ଜୀବନଶୈଳୀ

ଭୁବନେଶ୍ୱରରେ ଲାଗୁ ହେବ ”ପେଟ୍ ଆନିମଲ ଗାଇଡଲାଇନ”

 ଭୁବନେଶ୍ୱର, ୧୮/୧୧/୨୦୨୨-   ପଶୁପକ୍ଷୀଙ୍କ ପ୍ରତି ମନରେ ଶ୍ରଦ୍ଧା ଓ ପ୍ରେମ ଥାଇପାରେ । ଏଥିନେଇ ଘରେ ଗୃହପାଳିତ ପଶୁ ମଧ୍ୟ ପୋଷୁଛନ୍ତି । ଭୁବନେଶ୍ୱରରେ ବାସ କରୁଥିଲେ ଘରେ ଆଉ ମନଇଚ୍ଛା ଗୃହ ପାଳିତ ପଶୁଙ୍କୁ ରଖି ପାରିବେନି । ରଖିଲେ ଏହାକୁ ଢଙ୍ଗରେ ପାଳିବାକୁ ପଡିବ । ଏନେଇ ଆଗୁଆ ପଞ୍ଜିକରଣ ସହ ବିଏମସି ଧାର୍ଯ୍ୟ କରିବାକୁ ଥିବା ଗାଇଡଲାଇନକୁ ମାନିବା ବାଧ୍ୟତାମୂଳକ । ଗୃହପାଳିତ ପଶୁ ପାଳନ ନେଇ ବିଏମସି ଏଭଳି ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟୋର ଆଣିବାକୁ ଯାଉଛି । ନିକଟରେ ଇନଫୋସିଟି ଅଞ୍ଚଳରେ ଏକ ପୋଷା କୁକୁର ଜଣଙ୍କୁ ଆକ୍ରମଣ କରି କ୍ଷତାକ୍ତ କରିବାପରେ ତୁମୁଳକାଣ୍ଡ ସୃଷ୍ଟି ହୋଇଥିଲା ।

ଏହାପରେ ବିଏମସି ସତର୍କ ହେବା ସହ ଏଭଳି ନୂଆ ଆଇନ ଆଣିବାକୁ ଯାଉଛି । କେହି ବିଏମସି ପାଖରେ ଆଗୁଆ ପଞ୍ଜୀକରଣ ନକଲେ ଘରେ କୁକୁର ରଖିବାକୁ ଅନୁମତି ମିଳିବନି । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ । ପଞ୍ଜିକରଣ ଛଡା କୁକୁରଙ୍କ ମଳତ୍ୟାଗ, ସେମାନଙ୍କୁ ବାହାରେ ବୁଲାଇବା ପାଇଁ ଆବଶ୍ୟକ ନିୟମ ଧାର୍ଯ୍ୟ କରାଯିବ । କୁକୁରଙ୍କୁ ନିୟମିତ ଟିକାକରଣ ସହ ସେମାନଙ୍କ ଖାଦ୍ୟପେୟ ଓ ସ୍ୱାସ୍ଥ୍ୟଗତ ଦିଗକୁ ମଧ୍ୟ ବିଚାରକୁ ନେଇ ଗାଇଡଲାଇନ୍‌ରେ ବ୍ୟବସ୍ଥା ରହିବ । କେଉଁ କେଉଁ ସର୍ବସାଧାରଣ ସ୍ଥାନକୁ ପୋଷା କୁକୁରଙ୍କୁ ନେଇହେବ ଓ ଏଥିପାଇଁ କ’ଣ ସହୁ ନିୟମ ରହିବ ତାହା ବି ଏସ୍‌ଓପିରେ ରଖାଯିବ ।

ବିଭିନ୍ନ ସହରରେ ପୋଷା କୁକୁର ପାଳନ ନେଇ ରହିଥିବା ଆଇନକୁ ଦୃଷ୍ଟିରେ ରଖି ବିଏମସି ନୂଆ ଆଇନ ତିଆରି ପ୍ରକ୍ରିୟା ଆରମ୍ଭ କରିଛି । ଏହା ଖୁବ ଶୀଘ୍ର ଲାଗୁ ହେବାକୁ ଯାଉଛି । ଅନେକ କ୍ଷେତ୍ରରେ କେହି ବାହାରକୁ ଗଲେ ସାଙ୍ଗରେ ସେମାନଙ୍କ ପୋଷା କୁକୁରକୁ ମଧ୍ୟ ନେଇଥାନ୍ତି । ବହୁ କ୍ଷେତ୍ରରେ ଏହି ପଶୁମାନେ ଅନ୍ୟମାନଙ୍କ ପ୍ରତି ବିପଦର କାରଣ ହୋଇଥିନ୍ତି । ଭୁବନେଶ୍ୱରରେ ଲାଗୁ ହେବାକୁ ଯାଉଥିବା ଏହି ନିୟମକୁ ”ପେଟ୍ ଆନିମଲ୍ ଗାଇଡଲାଇନସ୍” କୁହାଯାଉଛି । ଯିଏ ଏହି ନିୟମକୁ ଉଲ୍ଲଘଂନ କରିବେ ସେମାନଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପକ୍ଷେ ଆନିମଲ ୱେଲଫେୟାର ବୋର୍ଡ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀ ସମେତ ମୁମ୍ବାଇ, ବେଙ୍ଗାଲୁରୁ, ଚଣ୍ଡିଗଡ, କୋଚି ଭଳି ଅନେକ ସହରରେ ଏହି ପେଟ୍ ଆନିମଲ ଗାଇଡଲାଇନସ କାର‌୍ୟ୍ୟକାରୀ ହେଉଛି । ବିଏମ୍‌ସି ଏହିସବୁ ସହରର ପ୍ରଚଳିତ ନିୟମକୁ ସମୀକ୍ଷା କରୁଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com