ଅନ୍ୟାନ୍ୟ

ବେଆଇନ ବିଦ୍ୟୁତ ମିଟର ପରିବର୍ତ୍ତନ ଓ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେପି ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଉ

ବ୍ରହ୍ମପୁର, ୩୦/୦୮/୨୦୨୨-  ବେଆଇନ ବିଦ୍ୟୁତ ମିଟର ପରିବର୍ତ୍ତନ ଓ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଶତାଧିକ ବିଜେପି କର୍ମୀ ମଙ୍ଗଳବାର ଏକ ଶୋଭାଯାତ୍ରାରେ ଆସି ସ୍ଥାନୀୟ କୋର୍ଟପେଟା ସ୍ଥିତ ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କରିଥିଲେ ।  ଜାନୁୟାରୀ ୨୦୨୧ ଠାରୁ ଟାଟା ଦକ୍ଷିଣ ଓଡିଶା ତଥା ବ୍ରହ୍ମପୁର ସହରର ଉପଭୋକ୍ତା ମାନଙ୍କୁ ବିଦ୍ୟୁତ ବିତରଣ କରୁଛି । ତେବେ ଟାଟା ପାୱାର ଜନସାଧାରଣଙ୍କୁ ବିଦ୍ୟୁତ ସେବା ଯୋଗାଇବାରେ ସଂପୂର୍ଣ୍ଣ ବିଫଳ ହୋଇଛି । ସହରରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ବୃଦ୍ଧି ପାଇଥିବା ବେଳେ ବିଭିନ୍ନ ସ୍ଥାନରେ ଲୋ ଭୋଲଟେଜ ଯୋଗୁଁ ସର୍ବସାଧାରଣ ହନ୍ତସନ୍ତ ହେଉଛନ୍ତି ।

ବ୍ରହ୍ମପୁର ମହାନଗର ବ୍ୟବସାୟର କେନ୍ଦ୍ରସ୍ଥଳୀ ହୋଇଥିବା ବେଳେ ବାହାର ସ୍ଥାନରୁ ବହୁ ଲୋକ ସହରକୁ ଆସି ସଂନ୍ଧ୍ୟା ସମୟରେ ନିଜ ଅଂଚଳକୁ ଫେରନ୍ତି । ତେବେ ସଂନ୍ଧ୍ୟା ସମୟରେ ବହୁ ସମୟରେ ସମଗ୍ର ସହରର ବିଦ୍ୟୁତ ସେବା ବନ୍ଦ ରହୁଛି, ରାତି ଅଧରେ ବିଦ୍ୟୁତ କାଟ ହେଉଛି । ଫଳରେ ଅପରାଧମାନଙ୍କ କାର୍ଯ୍ୟକଳାପ ବୃଦ୍ଧି ସାଙ୍ଗକୁ ଲୋକଙ୍କ ଧନ ଜୀବନ ଅସୁରକ୍ଷିତ ହେଉଛି । ଲୋକଙ୍କୁ ସେବା ଯୋଗାଇବା ବଦଳରେ ଟାଟା ପାୱାର ନିଜର କ୍ଷମତାର ଦୁରୂପଯୋଗ କରି ନିଜର ବ୍ୟବସାୟ ବୃଦ୍ଧି କରିବା ଉଦ୍ଦେଶ୍ୟ ରଖି ଅସାଧୁ ଉପାୟ ଅବଲମନ ପୂର୍ବକ ମିଟର ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରିଛି ।

ସରକାର ଓଡିଶାରେ ପ୍ରି ପେଇଡ୍ ଇଲେକ୍ଟ୍ରି ମିଟର ବ୍ୟବସ୍ଥା କରିବା ନେଇ ସର୍ବସାଧାରଣରେ କୌଣସି ଘୋଷଣା କରିନଥିବା କିମ୍ବା ସର୍ବସାଧାରଣରେ ଟାଟାକୁ ଅନୁମତି ପ୍ରଦାନ କରିନଥିବା ବେଳେ ଟାଟା ବ୍ରହ୍ମପୁର ସହରକୁ ଏହି ବ୍ୟବସ୍ଥାର ପ୍ରୟୋଗଶାଳା କରିଛି ଯାହାକି ଅତି ନିନ୍ଦନୀୟ । ଉପଭୋକ୍ତାମାନଙ୍କ ଘରେ ସଠିକ କାର୍ଯ୍ୟକ୍ଷମ ଥିବା ମିଟର ଗୁଡିକୁ କୌଣସି କାରଣ ନ ଦର୍ଶାଇ କିମ୍ବା ଆଗୁଆ ଚିଠି କରାନଯାଇ ବଦଳା ଯାଉଛି ଯାହାକି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ବିଦ୍ୟୁତ ବିତରଣ କୋଡ ୨୦୦୪ର ସିଧା ସଳଖ ଉଲଙ୍ଘନ ଅଟେ । କାରଣ ନିୟମ ଅନୁସାରେ ଠିକ୍ ଚାଲୁଥିବା ମିଟର ପରିବର୍ତ୍ତନ କରି ଆଉ ଗୋଟିଏ ମିଟର ବସାଯାଇପାରିବ ନାହିଁ ଏବଂ ତତ୍ ସହିତ ଓଇଆରସି କୋଡ-୨୦୦୪ର ଧାରା ୫୯(୪) ଅନୁଯାୟୀ ମିଟର ସେତେବେଳେ ପରିବର୍ତ୍ତନ ହେବ ଯେତେବେଳେ କୌଣସି ମିଟର ସଂଶୋଧନ କିମ୍ବା ମରାମତି ହୋଇପାରିବ ନାହିଁ । ବର୍ତମାନ ଟାଟା ପାୱାର ଉପରୋକ୍ତ ୨ଟି ସର୍ତକୁ ପୂରଣ କରୁନାହିଁ ତେଣୁ ଏହି ଭଳି ବେଆଇନ କାର୍ଯ୍ୟକଳାପକୁ ବିଜେପି ନିନ୍ଦା କରିବା ସହ ଘୋର ବିରୋଧ କରୁଛି । ୩ ଦଫା ଦାବି ଯଥା ଟାଟା ପାୱାର ଦ୍ୱାରା ସଠିକ ଚାଲୁଥିବା ମିଟର ପରିବର୍ତନ ତୁରନ୍ତ ବନ୍ଦ କରାଯାଉ ।

ଏହି ବିକ୍ଷୋଭ କାର୍ଯ୍ୟକ୍ରମ ବିଜେପିର ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ କାହ୍ନୁ ଚ଼ରଣ ପତିଙ୍କ ନେତୢତ୍ୱରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ର, କର୍ପୋରେଟର ତଥା ଜିଲ୍ଲା ସମ୍ପାଦକ ପ୍ରଦୀପ ଶତପଥି, ଜିଲ୍ଲା ସମ୍ପାଦିକା ସୁଶିଳା ମଲ୍ଲିକ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର, ପ୍ରଣୟ ମହାପାତ୍ର, ଅନୁପ ପଣ୍ଡା, ଶିବ ଶଙ୍କର ନାୟକ, ପି.ରାଜେନ୍ଦ୍ର କୁମାର, ପ୍ରଦୀପ ମିଶ୍ର, କେ.ଚନ୍ଦ୍ରଶେଖର, ସନ୍ତୋଷ ପାତ୍ର ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ସାମିଲ୍ ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com