ବାଣିଜ୍ୟ

ଖତ ବିକ୍ରିରୁ ୫୨ ଲକ୍ଷ ଟଙ୍କା ରୋଜଗାର କରିଛି BMC

ଭୁବନେଶ୍ୱର, ୨୩/୦୨/୨୦୨୩ –    ଖତ ବିକ୍ରିରୁ ୫୨ ଲକ୍ଷ ଟଙ୍କା ରୋଜଗାର । ଆଉ ଏହାକୁ ଆୟ କରିଛି ଭୁବନେଶ୍ୱର ମହାନଗର ନିଗମ- BMC । ତେବେ ଏହି ଖତ ଗୁଡ଼ିକ ରାଜଧାନୀରୁ ସଂଗ୍ରହ ହେଉଥିବା ଅଳିଆରୁ ପ୍ରସ୍ତୁତ କରାଯାଉଛି । ପରବର୍ତ୍ତୀ ସମୟରେ ‘ମୋ ଖତ’  ଭାବେ ଏହାକୁ ବିକ୍ରି କରାଯାଉଛି । ଭୁବନେଶ୍ୱର ସମେତ ଖୋର୍ଦ୍ଧା, କଟକ, ନୟାଗଡ଼, ଯାଜପୁର ଓ ଢେଙ୍କାନାଳ ଆଦି ଜିଲ୍ଲାର ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକ ‘ମୋ ଖତ’ କ୍ରୟ କରୁଛନ୍ତି ।

BMC ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଗୁଡ଼ିକରେ ଓଦା ଅଳିଆକୁ ଖତରେ ପରିଣତ କରାଯାଉଛି । ଯାହାକୁ ପରବର୍ତ୍ତୀ ସମୟରେ ମୋ ଖତ କାଉଣ୍ଟର ସମେତ ଅନଲାଇନ୍‌‌ରେ ବିକ୍ରି କରାଯାଉଛି । ୨ ବର୍ଷ ମଧ୍ୟରେ ୨୬୦ ମେଟ୍ରିକ ଟନ୍‌‌ ଖତର ବିକ୍ରୟ କରାଯାଇଥିବା ଜଣାପଡ଼ିଛି । ମୋ ଖତରୁ ମିଳୁଥିବା ଲାଭାଂଶକୁ ଏହି କାର୍ଯ୍ୟରେ ନିୟୋଜିତ କିନ୍ନର ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ପ୍ରଦାନ କରାଯାଉଛି।

ବର୍ତ୍ତମାନ ରାଜମହଲ ସ୍ଥିତ ଗୋଟିଏ କିଓସ୍କରେ ଏହି ଖତ ବିକ୍ରୟ ହେଉଥିବା ବେଳେ ଖତର ଅଧିକ ଆଦୃତ ଓ ଗ୍ରହଣୀୟତାକୁ ଦେଖି ଅଧିକ ସଂଖ୍ୟାରେ କିଓସ୍କ ସ୍ଥାପନ କରି ବିକ୍ରିକୁ ତ୍ୱରାନ୍ୱିତ କରିବାକୁ ବିଏମସି ଯୋଜନା ରଖିଛି । ଯଦି କୌଣସି ଲୋକ ୨୫ କିଲୋରୁ ଅଧିକ ଖତ ଆବଶ୍ୟକତା କରୁଛନ୍ତି ତେବେ ସେମାନଙ୍କୁ ହୋମ୍‌‌ ଡେଲିଭରି ମଧ୍ୟ ଦିଆଯାଉଛି । ଏହି ଖତର ମାନ ଓ ଗୁଣବତ୍ତା ଭଲ ରହୁଥିବାରୁ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଫ୍ଲିପକାର୍ଟର୍ ଓ ଅମାଜନ ଭଳି ସଂସ୍ଥା ସହ ଅନୁବନ୍ଧିତ ହୋଇ ଅନ୍‌‌ଲାଇନରେ ‘ମୋ ଖତ’ ଯୋଗାଇ ଦିଆଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com