ଅନ୍ୟାନ୍ୟ

ଗୃହ ବିଭାଗ ପକ୍ଷରୁ ଶ୍ୱେତପତ୍ର ପ୍ରକାଶ

ଭୁବନେଶ୍ୱର, ୨୧/୦୩/୨୦୨୩ –    ରାଜ୍ୟ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ବିଧାନସଭାରେ ଶ୍ୱେତପତ୍ର ପ୍ରକାଶ ପାଇଛି । ଏଥିରେ ମାଓବାଦୀ କାର୍ଯ୍ୟକଳାପ କମିବା ସହିତ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଥିବା ଦର୍ଶାଯାଇଛି । ‘ଅପରେସନ୍‌‌ ଘର୍‌‌ ୱାପ୍‌‌ସି’ କାର୍ଯ୍ୟକ୍ରମ ଜରିଆରେ ୨୦୨୨ରେ ମୁଖ୍ୟସ୍ରୋତକୁ ଫେରିଛନ୍ତି ୩ ହଜାର ମାଓବାଦୀ ।

ସରକାରଙ୍କ ନକ୍ସଲ ନିୟନ୍ତ୍ରଣ ଯୋଜନା ଓ ଅପହଞ୍ଚ ଇଲାକାର ବିକାଶକୁ ଗୁରୁତ୍ୱ ଦିଆଯିବାରୁ ରାଜ୍ୟରେ ନକ୍ସଲ କାର୍ଯ୍ୟକଳାପ  ହ୍ରାସ ପାଇଛି । ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଏବେ ମାଓମୁକ୍ତ । ଏହାସହିତ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଜିଲ୍ଲା ମାଓମୁକ୍ତ ହେଉଥିବା ଶ୍ୱେତପତ୍ରରେ ଉଲ୍ଲେଖ କରାଯାଇଛି ।

ସେହିପରି ସାଇବର ଅପରାଧ ରୋକିବାରେ ଓଡ଼ିଶା ପୁଲିସକୁ ମିଳିଛି ବଡ଼ ସଫଳତା । ଗତବର୍ଷ କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ୱଲପୁର ସାଇବର ଥାନାରେ ଦିଆ ଯାଇଥିବା ୧୮ଟି ମାମଲାରେ ୨୯ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା । ମୋଟ ୨୬ ଲକ୍ଷ ନଗଦ ଟଙ୍କା ଆଦାୟ କରିଥିବା ବେଳେ ଅଭିଯୋଗକାରୀଙ୍କୁ ୧ କୋଟି ୮୩ ଲକ୍ଷ ୬୩ ହଜାର ୮୪୦ ଟଙ୍କା ଫେରସ୍ତ କରିଛି । ଏହାସହିତ ସାଇବର ଅପରାଧ ସହିତ ଜଡ଼ିତ ୧୯୮୩ଟି ମାମଲା  କରାଯାଇଛି । ଯେଉଁଥିରେ ୪୪୧ ଜଣ ଗିରଫ ହେବା ସହ ଅଭିଯୋଗକାରୀଙ୍କୁ ୯୭ ଲକ୍ଷ ୩୦ ହଜାର ୫୮୨ ଟଙ୍କା ଫେରସ୍ତ ମିଳିଛି। ଗତ ବର୍ଷ ୨୨ଟି ମାମଲାରେ ୬୭ ଜଣ ଗିରଫ କରିବା ସହ ସେମାନଙ୍କ କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇଛି।

ନିଶା ଓ ନିଷିଦ୍ଧ ମାଦକ ଦ୍ରବ୍ୟ ଚୋରାଚାଲାଣ ରୋକିବାରେ ମଧ୍ୟ ସରକାରଙ୍କୁ ମିଳିଛି ବଡ଼ ସଫଳତା । ସ୍ୱତନ୍ତ୍ର ଟାସ୍କ୍‌‌ ଫୋର୍ସ ଦ୍ୱାରା ୭୫ଟି ଏନ୍‌‌ଡିପିଏସ୍‌‌ ମାମଲା ଦରଜ ହେବା ସହ ୧୩୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ୧୧୭୨ କ୍ୱିଣ୍ଟାଲ ୮୯ କିଲୋ ୧୫୦ ଗ୍ରାମ୍‌‌ ଗଞ୍ଜେଇ, ୫୦ କିଲୋ ୨୩୭ ଗ୍ରାମ୍‌‌ ବ୍ରାଉନ୍‌‌ସୁଗର ଜବତ ହୋଇଛି । ମୋଟ ୧୮୯୨ଟି ମାମଲା ଦରଜ ହୋଇଥିବାବେଳେ ନିଶାଦ୍ରବ୍ୟ ଚୋରାଚାଲାଣ କରିବା ଅପରାଧରେ ୨୬୦୩ ଜଣ ଗିରଫ ହୋଇଛନ୍ତି । ମୋଟ ୧ ଲକ୍ଷ ୭୮ ହଜାର ୧୯୦ଟି ଧର୍ତ୍ତବ୍ୟ ଅପରାଧରୁ ୧୩୭୯ଟି ହତ୍ୟା, ୬୨୬ଟି ଡକାୟତି,  ୫ ହଜାର ୩୫୨ ଠକେଇ, ୨ ହଜାର ୯୯୮ ଲୁଟ, ୧୪ ହଜାର ୮୯୩ ଚୋରି, ୨ ହଜାର ୨୪୮ ଦଙ୍ଗାଭଳି ସ୍ଥିତି, ୩ ହଜାର ୧୮୪ ଦୁଷ୍କର୍ମ ଓ ୧୧ ହଜାର ୬୬୩ଟି ମୋଟର ଦୁର୍ଘଟଣାଜନିତ ମାମଲା ରୁଜୁ ହୋଇଥିବା ଏହି ଶ୍ୱେତପତ୍ରରେ ଦର୍ଶାଯାଇଛି ।

ଆଜି ବିଧାନସଭାରେ ସ୍ବରାଷ୍ଟ୍ର ବିଭାଗର ଖର୍ଚ୍ଚଦାବି ଆଗତ କରାଯିବ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୭ ହଜାର ୧୦୩ କୋଟି ୧୪ ଲକ୍ଷ ୪୧ ହଜାର ଟଙ୍କାର ଖର୍ଚ୍ଚଦାବି ଆଗତ କରିବେ ଗୃହମନ୍ତ୍ରୀ । ଏଥିପାଇଁ ଆଜି ମୁଲତବି ପ୍ରସ୍ତାବ ଆଲୋଚନା ପାଇଁ ରଖାଯାଇନାହିଁ । ସେହିପରି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଖର୍ଚ୍ଚଦାବି ମଧ୍ୟ ଆଗତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୫୦୭ କୋଟି ୮୧ ଲକ୍ଷ ୧୪ ହଜାର ଟଙ୍କାର ଖର୍ଚ୍ଚଦାବି ଗୃହରେ ଆଗତ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com