ ହଟାଇ ଦିଆଯାଇଛି।

ଓଡ଼ିଶାରେ ୬୬ଟି ଷ୍ଟେସନର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଚାଲିଛି। ଗତ ସ‌ାତ ବର୍ଷ‌ରେ ୨୭ଟି ଷ୍ଟେସନକୁ ଆଦର୍ଶ ‌ଷ୍ଟେସନ ଭାବେ ଅପଗ୍ରେଡ୍‌ କରାଯାଇଛି। ଏଥି ସହିତ ଗତ ଆଠ ବର୍ଷରେ ୯୦ଟି ପ୍ଲାଟଫର୍ମର ସଂପ୍ରସାରଣ ସହିତ ଅତିରିକ୍ତ ପ୍ଲାଟଫର୍ମ କରାଯାଇଛି। ଓଡ଼ିଶାର ପ୍ରମୁଖ ରେଳ ଷ୍ଟେସନମାନଙ୍କରେ ଶୀତତାପ ନିୟନ୍ତ୍ରିତ ପ୍ରତୀକ୍ଷା ହଲର ବ୍ୟବସ୍ଥା ହୋଇଛି। ୪୦ଟି ଆଦିବାସୀ ଓ ଦୁର୍ଗମ ଅଂଚଳରେ ଥିବା ଷ୍ଟେସନ୍‌ ସମେତ ମୋଟ ୧୮୦ ଟି ଷ୍ଟେସନରେ ମାଗଣା ୱାଇଫାଇ ବ୍ୟବସ୍ଥା କରାଯାଇଛି।

ଓଡ଼ିଶାରେ ୨୮ ହଜାର ୮୧୧ କୋଟି ଟଙ୍କ‌ା ବ୍ୟୟରେ ୬୧୦ କିମି ବିଶିଷ୍ଟ ୫ଟି ନୂଆ ରେଳ ଲାଇନ, ୮୭୩ କିମି ଦୋହାରୀକରଣ, ତୃତୀୟ ଓ ଚତୁର୍ଥ ଲାଇନ ପ୍ରକଳ୍ପ ଓ ଖୋର୍ଦ୍ଧା ରେଳ ଖଣ୍ଡ ଅନ୍ତର୍ଗତ ୯୯ ଷ୍ଟେସନରେ ଟ୍ରେନ ମ୍ୟାନେଜମେଣ୍ଟ ସିଷ୍ଟମ ବ୍ୟବସ୍ଥା ହେବାକୁ ଯାଉଛି। ୧୫ ଟି ଷ୍ଟେସନରେ ଫୁଟ୍‌ ଓଭର ବ୍ରିଜ କାର୍ଯ୍ୟ ଜାରିରହିଛି। ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଷ୍ଟେସନମାନଙ୍କରେ ୫୫୨ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଯାତ୍ରୀମାନଙ୍କର ସୁରକ୍ଷା ପାଇଁ ଓଡ଼ିଶାରୁ ବାହାରୁଥିବା ୬୬ଟି ଟ୍ରେନର ୨୭୨ଟି କୋଚ୍‌ରେ ୨୧୭୬ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। ୨୦୨୧-୨୨ରେ ଆର୍‌ପିଏଫ ଦ୍ବାରା ଉଦ୍ଧାର କରାଯାଇଥିବା ଏକ କୋଟି ୧୬ ଲକ୍ଷ ୬୪ ହଜାର ୮୩୫ ଟଙ୍କା ମୂଲ୍ୟର (୫୮୨ ଲଗେଜ୍‌, ୧୫୭ ମୋବାଇଲ୍, ୪୪ ଟି ଲାପଟପ୍‌, ୬,୯୭,୦୨୮ ନଗଦ ଟଙ୍କା, ସୁନା ଓ ୪୪,୩୦,୧୪୮ ଟଙ୍କାର ସାମଗ୍ରୀ) ସାମଗ୍ରୀକୁ ପ୍ରକୃତ ମାଲିକଙ୍କୁ ଫେରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com