ଅନ୍ୟାନ୍ୟ

ଥାନାରେ ହାଜିରା ଦେଉ ନ ଥିବା ଜେଲ୍‍ ଫେରନ୍ତାଙ୍କୁ ବାନ୍ଧିବ ପୋଲିସ

ଭୁବନେଶ୍ୱର, ୦୨/୧୨/୨୦୨୨-  ଆଉ ବର୍ତ୍ତି ପାରବେ ନାହିଁ ଥାନାରେ ହାଜିରା ଦେଉ ନ ଥିବା ଜେଲ୍‍ ଫେରନ୍ତା । ଏମାନଙ୍କ ପାଇଁ କଠୋର ହୋଇଛି କମିସନରେଟ୍‍ ପୁଲିସ । ଏହି ଆସାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି । ଠିକଣା ବଦଳାଇ ଯେଉଁଠି ଲୁଚିଲେ ବି ପୁଲିସ ଘରେ ପଶି ଉଠାଇ ଆଣିବ । ଏଥିପାଇଁ ଥାନାର POPD ଟିମ୍‍କୁ ଜେଲ୍‍ ଫେରନ୍ତାଙ୍କ ତାଲିକା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । POPD ଟିମ୍‍ ଏବେ ଫାଇଲ୍‍ ଖୋଜି ଖୋଜି ତାଲିକା ପ୍ରସ୍ତୁତ କରୁଛି। ଏଭଳି ନିର୍ଦ୍ଦେଶ ପାଇବା ପରେ କମିସନରେଟ୍‍ ପୁଲିସର ସମସ୍ତ ଥାନା ଅଧିକାରୀ ସତର୍କ ହୋଇଯାଇଛନ୍ତି ।

ଆସନ୍ତା ସପ୍ତାହରୁ ସେମାନଙ୍କୁ ଉଠାଯିବ ବୋଲି ଜଣାପଡ଼ିଛି । କାରଣ ଯେଉଁମାନେ ଥାନାରେ ହାଜିରା ଦେଉନାହାନ୍ତି ସେମାନେ ବିଭିନ୍ନ ଅପରାଧରେ ଲିପ୍ତ ରହୁ୍‍ଥିବା ପୁଲିସ ସନ୍ଦେହ କରୁଛି। ଯେଉଁଥିପାଇଁ ସେମାନେ ଥାନାରେ ହାଜିରା ଦେଉନାହାନ୍ତି । ବର୍ତ୍ତମାନ ସହରରେ ୪ ହଜାରରୁ ଊର୍ଦ୍ଧ୍ବ ଜେଲ୍‍ ଅପରାଧୀ ଥାନାରେ ହାଜିରା ଦେଉନାହାନ୍ତି । ପୁଲିସ ସେମାନଙ୍କ ଉପରେ ନଜର ରଖି ପାରୁନି। ପୁଲିସ ତା’ର ପୁରୁଣା ଠିକଣାରେ ଖୋଜିଲେ ମଧ୍ୟ ସେଠାରେ ଅନ୍ୟ କେହି ରହୁଥିବା ଦେଖିବାକୁ ପାଉଛନ୍ତି। ଅପରପକ୍ଷେ ସେମାନେ ଅନ୍ୟ ଥାନା ଅଞ୍ଚଳରେ ରହି ଅପରାଧ ଘଟାଉଛନ୍ତି।

ସହରରେ ଗତ କିଛିଦିନ ହେବ ଚେନ୍‍ ଲୁଟ୍‍, ଚୋରି ଆଦି ବଢ଼଼ିବା ପୁଲିସ ପାଇଁ ଚିନ୍ତାର କାରଣ ହୋଇଛି । ତେଣୁ ଡିସିପି ପ୍ରତି ଥାନାରେ ହାଜିରା ଦେଉଥିବା ଅପରାଧୀଙ୍କ ତାଲିକା ମାଗିଛନ୍ତି । ଏପରିକି ସେମାନଙ୍କ ମଧ୍ୟରୁ କେଉଁମାନେ ଥାନାରେ ହାଜିରା ଦେଉନାହାନ୍ତି, ତାହାର ଯାଞ୍ଚ କରିବାକୁ କୁହାଯାଉଛି। ଯେଉଁମାନେ ହାଜିରା ଦେଉନାହାନ୍ତି ସେମାନଙ୍କ ଘରେ ପୁଲିସ ରାତି ଅଧିଆ ଚଢ଼ଉ କରିବା ପାଇଁ କୁହାଯାଇଛି। ଅପରପକ୍ଷେ ଅପରାଧୀ ଜେଲ୍‍ରୁ ଜାମିନ୍‍ ପାଇବା ପୂର୍ବରୁ ବେଲ୍‍ ବଣ୍ଡ୍‍ରେ ଚୁକ୍ତି କରିଥାଏ । ସେ ଜେଲ୍‍ରୁ ବାହାରିବା ପରେ ଆଉ ଅପରାଧ ଘଟାଇବ ନାହିଁ, ଏବଂ ପ୍ରତି ସପ୍ତାହରେ ଥାନାରେ ହାଜିରା ଦେବ। ନିଜର ଠିକଣା ପରିବର୍ତ୍ତନ କଲେ ପୁଲିସକୁ ଅବଗତ କରିବାକୁ ନିର୍ଦ୍ଦେଶ ରହିଛି। ହେଲେ ଅପରାଧୀମାନେ ଜେଲ୍‍ରୁ ବାହାରିବା ପରେ ବେଲ୍‍ ବଣ୍ଡ୍‍କୁ ଉଲ୍ଲଂଘନ କରି ପୁଣି ଅପରାଧ ଦୁନିଆରେ ପାଦ ଦେଉଛନ୍ତି। ତେଣୁ ନିୟମ ଉଲ୍ଲଂଘନ କରୁଥିବା ଅପରାଧୀଙ୍କ ବେଲ୍‍ ବଣ୍ଡ୍‍ ବାତିଲ୍‍ କରିବା ପାଇଁ କୋର୍ଟକୁ ଆବେଦନ କରାଯିବ ।

ଅପରାଧୀଙ୍କ ଉପରେ ଲଗାମ ରଖିବା ପାଇଁ ଥାନାରେ ହାଜିରା ବ୍ୟବସ୍ଥା କରାଯାଇଛି। ଜେଲ୍‍ ଫେରନ୍ତା ଆସାମୀ ପ୍ରତି ସପ୍ତାହରେ ଥାନାକୁ ଯାଇ ହାଜିରା ଦେବେ। ଏହି ସମୟରେ ତଦନ୍ତକାରୀ ଅଫିସର ତାଙ୍କୁ ପଚରାଉଚରା କରିବା ପରେ ରେଜିଷ୍ଟ୍ରେସନ ବୁକ୍‍ରେ ଦସ୍ତଖତ କରାଇ ଛାଡ଼ିଦେବେ। ଏହା ହେବା ଦ୍ୱାରା ଆସାମୀର ଗତିବିଧି ଉପରେ ପୁଲିସ ନଜର ରହିବ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com