ବାଣିଜ୍ୟ

ବଢିଲା ପେନସନ୍ ଆବେଦନର ସମୟସୀମା

ନୂଆଦିଲ୍ଲୀ , ୦୫/୧୧/୨୦୨୨-   ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ସ୍ଲାବ୍ ଠାରୁ ଅଧିକ ବେତନ ପାଉଥିବା କର୍ମଚାରୀ -ପେନସନ ଯୋଜନାରେ ସାମିଲ ହେବା ନେଇ ଆବେଦନ ସମୟସୀମା କୋହଳ କରାଯାଇଛି । ପୂର୍ବରୁ ଏନେଇ ୬ ମାସ ସମୟ ଦିଆ ଯାଇଥିବା ବେଳେ ଏହାକୁ ଆଉ ୪ ମାସ ବଢାଇ ଦିଆଯାଇଛି । ପେନସନ ଯୋଜନା ସମ୍ପର୍କିତ ଏକ ମକଦ୍ଦମାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ପେନସନ ସ୍କିମରେ ମାସିକ ବେତନ ସୀମା ୧୫ହଜାର ଟଙ୍କା ରହିଛି ।

ସୁପ୍ରିମକୋର୍ଟଙ୍କ ରାୟ ଦ୍ୱାରା ଧାର୍ଯ୍ୟ ସ୍ଲାବ୍ ଠାରୁ ଅଧିକ ଦରମା ପାଉଥିବା କର୍ମଚାରୀ ଭବିଷ୍ୟତରେ ପେନସନ ସ୍କିମରୁ ଲାଭ ଉଠାଇବା ନେଇ ସୁଯୋଗ ପାଇବେ । ଏହା ସହ ବୃହତ ସଂଖ୍ୟକ କର୍ମଚାରୀଙ୍କୁ ଏନେଇ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ୟୁୟୁ ଲଳିତ, ବିଚାରପତି ଅନିରୁଦ୍ଦ ବୋଷ ଓ ବିଚାରପତି ସୁଧାଂଶୁ ଧୁଳିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରିଛନ୍ତି । ସେହିଭଳି ସରକାରଙ୍କ ଦ୍ୱାରା ପରିଚାଳିତ ଭବିଷ୍ୟନିଧି ପାଣ୍ଠି ଛଡା କେତେକ କ୍ଷେତ୍ରରେ ସରକାରୀ ଉଦ୍ୟୋଗ ଏବଂ ଘରୋଇ ଶିଳ୍ପ ସଂସ୍ଥା ମାନେ ନିଜ ଦ୍ୱାରା ଭବିଷ୍ୟନିଧି ପାଣ୍ଠିର ପରିଚାଳନା କରୁଛନ୍ତି ।

ଏସବୁ ସ୍ଥାନରେ କାମ କରୁଥିବା ଲକ୍ଷାଧିକ କର୍ମଚାରୀ ଭବିଷ୍ୟନିଧି ସୁବିଧା ପଉଥିଲେ ବି ପେନସନ୍ ସୁବିଧାରୁ ବଞ୍ଚିତ ହେଉଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ଦ୍ୱାରା ଯେଉଁ ପେନସନ୍ ଆବେଦନ ସମୟସୀମା ବଢାଯାଇଛି ଏଥିରେ ଉଭୟ ପେନସନ୍ ସୁବିଧା ପାଉଥିବା ଏବଂ ଏଥିରୁ ବଞ୍ଚିତ ସଂସ୍ଥାର କର୍ମଚାରୀ ଲାଭ ଉଠାଇ ପାରିବେ । ସେହିଭଳି ୧୫ହଜାର ଟଙ୍କାରୁ ଅଧିକ ବେତନ କ୍ଷେତ୍ରରେ କର୍ମଚାରୀଙ୍କୁ ଅତିରିକ୍ତ ୧.୧୬ପ୍ରତିଶତ ଯୋଗଦାନ ନେଇ ବ୍ୟବସ୍ଥା ରହିଛି । ଏହିଭଳି କର୍ମଚାରୀଙ୍କ ପାଇଁ ପେନସନ ଆବେଦନକୁ ସୁପ୍ରିମକୋର୍ଟ ଇଚ୍ଛାଧିନ କରିଛନ୍ତି । ପୂର୍ବରୁ ୨୦୧୪ ସ୍କିମକୁ ରାଜସ୍ଥାନ, କେରଳ ଓ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ରଦ୍ଦ କରିଥିଲେ । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଏବଂ କେନ୍ଦ୍ର ସରକାର ଏହାକୁ ନେଇ ସୁପ୍ରମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏବେ ସୁପ୍ରିମକୋର୍ଟଙ୍କ ରାୟର ବାସ୍ତବ ରୂପାୟନ ପୂର୍ବରୁ ଏହାର ବିଭିନ୍ନ ଦିଗ ନେଇ ତର୍ଜମା ଆରମ୍ଭ ହୋଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com