ଜୀବନଶୈଳୀ

ତିନି ଅନାଥ ଶିଶୁ ପାଇଁ ହେଲା ସମସ୍ତ ସରକାରୀ ବ୍ୟବସ୍ଥା

ଭୁବନେଶ୍ୱର , ୦୭/ ୦୩/ ୨୦୨୩ –   ବାପା ମା’ ଛେଉଣ୍ଡ ତିନି ଅନାଥ ଶିଶୁଙ୍କ ଦୁଃଖ କଥା ଗଣମାଧ୍ୟମରୁ ଜାଣିବାମାତ୍ରେ ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ବଲାଙ୍ଗିର ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ପରାମର୍ଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଟିମ୍, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଲମ୍ବୋଦର ଦୀପ୍ ଓ ସ୍ଥାନୀୟ ପାଟଣାଗଡ ବି.ଡି.ଓ ସୁମନ୍ତ କୁମାର ପ୍ରମୁଖ ମୁଣ୍ଡୋମହୁଲ ପଂଚାୟତର ରାଣୀଦର୍ହ ଗ୍ରାମକୁ ଯାଇ ବାପା-ମା ଛେଉଣ୍ଡ ହୋଇଥିବା ତିନିଜଣ ପିଲାଙ୍କୁ ଭେଟି ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ ନିମନ୍ତେ ସାନ୍ତ୍ୱନା ଦେଇଥିଲେ ।

ସ୍ଥିତିର ଅନୁଧ୍ୟାନରୁ ଜଣାପଡ଼ିଥିଲା ଯେ ଏହି ତିନି ଅନାଥ ପିଲାଙ୍କ ନାମ ହେଲା ପ୍ରକାଶ ମାଉସିଆ (୧୫ ବର୍ଷ), ପ୍ରମିତା ମାଉସିଆ (୧୩ ବର୍ଷ) ଏବଂ କବିତା ମାଉସିଆ (୨୦ ବର୍ଷ) । ଏମାନଙ୍କର ପିତା ସଦାଶିବ ମାଉସିଆଙ୍କର ୨୦୨୧ ମସିହାରେ ଦେହାନ୍ତ ହୋଇଥିଲା । ସଦାଶିବ ଦିନ ମଜୁରୀଆ ଭାବରେ ନିଜର ପରିବାର ପ୍ରତିପୋଷଣ କରୁଥିଲେ । ତାଙ୍କ ଅନ୍ତେ ମା ସେବତୀ ମାଉସୀଆ ଯେନେତେନ ପ୍ରକାରେ ପିଲାମାନଙ୍କର ପ୍ରତି ପୋଷଣ କରୁଥିଲେ । ଗତ ଫେବୃଆରୀ ମାସ ୧୯ ତାରିଖ ଦିନ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ସେବତୀ ପ୍ରାଣ ତ୍ୟାଗ କରିଥିଲେ ।

ଇତି ମଧ୍ୟରେ ପିଲାମାନଙ୍କୁ ଭର୍ଚୁଆଲ୍ ମୋଡରେ ଶିଶୁ ମଙ୍ଗଳ କମିଟିଙ୍କ ନିକଟରେ ହାଜର କରାଯାଇଛି । କମିଟିଙ୍କର ନିର୍ଦ୍ଦେଶକ୍ରମେ ପ୍ରମିତା ଏବଂ ପ୍ରକାଶଙ୍କୁ ମିଶନ୍ ବାତ୍ସଲ୍ୟ ଯୋଜନାରେ ଶିଶୁ ଗୃହରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ସେଠାରେ ସେମାନଙ୍କର ଯତ୍ନ, ସୁରକ୍ଷା ଓ ଶିକ୍ଷାର ସମସ୍ତ ବ୍ୟବସ୍ଥା କରାଯିବ। ପ୍ରକାଶ ଚଳିତ ବର୍ଷ ମନେଇପାଦ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ୍ ପରୀକ୍ଷା ଦେବେ ଏବଂ ପ୍ରମିତା ସେହି ସ୍କୁଲରେ ୮ମ ଶ୍ରେଣୀ ବାର୍ଷିକ ପରୀକ୍ଷା ଦେବେ । ପରୀକ୍ଷା ପରେ ଉଭୟ ଭାଇ ଭଉଣୀ ଶିଶୁ ଗୃହକୁ ଯିବେ । ପରୀକ୍ଷା ପର୍ଯ୍ୟନ୍ତ ପିଲାମାନେ ତାଙ୍କ ବଡବାପା ପୁଅ ଭାଇ-ଭାଉଜଙ୍କ ଅବିଭାବକତ୍ୱରେ ରହିବେ ।

ଏସବୁ ବ୍ୟବସ୍ଥା ବ୍ୟତୀତ ବର୍ତମାନ ସୁଦ୍ଧା ପାଟଣାଗଡ଼ ବି.ଡି.ଓ ପିଲାମାନଙ୍କୁ ଅନ୍ତଦ୍ୟୋୟ ଅନ୍ନପୂର୍ଣ୍ଣା ଯୋଜନାରେ ସାମିଲ କରିଛନ୍ତି । ସେମାନେ ସେଥିରେ ମାସିକ ୩୫ କିଲୋ ଚାଉଳ ପାଇବେ । ଛେଉଣ୍ଡ ପିଲାମାନଙ୍କୁ ‘ଆର୍ଶିବାଦ’ ଯୋଜନାରେ ସାମିଲ୍ କରାଯାଇଛି । ବ୍ୟାଙ୍କ ଆକାଉଣ୍ଟ୍ ଖାତା ମାଧ୍ୟମରେ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।

ବଡଝିଅ କବିତା ପ୍ରାୟ +୨ ପାସ୍ କରି ପାଠ ଛାଡ଼ିଛି । ଓଡ଼ିଶା ଜିବୀକା ମିଶନ୍ କାର୍ଯ୍ୟକ୍ରମରେ ତାଙ୍କୁ ସାମିଲ୍ କରି କୌଶଳ ବିକାଶ ତାଲିମ ସହ ରୋଜଗାରକ୍ଷମ ଓ ଆତ୍ମ ନିର୍ଭରଶୀଳ କରାଯିବ ବୋଲଇ ବି.ଡି.ଓ  କହିଛନ୍ତି । ପରିବାରକୁ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ୍ କରାଯାଇଛି । ମୋଟାମୋଟି ଭାବେ ଏହି ଛେଉଣ୍ଡ ପିଲାମାନଙ୍କର ଯତ୍ନ, ସୁରକ୍ଷା, ଶିକ୍ଷା ଓ ଭବିଷ୍ୟତ ଜିବୀକା ନିର୍ବାହ ଉପାୟ ଆଦି ନିମନ୍ତେ ପ୍ରଶାସନ ତରଫରୁ ସମନ୍ୱିତ ବ୍ୟବସ୍ଥା କରାଯାଉଛି ।

ଦିନେ ଦୁଇଦିନ ମଧ୍ୟରେ ବାପା-ମା ଛେଉଣ୍ଡ ପିଲାମାନଙ୍କ ପାଖରେ ପହଞ୍ଚି ସମସ୍ତ ବ୍ୟବସ୍ଥା କରିଥିବାରୁ ମୁଖ୍ୟ ଶାସନ ସଚିବ ସ୍ଥାନୀୟ ପ୍ରଶାସନକୁ ସାଧୁବାଦ ଦେବାସହ ପିଲାମାନଙ୍କର କଥା ଦୃଷ୍ଟିକୁ ଆଣିଥିବାରୁ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com