Breaking NewsFeaturedଜାତୀୟରାଜନୀତି

ମାନବିକତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ସରକାର ସମସ୍ତଙ୍କର ବୋଲି ପ୍ରମାଣିତ କଲେ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: କୁହାଯାଏ ରାଜନୀତିରେ ସବୁ ସମ୍ଭବ । ଆଜିର ଶତ୍ରୁ ଆସନ୍ତା କାଲି ମିତ୍ର ହୋଇପାରେ ଆଉ ଆଜିର ମିତ୍ର କେତେବେଳେ ଶତ୍ରୁ ହୋଇଯିବ, ସେସବୁର କିଛି ଠିକଣା ନଥାଏ । ହେଲେ ଏକ ସୁସ୍ଥ ସରକାର ସବୁ ଜନତାଙ୍କ ପାଇଁ ସମାନ ଭାବେ ଆସ୍ଥାଭାଜନ ହେବା ଦରକାର । ସମସ୍ତଙ୍କ ଦୁଃଖସୁଖ ବୁଝିବା ଦରକାର । ଏହାକୁ ବେଶ୍ ଭଲ ଭାବେ ପ୍ରଣାମିତ କରିଛନ୍ତି କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । କଂଗ୍ରେସ ବହୁ ଜନମତ ପାଇଁ କର୍ଣ୍ଣାଟକରେ ସରକାର ଗଠନ କରିବାର କିଛି ଦିନ ମଧ୍ୟରେ ବେଶ୍ ସକ୍ରିୟ ହୋଇପଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ।

ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ତତ୍ପର ହୋଇପଡ଼ିଛନ୍ତି ସିଦ୍ଦରମୈୟା ସରକାର । ଏହିକ୍ରମରେ ପୁଣି ଏକ ବଡ଼ ଘୋଷଣା କରି ସମସ୍ତଙ୍କ ପ୍ରଶଂସା ସାଉଁଟିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । ହତ୍ୟାର ଶିକାର ହାଇଥିବା ବିଜେପି ଯୁବମୋର୍ଚ୍ଚା ନେତା ପ୍ରବୀଣ ନେଟ୍ଟାରୁଙ୍କ ପତ୍ନୀ ନୂତନ କୁମାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି । ତାଙ୍କୁ ବହିସ୍କାର କରାଯିବାର ଦିନକ ପରେ ପୁଣି ନିଯୁକ୍ତି ପ୍ରଦାନ କରାଯିବା ନେଇ ସବୁଠି ସରଗରମ ଆଲୋଚନା ହେଉଛି । ପ୍ରବୀଣ ନେଟ୍ଟାରୁଙ୍କ ପତ୍ନୀ ନୂତନ କୁମାରୀ ଡେପୁଟି କମିସନରଙ୍କ କାର୍ଯ୍ୟାଳୟରେ ଜଣେ କଣ୍ଟ୍ରାକଚୁଆଲ୍ ବା ଚୁକ୍ତିଭିତ୍ତିକ କର୍ମଚାରୀ ଭାବେ କାମ କରୁଥିଲେ । ନୂଆ ସରକାର ଆସିବା ପରେ ନିୟମ ଅନୁଯାୟୀ ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ଚାକିରିରୁ ବାହାର କରାଯାଇଥିଲା । ବର୍ତ୍ତମାନ ଛଟେଇ ହୋଇଥିବା ସମସ୍ତ କର୍ମଚାରୀ ପୂର୍ବ ସରକାର ଥିବା ସମୟରେ ନିଯୁକ୍ତି ପାଇଥିଲେ ।

ଏନେଇ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି ଯେ କେବଳ ପ୍ରବୀଣ ନେଟ୍ଟାରୁଙ୍କ ପତ୍ନୀ ନୁହନ୍ତି ପ୍ରାୟ ୧୫୦ରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଚାକିରିରୁ ବହିସ୍କାର କରାଯାଇଛି । କାରଣ ସେମାନେ ଅସ୍ଥାୟୀ ଭାବେ ଥିଲେ ଏବଂ ନିୟମ ଅନୁଯାୟୀ ନୂଆ ସରକାର ଆସିବା ପରେ ସେମାନଙ୍କ ଚାକିରି ଯାଇଥିଲା । କିନ୍ତୁ ମାନବିକତା ଦୃଷ୍ଟିରୁ ନୂତନ କୁମାରୀଙ୍କ ନିଯୁକ୍ତି ବିଷୟ ନେଇ ସ୍ୱତନ୍ତ୍ର ଭାବେ ବିଚାରକୁ ନିଆଯାଇଥିଲା । ତାଙ୍କୁ ପୁଣି ନିଯୁକ୍ତି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ଏଠାରେ ସ୍ମରଣଯୋଗ୍ୟ ଯେ ୨୦୨୨ ଜୁଲାଇରେ ବିଜେପି ଯୁବମୋର୍ଚ୍ଚା ନେତା ୩୧ ବର୍ଷୀୟ ପ୍ରବୀଣ ନେଟ୍ଟାରୁଙ୍କୁ ହତ୍ୟା କରାଯାଇଥିଲା । ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍‌ଆଇ) ସଦସ୍ୟ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ । ପ୍ରବୀଣଙ୍କ ଦେହାନ୍ତ ପରେ ପତ୍ନୀ ନୂତନ କୁମାରୀଙ୍କୁ ଚୁକ୍ତିଭିତ୍ତିକ କର୍ମଚାରୀ ଭାବେ ଚାକିରି ମିଳିଥିଲା । ରାଜ୍ୟ ବିଜେପି ସଭାପତି ଓ ଦକ୍ଷିଣ କନ୍ନଡ ସାଂସଦ ନଳିନ କୁମାର କାଟିଲଙ୍କ ଅନୁରାଧ କ୍ରମେ ନୂତନଙ୍କୁ ଚାକିରି ମିଳିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com