ଓଡ଼ିଶା

ଗଞ୍ଜାମର ଶ୍ରେଷ୍ଠ ସ୍ୱଚ୍ଛ ସହର ମଧ୍ୟରେ ବେଲଗୁଣ୍ଠା ଏନ୍.ଏ.ସି ଜାତୀୟ ସ୍ତରରେ ହେବ ପୁରସ୍କୃତ

ବ୍ରହ୍ମପୁର, ୨୬/୦୯/୨୦୨୨-   ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ସହର ସ୍ୱଚ୍ଛ ଅମୃତ ମହୋତ୍ସବ ଅବସରରେ ଜାତୀୟ ସ୍ତରରେ ପୁରସ୍କୃତ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛି । ବେଲଗୁଣ୍ଠା ସହର ସ୍ୱଚ୍ଛ ଭାରତ ମିଶନ ଆନୁକୁଲ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶର ଏକ ସ୍ୱଚ୍ଛ, ସୁନ୍ଦର ଓ ଶୃଙ୍ଖଳିତ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ବେଲଗୁଣ୍ଠା ସହର ଶ୍ରେଷ୍ଠ ମନୋନୀତ ହୋଇଛି । କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ପ୍ରଦତ୍ତ ଚିଠିରେ ଏହା ଉଲ୍ଲେଖ ରହିଛି । ଓଡ଼ିଶାର ୧୧ଟି ସହର ସ୍ୱଚ୍ଛ ଅମୃତ ମହୋତ୍ସବରେ ପୁରସ୍କୃତ ହେବେ ଜଣାପଡିଛି ।

ଅକ୍ଟୋବର ୧ ତାରିଖରେ ଦିଲ୍ଲୀ ଠାରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ବେଲଗୁଣ୍ଠା ଏନ୍ଏସି ସମ୍ବର୍ଦ୍ଧିତ ହେବ । ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଏହି ଉତ୍ସବରେ ଯୋଗ ଦେଇ ପୁରସ୍କାର ଗ୍ରହଣ କରିବା ପାଇଁ ଏଥିରେ ସୂଚନା ରହିଛି । ବେଲଗୁଣ୍ଠା ଏନ୍.ଏ.ସି ନୀର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ଯୋଗ ଦେବା ପରେ ବେଲଗୁଣ୍ଠା ସହରର ସ୍ୱଚ୍ଛତା ପ୍ରାଥମିକତା ଦେବା ସହିତ ବିଭିନ୍ନ ସମୟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ କରିଥିଲେ । ଏଥି ସହିତ ବେଲଗୁଣ୍ଠା ନିକଟସ୍ଥ ନୁଆ କୋକଲୁଣ୍ଡା ଠାରେ ଥିବା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରକୁ ଉପଯୋଗ କରି ଏହାର ସୁପରିଚାଳନା କରି ପ୍ରଶାସନିକ ମହଲରେ ପ୍ରଶଂସା ସାଉଁଟି ଥିଲେ । ଯାହାର ଫଳ ସ୍ୱରୂପ ଆଜି ଏ ପୁରସ୍କାର ମିଳିବାକୁ ଯାଉଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।

ଅନେକ ସମୟରେ ସୋସିଆଲ ମିଡ଼ିଆ ମାଧ୍ୟମରେ ବେଲଗୁଣ୍ଠା ବାସୀଙ୍କୁ ସ୍ୱଚ୍ଛତା ବିଷୟରେ ବାର୍ତ୍ତା ଦେବା ସହିତ ଏନ୍ ଏ ସି କର୍ମଚାରୀ ମାନେ ନିଜେ ଘର ଘର ବୁଲି ଅଳିଆ ଆବର୍ଜ୍ଜନା ସଂଗ୍ରହ କରି ବେଲଗୁଣ୍ଠା ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ସଚେତନତା ସୃଷ୍ଟି କରାଉଥିଲେ । କଳା, କୁଟୀର ଶିଳ୍ପ, ପିତ୍ତଳ ମାଛର କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏଥିରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ି ହୋଇଛି । ଏହି ଖବର ପ୍ରଚାରିତ ହେବା ପରେ ବେଲଗୁଣ୍ଠା ସହର ସମେତ ଏହାର ଆଖପାଖ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି । ଏଥି ସହିତ ବେଲଗୁଣ୍ଠା ଏନ୍ଏସି ନୀର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com