କ୍ରୀଡ଼ା

ହକି ବିଶ୍ୱକପ୍‍ ଉଦ୍‍ଘାଟନୀ ଉତ୍ସବ ପାଇଁ ଆଜିଠାରୁ ଟିକେଟ ବିକ୍ରି

ଭୁବନେଶ୍ୱର, ୨୮/୧୨/୨୦୨୨-   ଜାନୁଆରୀ ୧୧ରେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ପୁରୁଷ ହକି ବିଶ୍ଵକପ -୨୦୨୩ର ଉଦଘାଟନୀ ଉତ୍ସବ । ଏଥିପାଇଁ ବୁଧବାର ଠାରୁ ଟିକଟ ବିକ୍ରି କରାଯିବ । ଆଜି ଦିନ ୧୨ଟା ଠାରୁ ଦର୍ଶକମାନେ ଏହି ଟିକଟ କିଣିପାରିବେ । ଟିକଟ ଦାମ୍ ୨୫୦ରୁ ୫୦୦ ଟଙ୍କା ରଖାଯାଇଛି । ଅନଲାଇନ୍‍ ପ୍ଲାଟଫର୍ମ ପେଟିଏମ ଇନସାଇଡରରେ ମଧ୍ୟ ଟିକଟ ଉପଲବ୍ଧ ରହିବ ।

ଲଗାତର ଦ୍ୱିତୀୟ ଥର ନିମନ୍ତେ ଓଡ଼ିଶାରେ ହକି ବିଶ୍ୱକପ୍‍ ଆୟୋଜନ ହେବାକୁ ଯାଉଛି ।  ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଦେଶର ଗୌରବ ଉଦ୍‍ଘାଟନୀ ଉତ୍ସବରେ ଦେଖିବାକୁ ମିଳିବ।ଏହି ଉତ୍ସବରେ ନୃତ୍ୟ, ସଙ୍ଗୀତ, ସଂସ୍କୃତି ଓ ବୈଷୟିକ ଜ୍ଞାନ କୌଶଳର ମିଶ୍ରଣରେ ଏହା ପ୍ରତିଫଳିତ ହେବ । ଓଡ଼ିଆ କଳାକାରଙ୍କ ସମେତ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ସେଲିବ୍ରିଟି ଯୋଗ ଦେବେ । ବଲିଉଡ ତାରକା ରଣବୀର ସିଂହ, ଦିଶା ପଟାନୀ ଯୋଗଦେବେ । କୋରିଆନ୍‍ କେ-ପପ୍‍ ଗ୍ରୁପ ‘ବ୍ଲାକସ୍ୱାନ’ ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିବ । ବ୍ଲାକସ୍ୱାନ ଗ୍ରୁପରେ ଓଡ଼ିଆ ଝିଅ ଶ୍ରୀୟା ଲେଙ୍କାଙ୍କୁ ଦେଖିବାକୁ ମିଳିବ।

ହକି ବିଶ୍ୱକପ୍‍-୨୦୨୩ର ଗୀତ ପ୍ରସ୍ତୁତ କରିଥିବା ବଲିଉଡ୍‍ର ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ, କଣ୍ଠଶିଳ୍ପୀ ନମିତା ମେଲେକା, ବେନି ଦୟାଲ, ଲିସା ମିଶ୍ର, ନୀତି ମୋହନ, ଶ୍ରୀରାମଚନ୍ଦ୍ର, ଅମିତ ମିଶ୍ର, ଅନ୍ତରା ମିଶ୍ର, ନକ୍ସ ଅଜିଜ, ଶଲମାଲି ଖୋଲଗାଡେ ପ୍ରମୁଖ ଯୋଗଦେବେ । ଏହାବ୍ୟତୀତ ଉଦ୍‍ଘାଟନୀ ଉତ୍ସବରେ ଗୁରୁ ଅରୁଣା ମହାନ୍ତି, ଶିଆମକ ଦାଭର ନୃତ୍ୟ ପରିବେଷଣ କରିବେ। ଭାରତୀୟ ଏବଂ ୧୫ଟି ଦେଶରୁ ଆସିଥିବା ବିଦେଶୀ ଅତିଥିମାନେ ଉଦ୍‍ଘାଟନୀ ଉତ୍ସବରେ ହକି ଖେଳର ଉତ୍ସାହକୁ ମିଳିମିଶି ପାଳନ କରିବେ’ ବୋଲି ହକି ଇଣ୍ଡିଆ ସଭାପତି ତଥା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ପ୍ରେସବିବୃତ୍ତି ମାଧ୍ୟମରେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com