ବାଣିଜ୍ୟ

୧୫ ବର୍ଷରୁ ଅଧିକ ୭୪୪୨ଟି ସରକାରୀ ଗାଡ଼ି ସ୍କ୍ରାପ୍‌‌ ହେବ

ଭୁବନେଶ୍ୱର, ୨୬/୦୧/୨୦୨୩ –  ରାଜ୍ୟର ସରକାରୀ ଦପ୍ତରମାନଙ୍କରେ ୨୦ ବର୍ଷରୁ ଉର୍ଦ୍ଧ୍ୱ ପୁରୁଣା ଗାଡ଼ି କେତେ ସଂଖ୍ୟାରେ ରହିଛି ସେ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ସୂଚନା ଦେଇଛି ରାଜ୍ୟ । ରାଜ୍ୟ ସରକାରଙ୍କ ପାଖରେ ୨୦ ବର୍ଷରୁ ଅଧିକ ବୟସର ୫, ୩୨୩ଟି ପୁରୁଣା ଗାଡ଼ି ରହିଛି । ଏଥି ମଧ୍ୟରୁ ୨୬୩ ଟି ପୁରୁଣା ଗାଡ଼ି ଏବେ ବି ବ୍ୟବହାର ହେଉଛି । ତେବେ ନୂଆ ପୁରୁଣା ମିଶାଇ ସମୁଦାୟ ୧୦,୧୪୫ ଗାଡ଼ିକୁ ଏବେ କାର୍ଯ୍ୟରୁ ନିବୃତ୍ତ କରାଯାଇଛି । ପରିବହନ ବିଭାଗ ଏପରି ଏକ ରିପୋର୍ଟ କେନ୍ଦ୍ର ପରିବହନ ମନ୍ତ୍ରଣାଳୟକୁ ପଠାଇଛି ।

କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ଅନୁସାରେ ରାଜ୍ୟରେ ୧୫ ବର୍ଷରୁ ଅଧିକ ୭୪୪୨ଟି ସରକାରୀ ଗାଡ଼ି ସ୍କ୍ରାପ୍‌‌ ହେବ।  ଏପ୍ରିଲ ୧ ତାରିଖରୁ ସରକାରୀ ଗାଡ଼ିର ସ୍କ୍ରାପ୍‌‌ ଆରମ୍ଭ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ସରକାରୀ କାର୍ଯ୍ୟରେ ବ୍ୟବହାର ହେଉଥିବା ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ଅଣ ପଞ୍ଜିକୃତ କରାଯାଇ ସ୍କ୍ରାପ୍‌‌ କରାଯିବ।  ତେବେ ଏ ବାବଦରେ ସ୍କ୍ରାପ୍‌‌ ହେଉଥିବା ଗାଡ଼ି ଉପରେ ସରକାରଙ୍କୁ କେତେ ଟଙ୍କା ମିଳିବ ତାହା ସ୍ପଷ୍ଟ ହୋଇ ନାହିଁ।

ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଦିଆ ଯାଇଥିବା ତାଲିକା ଅନୁସାରେ ରାଜ୍ୟରେ ବିଭିନ୍ନ ବିଭାଗରେ ୧୫ ବର୍ଷରୁ କମ୍‌‌ ୧୧, ୯୫୨ ଗାଡ଼ି ବ୍ୟବହାର ହେଉଥିବା ବେଳେ ୨,୪୮୮ ଗାଡ଼ି ଅଫ୍‌‌ ରୋଡ୍‌‌ ଅଛି । ସେହିପରି ୧୫ରୁ ୨୦ ବର୍ଷ ମଧ୍ୟରେ ୧୮୫ଟି ଗାଡ଼ି ବ୍ୟବହାର ହେଉଛି ଏବଂ ୧୨୪୦ ଗାଡ଼ି ଅଫ୍‌‌ରୋଡ୍‌‌ ଅଛି । ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପାଖରେ ଥିବା ୧୫ ବର୍ଷ ମଧ୍ୟରେ ୮୦ ଗାଡ଼ି ବ୍ୟବହାର ହେଉଛି ଆଉ ୨୦ଟି ଅଫ୍‌‌ ରୋଡ୍‌‌ ଅଛି ।

ପରିବହନ ନିଗମ ପାଖରେ ୧୫ ବର୍ଷ ମଧ୍ୟରେ ୩୮ଟି ଗାଡ଼ି ଅନ୍‌‌ରୋଡ୍‌‌ ଥିବା ବେଳେ ୪ଟି ଗାଡ଼ି ଅଫ୍‌‌ ରୋଡ ଅଛି । ସେହିପରି ସରକାରୀ ଉଦ୍ୟୋଗରେ ୧୫ ବର୍ଷ ମଧ୍ୟରେ ୩, ୬୦୦ ଗାଡ଼ି ଚଳମାନ ଅବସ୍ଥାରେ ରହିଛି ଏବଂ ୭୨୭ଟି ଗାଡ଼ି ଅଚଳ ପଡ଼ିଛି । ଅନୁରୂପ ଭାବରେ ୧୫-୨୦ ବର୍ଷ ମଧ୍ୟରେ ୯୭ଟି ଚାଲୁଛି ଓ ୫୬୦ଟି ଅବ୍ୟବହୃତ ଅଛି।  ୨୦ ବର୍ଷରୁ ଅଧିକ ୮୭ଟି ଗାଡ଼ି ଅନରୋଡ୍‌‌ ଅଛି ଓ ୧୬୪୫ଟି ଗାଡ଼ି ଅଫ୍‌‌ରୋଡ ଅଛି। ଅପରପକ୍ଷେ ସରକାରୀ ସ୍ୱୟଂଶାସିତ ସଂସ୍ଥାଗୁଡିକ ଏବେ ୧୫ ବର୍ଷ ମଧ୍ୟରେ ୬୯୯ଟି ଗାଡ଼ି ବ୍ୟବହାର କରୁଥିବା ବେଳେ ୨୭ଟି ଅଫ୍‌‌ରୋଡ୍‌‌ ହୋଇ ରହିଛି।

୧୫-୨୦ ବର୍ଷ ମଧ୍ୟରେ ୧୮ଟି ଚାଲୁଛି ଓ ୧୯ଟି ଅବ୍ୟବହୃତ ଅଛି । ୨୦ ବର୍ଷରୁ ଅଧିକ ଗାଡ଼ି ମଧ୍ୟରୁ ଅନ୍‌‌ରୋଡ ଏବଂ ଅଫ୍‌‌ରୋଡ୍‌‌ ଗାଡ଼ି ସଂଖ୍ୟା ଯଥାକ୍ରମେ ୨ ଓ ୨ ରହିଛି । ୧୫ ବର୍ଷ ମଧ୍ୟରେ ଥିବା ୩, ୨୬୬ ଗାଡ଼ି, ୧୫-୨୦ ବର୍ଷ ମଧ୍ୟରେ ୧, ୮୧୯ ଏବଂ ୨୦ ବର୍ଷରୁ ଅଧିକ ପୁରୁଣା ୫୦୬୦ ଗାଡ଼ି ଅଫରୋଡ୍‌‌ ହୋଇ ରହିଛି । ୧୫ ବର୍ଷରୁ ଅଧିକ ବାଣିଜ୍ୟିକ ଏବଂ ୨୦ ବର୍ଷରୁ ଅଧିକ ଘରୋଇ ଗାଡ଼ି ଆଉ ରାସ୍ତାରେ ଗଡ଼ିବ ନାହିଁ ଏବଂ ସରକାରୀ ବିଭାଗର ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ପ୍ରଥମେ ସ୍କ୍ରାପ୍‌‌ କରାଯିବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com