ବାଣିଜ୍ୟ

ବିକ୍ରମଦେବ ସ୍ବୟଂଶାସିତ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୦୩/୦୨/୨୦୨୩ –   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କୋରାପୁଟ ଜିଲ୍ଲା ଜୟପୁରର ବିକ୍ରମଦେବ ସ୍ବୟଂଶାସିତ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗ ଦେଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ବିକ୍ରମଦେବ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଗଲା ବୋଲି ଘୋଷଣା କରିଥିଲେ ।

ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ ଛାତ୍ରଛାତ୍ରୀମାନଙ୍କୁ ଏ ଘୋଷଣା ସଂପର୍କରେ ଉଲ୍ଲେଖକରି କହିଥିଲେ ‘ଆପଣମାନେ ଖୁସି ତ?’ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ବିପୁଳ ଉତ୍ସାହ, ଆନନ୍ଦ, ଉଲ୍ଲାସ ଓ କରତାଳି ମଧ୍ୟରେ ସ୍ବାଗତ କରିଥିଲେ । ଏହି ଘୋଷଣା ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିକ୍ରମଦେବ ବିଶ୍ବବିଦ୍ୟାଳୟରେ ଏକ ଅତ୍ୟାଧୁନିକ ଅଡିଟୋରିଅମ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ । ଏ ସଂପର୍କରେ ଅଧିକ ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ  ଭି.କେ. ପାଣ୍ଡିଆନ କହିଥିଲେ ଯେ ଏହି ଅଡିଟୋରିଅମ ୧୦୦୦ ଆସନ ବିଶିଷ୍ଟ ହେବ ଏବଂ ଏଥିପାଇଁ ୮ କୋଟି ଟଙ୍କା ବିନିଯୋଗ କରାଯିବ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଶିକ୍ଷା ଆମ ଭିତରେ ଥିବା ସଂଭାବନାକୁ ବୃଦ୍ଧି କରିଥାଏ । ଆପଣମାନେ ଭଲ ପାଠ ପଢନ୍ତୁ ଏବଂ ସମାଜ ସହିତ ଯୋଡି ହୋଇ ରୁହନ୍ତୁ । ନିଜର ତଥା ନିଜ ପରିବାରର ଏବଂ ସାରା ଓଡିଶାର ସ୍ବପ୍ନ ପୂରଣ କରିବା ପାଇଁ ଉଦ୍ୟମ ଜାରି ରଖନ୍ତୁ ।

ଭିତ୍ତିଭୂମିର ଗୁରୁତ୍ବ ସଂପର୍କରେ ଉଦାହରଣମ ଦେଇ ସେ କହିଲେ ଯେ ଗୋଟିଏ ଗୁରୁପ୍ରିୟା ସେତୁ ଆଜି ସ୍ବାଭିମାନ ଅଞ୍ଚଳରେ ବିକାଶର ନୂଆ ଧାରା ଆଣିପାରିଛି । କୋରାପୁଟ ପାଇଁ ୧୫୯୬ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏଥିରେ ୨୦୭.୮୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବା ବେଳେ ୧୩୭୮.୪୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା । ସେତୁ, ସଡକ, ପାନୀୟ ଜଳ, ଜଳସେଚନ, ବିଦ୍ୟୁତୀକରଣ ଓ ପର୍ଯ୍ୟଟନ ଆଦି ପ୍ରକଳ୍ପ କାମ କରାଯାଇଛି ।

ମିଶନ ଶକ୍ତି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ସେ କହିଥିଲେ । ଯେ ମା ମାନେ ଭଲ କାମ କରି ସାରା ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । ସ୍ବାଧୀନତାର ୭୫ ବର୍ଷ ଅବସରରେ ଜାତୀୟ ପତାକା ପ୍ରସ୍ତୁତ କରି ସେମାନେ ନିଜର ଦକ୍ଷତା ଦେଖାଇଛନ୍ତି ଏବଂ ସେମାନଙ୍କ ଉପରେ ଥିବା ଆମର ବିଶ୍ବାସକୁ ଆହୁରି ମଜବୁତ କରିଛନ୍ତି । ସବୁ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନରେ ପରିଣତ କରିବା ପାଇଁ କାମ ଆରମ୍ଭ ହୋଇଛି ଏବଂ ଏଥିପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯାଉଛି । ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କା ଋଣ ଦିଆଯିବ ବୋଲି ସେ କହିଥିଲେ । ମା ମାନଙ୍କ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯାଉଛି ।

ଏହି ଅବସରରେ ଜିଲ୍ଲାର ୧୨୩୫ ମିଶନ ଶକ୍ତି ଗୋଷ୍ଠୀକୁ ୫୦ କୋଟି ଟଙ୍କାର ସୁଧ ବିହୀନ ଋଣ ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ କୋରାପୁଟ ପର୍ଯ୍ୟଟନ ଉପରେ ଆଧାରିତ ଏକ ସ୍ବତନ୍ତ୍ର ପୋଷ୍ଟାଲ କଭର ଉନ୍ମୋଚିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ  ରଘୁରାମ ପେଡାଲ, କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସଶ୍ମିତା ମେଲ୍ଲେକା ଏବଂ କୋରାପୁଟ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com