ଜୀବନଶୈଳୀ

୨ ଦିନିଆ ଓଡ଼ିଶା ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି

 ଭୁବନେଶ୍ୱର, ୧୧/୧୧/୨୦୨୨ –    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ୨ ଦିନିଆ ଗସ୍ତ ସାରି ଶୁକ୍ରବାର ଫେରିଛନ୍ତି । ରାଷ୍ଟ୍ରପତି ତାଙ୍କର ଦ୍ୱିତୀୟ ଦିନ ଭୁବନେଶ୍ୱର ରହଣି କାଳରେ ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲକୁ ଯାଇ ସେଠାରେ ପୁରାତନ ଛାତ୍ରଛାତ୍ରୀ ଓ ବର୍ତ୍ତମାନର ବିଦ୍ୟାର୍ଥୀଙ୍କ ସହ ଆଲୋଚନା କରି ସ୍କୁଲ ଜୀବନର ଅନୁଭୂତି ବାଣ୍ଟିଥିଲେ । ପିଲାଙ୍କୁ ଭଲ ପାଠ ପଢ଼ିବାକୁ ପରାମର୍ଶ ଦେଇଥିଲେ । ପରେ ନିଜେ ପଢିଥିବା ୟୁନିଟ୍-୨ ସ୍ଥିତ ରାଜଧାନୀ ବାଳିକା ଉଚ୍ଚବିଦ୍ୟାଳରେ ପ୍ରାୟ ୧୦ ମିନିଟ୍ ରହି ପୁରୁଣା ସ୍ମୃତି ସାଉଣ୍ଟିଥିଲେ । ସେ ରହୁଥିବା କୋଠରୀରେ ନିଜ ପୁରୁଣା ଖଟରେ ବସିଥିଲେ । ଏହି ଅବସରରେ ସ୍କୁଲ ସମୟର ସାଙ୍ଗମାନଙ୍କୁ ସାକ୍ଷାତ କରିଥିଲେ ।

ସେହିଭଳି କୁନ୍ତଳା କୁମାରୀ ସାବତ ଆଦିବାସୀ ଗାର୍ଲସ ହଷ୍ଟେଲ ପରିଦର୍ଶନ କରିଥିଲେ । ଏଠାରେ ତାଙ୍କୁ ନିଜର ଏକ ପୁରୁଣା ସ୍ମୃତି ସ୍ୱରୂପ ଫଟୋଚିତ୍ର ଫ୍ରେମରେ ସଜାଇ ପ୍ରଦାନ କରାଯାଇଥିଲା । ଦିଲ୍ଲୀ ଫେରିବା ପୂର୍ବରୁ ଜୟଦେବ ଭବନରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ AICTE ଇଞ୍ଜିନିୟରିଂ ପୁସ୍ତକର ଲୋକାର୍ପଣ କରିଥିଲେ । ଏହାସହ ଓଡ଼ିଆ ଭାଷାରେ ଅନୁବାଦ କରାଯାଇଥିବା ଇଞ୍ଜିନିୟରିଂ ପୁସ୍ତକ ସହ ଇ-କୁମ୍ଭ ପୋର୍ଟାଲ ଲୋକାର୍ପଣ କରିଥିଲେ । କେହି ମାତୃଭାଷାରେ ଶିକ୍ଷା ପାଇଲେ ସେମାନଙ୍କର ଦକ୍ଷତା ଆନୁପାତିକ ହାରରେ ବୃଦ୍ଧି ଘଟିଥାଏ । ଏଣୁ ଜାତୀୟ ଶିକ୍ଷାନୀତିରେ ମାତୃଭାଷାକୁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ୍ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।ବାୟୁସେନାର ସ୍ୱତନ୍ତ୍ର ବିମାନରେ ଫେରିବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ବିମାନ ବନ୍ଦରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ମୁଖ୍ୟଶାସନ ସଚିବ ପ୍ରମୁଖ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com