ଅନ୍ୟାନ୍ୟ

ଯୁବକକୁ ଛୁରୀ ଭୁଷି ହତ୍ୟା ଉଦ୍ୟମ;  ୨ ଅଟକ

ବ୍ରହ୍ମପୁର, ୨୨/୦୮/୨୦୨୨-   ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଘାସିବିଲ ଗ୍ରାମ ଛକ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଜଣ ଯୁବକ ସେହି ଗ୍ରାମର ପ୍ରୀତମ ମହାନ୍ତି  ନାମକ ଜଣେ ଯୁବକକୁ ଏକ ଛୁରୀ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଭଳି କାଣ୍ଡ ଘଟାଇ ଘଟଣାସ୍ଥଳରୁ ଚମ୍ପଟ ମାରୁଥିବାବେଳେ ଉଭୟଙ୍କୁ  ସ୍ଥାନୀୟ ଗାନ୍ଧୀ ଛକ ଠାରେ ପାଟପୁର ପୋଲିସ କାବୁ କରିଥିବା ଜଣାପଡିଛି । ଦୁଇ ଯୁବକ ହେଲେ ଘନଶ୍ୟାମ ରେଡ୍ଡୀ ଓ ଶୁଭମ ବେହେରା । ଘାସିବିଲ ଗ୍ରାମର ପ୍ରୀତମ ଓ ଘନଶ୍ୟାମ ମଧ୍ୟରେ ଗତ ୧୦ ରୁ ୧୫ ଦିନ ମଧ୍ୟରେ କୈାଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ନେଇ ଗ୍ରାମବାସୀ ପକ୍ଷରୁ କୁହାଯାଇଛି । ତେବେ ଆଜି ସକାଳୁ ପ୍ରୀତମ ଗ୍ରାମ ଛକ ନିକଟରେ  ଥିବାବେଳେ ଘନଶ୍ୟାମ ଓ ତାଙ୍କ ସହଯୋଗୀ ଶୁଭମ୍ ଏକ ସ୍କୁଟିରେ ଆସି ଏକ ଛୁରୀ ସହାୟତାରେ ପ୍ରୀତମଙ୍କ ପେଟ ଓ ଛାତିକୁ ମରଣାନ୍ତକ ଆକ୍ରମଣ କରିଥିଲେ । ପ୍ରୀତମଙ୍କ ଚିତ୍କାର ଶୁଣି ଆଖପାଖ ଲୋକ ଦୌଡି ଆସିବା କ୍ଷଣି ସେମାନେ ସେଠାରୁ ଦ୍ରୁତ ଗତିରେ ପାଟପୁର ରାସ୍ତା ଅଭିମୁଖେ ଚାଲି ଯାଇଥିଲେ । ଘଟଣାସ୍ଥଳରୁ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗ୍ରାମବାସୀ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଧରାକୋଟ ଥାନା ଅଧିକାରୀ ଉମାକାନ୍ତଙ୍କ ସାହୁ ସମେତ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଥିବା ବେଳେ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ନିକଟସ୍ଥ ପୋଲିସ ଥାନାକୁ ଖବର ଦେଇଥିଲା । ଯାହା ଫଳରେ ଦୁଇ ଅପରାଧୀଙ୍କୁ ଧରିବା ପାଇଁ ପାଟପୁର ପୋଲିସ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ପୂର୍ବରୁ ତିନିଛକ ନିକଟରେ ଛକି ବସିଥିବା ପୋଲିସ କର୍ମଚାରୀ ମାନେ ଦୁଇଜଣଙ୍କୁ କାବୁ କରିବା ସହ ଥାନାରେ ଅଟକ ରଖିଥିବା ଧରାକୋଟ ଥାନାକୁ ଖବର ଦେଇଥିଲେ । ତେବେ ପ୍ରୀତମ ମେଡିକାଲରୁ ସୁସ୍ଥ ହୋଇ ଆସିବା ପରେ ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ଏବଂ ଏତଲା ପରେ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧରାକୋଟ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com