Featuredଓଡ଼ିଶାରାଜନୀତି

ଓଡ଼ିଶାରେ ଗଠନ ହେବ ବିଧାନ ପରିଷଦ !

ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ଆଶା ଉଜ୍ଜୀବିତ ହୋଇଛି । ଗତ ୨୦୧୮ ମସିହା ସେପ୍ଟେମ୍ବର ମାସ ୬ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଏକ ସଂକଳ୍ପ ବିଧାନସଭାରେ ପାରିତ କରାଯାଇ ପରେ ୧୮ ତାରିଖରେ ଉକ୍ତ ସଂକଳ୍ପ ପତ୍ରକୁ ରାଜ୍ୟସଭା, ଲୋକସଭା, ଆଇଟି ସଚିବ ଓ ସଂସଦୀୟ ବ୍ୟାପାର ସଚିବଙ୍କ ନିକଟକୁ ପଠାଯାଇଥିଲା । ତେବେ ଉକ୍ତ ସଂକଳ୍ପ ପତ୍ର ଉପରେ କେନ୍ଦ୍ର ସରକାର ବିଚାରବିମର୍ଶ ଆରମ୍ଭ କରିଥିବା ଜଣାପଡ଼ିଛି ।

ଓଡ଼ିଶାରେ ବିଧାନ ପରିଷଦ ଗଠନ ହେଇ ଗତବର୍ଷ କେନ୍ଦ୍ର-ରାଜ୍ୟ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ବିଧାନ ପରିଷଦ ଗଠନ ପାଇଁ ୨୦୧୮ରେ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଥିବା ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଥିବା ବେଳେ ଏ ବାବଦରେ କୌଣସି ପ୍ରସ୍ତାବ ରାଜ୍ୟ ସରକାର ଦେଇ ନାହାନ୍ତି ବୋଲି କେନ୍ଦ୍ର ସରକାର କହିଥିଲେ ।

ତେବେ ଏହା ମଧ୍ୟରେ ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତିକ୍ରିୟା ଆସିଛି । ରାଜ୍ୟ ସରକାରଙ୍କ ଦ୍ୱାରା ପଠାଯାଇଥିବା ସଂକଳ୍ପ ପତ୍ର କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାପ୍ତ ହୋଇଛି ଓ ଏହା ଉପରେ ବିଚାର ବିମର୍ଶ ଚାଲିଥିବା କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁ ସ୍ୱୀକାର କରିଛନ୍ତି । ଓଡ଼ିଶା, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଆସାମ ବିଧାନସଭାରେ ସଂକଳ୍ପ ପତ୍ର ପାରିତ ହୋଇଛି । ଉକ୍ତ ପ୍ରସ୍ତାବ ସମ୍ବନ୍ଧରେ ରାଜ୍ୟମାନଙ୍କ ସହିତ ପରାମର୍ଶ କରାଯିବା ସହ ପରୀକ୍ଷା ନିରୀକ୍ଷା ଚାଲିଥିବା ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ସଂସଦରେ କହିଛନ୍ତି । ତେବେ କେନ୍ଦ୍ର ମନ୍ତ୍ରୀଙ୍କ ଏହି ସ୍ୱୀକାରୋକ୍ତି ପରେ ଓଡ଼ିଶାରେ ବିଧାନ ପରିଷଦ ଗଠନ ଆଶା ପୁଣି ଥରେ ଉଜ୍ଜୀବିତ ହୋଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ ବହୁ ପୂର୍ବରୁ ପ୍ରକ୍ରିୟା ଚାଲି ଆସିଛି । ଗତ ୨୦୧୫ ଜାନୁଆରୀ ୭ରେ ରାଜ୍ୟ ସରକାର ଏନେଇ ଏକ ଟିମ୍ ଗଠନ କରିଥିଲେ । ରାଜ୍ୟରେ ବିଧାନ ପରିଷଦ ଗଠନ ହେଲେ ଏହାର ସଦସ୍ୟ ସଂଖ୍ୟା ୪୯ ରହିବ ।

Related Articles

Back to top button
WP Twitter Auto Publish Powered By : XYZScripts.com