Breaking NewsFeaturedଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ଆଉ ଖସି ପାରିବେନି ଅପରାଧୀ, ସହଜରେ ଧରାପକାଇବ ନୂଆ ଟେକ୍ନୋଲୋଜି ‘ନାଫିସ୍‌’

ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ଏଣିକି ଆଉ ଖସି ପାରିବେନି ଅପରାଧୀ । କେଉଁଠି ବି ଅପରାଧ ଘଟାଇଲେ ସହଜରେ ଜାଣିଦେବ ପୁଲିସ୍ । ନିଜକୁ ଲୁଚାଇବାକୁ ଚେଷ୍ଟା କଲେ ମଧ୍ୟ ଧରିନେବ ପୁଲିସ୍ । ଏଭଳି ଏକ ଉପାୟ ଦେଶରେ ପ୍ରଥମ କରି କୋଲକାତାରେ ଆରମ୍ଭ ହୋଇଛି । ଅପରାଧୀ କୋଲକାତାରେ ଅପରାଧ କରି ଦେଶର କୌଣସି ସ୍ଥାନରେ ଲୁଚି ରହିଥିଲେ ବା ବାହାରେ ଅପରାଧ କରି କୋଲକାତାରେ ଲୁଚିଥିଲେ ମଧ୍ୟ ଧରାପଡ଼ିବେ। କୋଲକାତା ପୁଲିସ ଅଧିକାରୀମାନେ ଅପରାଧୀର ଆଙ୍ଗୁଠି ଛାପକୁ ଦେଖି କ୍ଷଣକରେ ଜାଣିପାରିବେ ଅପରାଧୀର ସମସ୍ତ ରେକର୍ଡ।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ଅଧୀନରେ ନ୍ୟାସନାଲ ଅଟୋମେଟିକ ଫିଙ୍ଗର ଆଇଡେଣ୍ଟିଫିକେସନ ସିଷ୍ଟମ ବା ନାଫିସ୍ ଆରମ୍ଭ କରାଯାଇଛି । ଏହି ପଦ୍ଧତି ଅନୁସାରେ କୋଲକାତାର ୯ଟି ବିଭାଗର ମୁଖ୍ୟ କାର୍ଯ୍ୟାଳୟକୁ ଫିଙ୍ଗର ପ୍ରିଣ୍ଟ ସ୍କାନର ଉପକରଣ ଅଣାଯାଉଛି । ପ୍ରତ୍ୟେକ ଥାନା ଅଧିକାରୀଙ୍କୁ କୁହାଯାଇଛି ଯେ କୌଣସି ଅପରାଧୀ ଗିରଫ ହେବା ପରେ ସେମାନେଙ୍କୁ ସକାଳ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ଡିଭିଜନର ମୁଖ୍ୟାଳୟ କାର୍ଯ୍ୟାଳୟକୁ ପଠାଯିବ । ସେଠାରେ ଅପରାଧୀଙ୍କ ଫିଙ୍ଗର ପ୍ରିଣ୍ଟ ସ୍କାନ କରାଯିବା ସହ ଫଟୋ ମଧ୍ୟ ନିଆଯିବ । ଅଭିଯୁକ୍ତର ନାମ, ଠିକଣା, ବିବରଣୀ, ଫଟୋଗ୍ରାଫ ଏବଂ ଫିଙ୍ଗର ପ୍ରିଣ୍ଟ କମ୍ପ୍ୟୁଟର ଫାଇଲରେ ରେକର୍ଡ ହେବ ।

ଏହାପୂର୍ବରୁ ଲାଲବଜାରରେ ଫିଙ୍ଗର ପ୍ରିଣ୍ଟ ଏବଂ ଅପରାଧୀଙ୍କ ବିବରଣୀ ବହୁ ବର୍ଷ ଧରି ରଖାଯାଇଥିଲା । କିନ୍ତୁ ବର୍ତ୍ତମାନଠାରୁ ପ୍ରତ୍ୟେକ ଅପରାଧୀଙ୍କ ବିବରଣୀ ଅନଲାଇନରେ ଜାତୀୟ ପ୍ରକଳ୍ପ “ନାଫିସ’ ମାଧ୍ୟମରେ ଏନସିଆରବିକୁ ପଠାଯିବ । ଫଳରେ ଦେଶରେ ଅପରାଧୀଙ୍କ ଡାଟାବେସ ରହିବ, ଯେଉଁଥିରେ ଆଙ୍ଗୁଠି ଛାପ ପ୍ରକୃତ ରହସ୍ୟ ଖୋଲିବ । ପ୍ରତ୍ୟେକ ଥାନାରେ ମଧ୍ୟ ଅପରାଧୀଙ୍କ ଏହି ଡାଟାବେସ ଉପଲବ୍ଧ ହେବ । କୋଲକାତାରେ କୌଣସି ଅପରାଧୀଙ୍କୁ ଗିରଫ କରାଗଲେ “ନାଫିସ’ ମାଧ୍ୟମରେ କିଛି ସେକେଣ୍ଡ ମଧ୍ୟରେ ସେହି ଅପରାଧୀ ଦେଶର କୌଣସି ସ୍ଥାନରେ ଅପରାଧ କରିଛନ୍ତି କି ନାହିଁ ତାହା ଜଣାପଡ଼ିଯିବ । ଖାଲି ସେତିକି ନୁହେଁ, ପଳାତକ ଅପରାଧୀଙ୍କୁ ଚିହ୍ନଟ କରିବାରେ ମଧ୍ୟ ଆଙ୍ଗୁଠି ଛାପ ତଥା ନାଫିସ୍ ବଡ଼ ଭୂମିକା ଗ୍ରହଣ କରିବ ବୋଲି ପୁଲିସ କହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com