Breaking NewsFeaturedଓଡ଼ିଶାଶିକ୍ଷା

ମାଲକାନଗିରିର ମେଧାବୀ ଛାତ୍ରୀ କର୍ମାଙ୍କୁ ସହାୟତାର ହାତ ବଢ଼ାଇଲା ପ୍ରଶାସନ

ଦିନ ମଜୁରିଆ ଭାବେ ଖଟୁଥିଲେ ରମାଦେବୀ କଲେଜ ଛାତ୍ରୀ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ସେ ଜଣେ ମେଧାବୀ ଛାତ୍ରୀ । ନିଜର ନିଷ୍ଠା ଓ ସାଧନା ବଳରେ ସେ ଯୁକ୍ତ ଦୁଇ ବାଣିଜ୍ୟରେ ଶୀର୍ଷ ସ୍ଥାନ ହାସଲ୍ କରିଥିଲେ। ମାଲକାନଗିରିର ଏହି ବିଚକ୍ଷଣ ପ୍ରତିଭା ତଥା ରାଜଧାନୀର ରମାଦେବୀ କଲେଜ ଛାତ୍ରୀ କରମା ମୁଦୁଲି ଅର୍ଥ ଅଭାବରୁ ଦିନ ମଜୁରିଆ ଭାବେ ଖଟୁଥିଲେ। କରମାଙ୍କ ଏଭଳି ଦୁର୍ଦ୍ଦିନ ଜୀବନ ନିର୍ବାହ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରସାର ହୋଇଥିଲା । ଆଉ ଏହାର ଦିନକ ପରେ ହେଜିଛି ପ୍ରଶାସନ । ପାଠପଢ଼ା ପାଇଁ ନିହାତି ଜରୁରି ଖର୍ଚ୍ଚ ବାବଦକୁ ତାଙ୍କୁ ଦିଆଯାଇଛି ୩୦ ହଜାର ଟଙ୍କା । ଏହି ଚେକ୍ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ବିଶାଲ ସିଂହ। ମାଲକାନଗିରି ଜିଲ୍ଲା ପ୍ରଶାସନ ତାଙ୍କୁ ସମ୍ମାନିତ କରିବା ପରେ ସାହାଯ୍ୟର ହାତ ବଢାଇବ କହି ଭୁଲିଗଲା ବୋଲି କୋହଭରା କଣ୍ଠରେ ଅଭିଯୋଗ କରିଥିଲେ କରମା ମୁଦୁଲି ।

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡାଘାଟିର ମୁଦୁଲିପଡା ପଞ୍ଚାୟତ ପଡେଇଗୁଡା ଗ୍ରାମର ଦୁଦା ଓ ଶୁକ୍ରୀ ମୁଦୁଲିଙ୍କ ଦ୍ୱିତୀୟ ଝିଅ କରମା । ୨୦୨୨ରେ ୮୨.୬୬ ମାର୍କ ରଖି ସେ ବାଣିଜ୍ୟରେ ଜିଲ୍ଲା ଟପ୍ପର୍ ହୋଇଥିଲେ । ସେତେବେଳେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମହାମହିମ ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ବହୁ ବିଶିଷ୍ଟ ବ୍ୟକ୍ତି କରମାଙ୍କୁ ପ୍ରଶଂସା କରିଥଲେ । ସ୍ୱାଧୀନତା ଦିବସରେ କରମାଙ୍କୁ ୧୦ ହଜାର ଟଙ୍କା ଦେଇ ସମ୍ମାନିତ କରାଯାଇଥିଲା । ସେହିପରି ଅନ୍ୟ ପାଣ୍ଠିରୁ ଯଥାକ୍ରମେ ୧୦ ହଜାର ଓ ୫ ହଜାର ଦିଆଯାଇଥିଲା । ଭୁବନେଶ୍ୱରର ମୟା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ରମାଦେବୀ ମହିଳା ମହାବିଦ୍ୟାଳୟରେ ଆଡମିସନ କରାଯିବା ସହ ମାସିକ ହଜାରେ ଟଙ୍କା ସହାୟତା କରାଯାଉଛି ।

ତେବେ ଏସବୁ କରମାଙ୍କ ପାଠପଢ଼ା ପାଇଁ ନିଅଣ୍ଟ ଥିଲା । ଅନ୍ୟାନ୍ୟ ବହି ଓ କଲେଜ ଫି’ ପାଇଁ ଟଙ୍କା ଅଭାବ ରହିଥିଲା କରମାଙ୍କ ପାଖରେ । କରମାଙ୍କ ବାପା ଜଣେ ଦିନ ମଜୁରିଆ ଭାବେ କାମ କରୁଥିବାରୁ ରାଜଧାନୀର ବଡ କଲେଜରେ ଝିଅକୁ ପାଠ ପଢାଇବାକୁ ସକ୍ଷମ ନୁହନ୍ତି । ଏବେ କଲେଜର ଖରାଛୁଟି ହେବାପରେ କରମା ନିଜ ଘରକୁ ଫେରି ଆସିଛନ୍ତି । ଘରେ ଅର୍ଥ ଅଭାବ ଥିବାରୁ କରମା ଘରଛାଡ଼ି ମାଲକାନଗିରି ସହରରେ ଦିନ ମଜୁରିଆ ଭାବେ କାମ କରୁଥିଲେ । ଡହଡହ ଖରାରେ ନିଜର ସ୍ୱପ୍ନ ପୂରଣ ପାଇଁ ଖଟୁଥିଲେ କରମା । ଖବର ପ୍ରସାରଣ ପରେ ଜିଲ୍ଲି ପ୍ରଶାସନ ତତ୍ପର ହୋଇପଡ଼ିବା ସହ ତୁରନ୍ତ ପଦକ୍ଷେପ ନେଇଛି । ଜିଲ୍ଲାପାଳ ବିଶାଲ ସିଂହ ୩୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଫଳରେ ଗରିବ ମେଧାବୀ ଛାତ୍ରୀ କର୍ମାଙ୍କ ପାଠପଢ଼ା ଆଶା ସଫଳ ଆଡକୁ ଆଗେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com