ବିଜ୍ଞାନ ଓ ପ୍ରଯୁକ୍ତି

ହୋଲି ପାଇଁ ସଜାଗ କମିଶନରେଟ ପୋଲିସ

ଭୁବନେଶ୍ୱର ୦୭/ ୦୩/ ୨୦୨୩ –   କମିଶନରେଟ ପୁଲିସ ପକ୍ଷରୁ ହୋଲି ପାଇଁ ବିଭିନ୍ନ ପଦକ୍ଷେପ ଘୋଷଣା କରାଯାଇଛି । ଭୁବନେଶ୍ଵରରେ ଉପଦ୍ରବକାରୀଙ୍କ ଉପରେ ନଜର ରଖିବ ସ୍ପେଶାଲ ସ୍କ୍ୱାଡ୍ ଓ ଟିମ୍-୬୦ । ୩୧ଟି ସ୍ଥାନରେ ପିକେଟିଂ କରିବ ପୋଲିସ । ୧୭ଟି ମୋବାଇଲ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ଯେଉଁମାନେ ଦୁର୍ଘଟଣା ଘଟି ମେଡିକାଲ ଆସିବେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଫୋର୍ସ ରହିବେ ।

୪ ଜଣ ADCP ସୁପରଭାଇଜିଂ ଦାୟିତ୍ୱ ଦିଆଯାଇଥିବା ବେଳେ ୭ ACP, ୨୮ IIC, ୫୭ ଜଣ SI,  ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ ବୋଲି କହିଛନ୍ତି ଭୁବନେଶ୍ଵର DCP ପ୍ରତୀକ ସିଂହ ।  ହୋଲି ଉତ୍ସବ ନାଁରେ ନିଶା ଖାଇ ମଉଜ କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେହିପରି ହୋଲି ପାଇଁ ନଦୀ ପଠାରେ ପୋଲିସ ଫୋର୍ସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମୁତୟନ ହେବେ । ଏହା ସହ ୪ଟି ସ୍ଥାନରେ ଷ୍ଟ୍ରାଇକିଂ ଫୋର୍ସ ମୁତୟନ ହେବେ । କୁଆଖାଇ, ଦୟା, ପୁରୀ କେନାଲ, ବିନ୍ଦୁସାଗର, ବାଳକାଟି କେନାଲ, କେଦାରଗୌରୀ, ଗୁଆଝରରେ ପୁଲିସ ନଜର ରଖିବ । ଗୁରୁବାର ୭ରୁ ୩ ଟା ପର୍ଯ୍ୟନ୍ତ ହୋଲି ଖେଳ ହେବ ।  ରାତିରେ ବେଆଇନ ପାର୍ଟି ଓ ରେଭ ପାର୍ଟି ଉପରେ ନଜର ରଖାଯାଇଛି । ଆଇନକୁ ଉଲଘଂନ କଲେ ପୁଲିସ କଡା କାର୍ଯ୍ୟାନୁଷ୍ଠାନ ନେବ ବୋଲି DCP  କହିଛନ୍ତି ।

ସେପଟେ ହୋଲିରେ ସତର୍କତାର ସହ ରଙ୍ଗ ଖେଳିବାକୁ ନେଇ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି କଟକ DCP ପିନାକ ମିଶ୍ର । ହୋଲିରେ ସୁରକ୍ଷାକୁ ନଜରରେ ରଖିବା ଲାଗି ସହରରେ ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ । ରଙ୍ଗ ଖେଳିବା ସମୟରେ ମଦ୍ୟପାନ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଦ୍ରୁତଗତିରେ ଗାଡ଼ି ନ ଚଳାଇବାକୁ ବି ସତର୍କ କରାଇଛନ୍ତି DCP । ରଙ୍ଗ ଖେଳ ପରେ ନଦୀକୁ ଲୋକେ ଗାଧୋଇବାକୁ ନ ଯିବାକୁ ମଧ୍ୟ ଅନୁରୋଧ କରିଛନ୍ତି ।

ହୋଲି ପାଇଁ ମୋଟ ୧୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି । ଜୋନ୍‌ୱାରି ଥିବା ଥାନାଗୁଡ଼ିକରେ ୨୨ PCR ଭ୍ୟାନ୍‌ ଓ ୪୦ ବାଇକ୍ PCR ମୁତୟନ କରାଯାଇଛି । ପୁରା ସହରର ସୁରକ୍ଷା ଦାୟିତ୍ୱରେ ୨ଜଣ ADCP ପାହ୍ୟାର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । କଟକ ସହରକୁ ୬ଟି ସେକ୍ଟର୍‌ରେ ଭାଗ କରାଯାଇଛି । ଜୋନ୍‌ୱାରି ACPମାନେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ । ଗୁରୁତ୍ୱପୂର୍ଣ୍ଣ ଛକ ଅଞ୍ଚଳରେ ଅସ୍ଥାୟୀ ପୋଷ୍ଟ ଖୋଲାଯିବ ।

ରଙ୍ଗ ଖେଳିବା ନେଇ ଯଦି କୌଣସି ବ୍ୟକ୍ତି ଜୋରଜବରଦସ୍ତି କରେ ଓ କୌଣସି ରାସାୟନିକ ରଙ୍ଗ ବ୍ୟବହାର କରେ, ତେବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଡିସିପି ପିନାକ ମିଶ୍ର ।

Related Articles

Back to top button
WP Twitter Auto Publish Powered By : XYZScripts.com