ଓଡ଼ିଶାରାଜନୀତି

ଓଡ଼ିଶାରେ ଗଣ୍ଡାଗଣ୍ଡା ସୁନା ଖଣି

 ଏହି ଜିଲ୍ଲାମାନଙ୍କରେ ସୁନା ଥିବା ସନ୍ଧାନ, ବିଧାନସଭାରେ ଖଣିମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ବର, ୧୯.୦୨.୨୬: ଓଡ଼ିଶାର ଏକାଧିକ ସ୍ଥାନରେ ସୁନା ଠାବ ହୋଇଛି । ଏହା ଖଣି ଆକାରରେ ଥିବା ସମ୍ଭାବନା ଦେଖା ଦେଇଛି । ରାଜ୍ୟର ୮ଟି ଜିଲ୍ଲାରେ ଏହି ସୁନା ପଥର ରହିଛି । କେବଳ ସେତିକି ନୁହେଁ ଅଳ୍ପ ବହୁତ ହୋଇ ୮ଟି ଜିଲ୍ଲାର ୨୮ଟି ସ୍ଥାନରେ ଏପରି ଖଣି ଥିବା ରାଜ୍ୟ ସରକାର ଜାଣିବାକୁ ପାଇଛନ୍ତି ।

ବିଧାନସଭାରେ ବିଧାୟକ ବିଜୟ ଦଳବେହେରାଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା । ଦେବଗଡ ଜିଲ୍ଲାର ଆଡାସ-ରାମପାଲି ଅଞ୍ଚଳ, କେନ୍ଦୁଝର ଜିଲ୍ଲାର ଗୋପୁର-ଜଳଡ଼ିହି ଅଞ୍ଚଳ ଓ ମୟୂରଭଞ୍ଜ ଜିଲ୍ଲାର ମଦନସାହି-କାଞ୍ଜିଆ ଅଞ୍ଚଳରେ ସୁନାପଥର ଥିବା ସର୍ଭେରୁ ଜଣା ପଡ଼ିଛି ।

ଏଠାରେ ଅଧିକ ଅନୁସନ୍ଧାନ ବା ସର୍ଭେ କାମ ଏବେ ଜାରି ରଖିଛନ୍ତି କେନ୍ଦ୍ର ସରକାର । ସେହିପରି ଓଡିଶା ଖଣି ନିଗମ ବା OMC ଦ୍ବାରା ବିଭିନ୍ନ ପର୍ଯ୍ୟାୟରେ ପ୍ରାରମ୍ଭିକ ଅନୁସନ୍ଧାନ କରାଯାଇ ଏହି ସବୁ ସ୍ଥାନମାନଙ୍କରେ ସୁନା ପଥର ଥିବା ଅନୁମାନ କରାଯାଉଛି । ମନ୍ତ୍ରୀଙ୍କ ସୂଚନା ଅନୁସାରେ
• ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡା, ରୁଆଁସି, ଇଡେଲକୁଚା, ମରେଡ଼ିହି ଓ ସୁଲେଇପାଟ, ବାଦାମ ପାହାଡ ଅଞ୍ଚଳରେ ଏହି ମୂଲ୍ୟବାନ ଧାତୁ ଠାବ ହୋଇଛି ।
• ସୁନ୍ଦରଗଡ ଜିଲ୍ଲାର ଦିଗଝରଣ, ମାଲଡ଼ିହି, ଘୋଗର ଓ ଗିରିଙ୍ଗିକେଳାରେ ଏହା ଠାବ କରାଯାଇଛି ।
• କୋରାପୁଟ ଜିଲ୍ଲାର ରୋଙ୍ଗପନ୍ତ, ଗାରିଆ ଓ ଦଶମନ୍ତପୁର ଅଞ୍ଚଳରେ
• ମାଲକାନଗିରି ଜିଲ୍ଲାର ସୁନାପଦର, କ୍ୟାଙ୍ଗ ,
• ସମ୍ବଲପୁର ଜିଲ୍ଲାର କେନ୍ଦୁଖୁଣ୍ଟି ଓ କୁନ୍ତରବାହଲ
• କେନ୍ଦୁଝର ଜିଲ୍ଲାର ଗାଜିପୁର, ସଲେଇକଣା, ଡିମିରିମୁଣ୍ଡା
• ଅନୁଗୁଳ ଜିଲ୍ଲାର ମାଙ୍କଡଚୁଆଁ, ଟିକିର, ସୋମାକୋଇ, ବୌଦ୍ଧ ଜିଲ୍ଲାର କୁଦଗାଁ, ଜହ୍ନପଙ୍କ,ରାମଗଡ
• ଦେବଗଡ ଜିଲ୍ଲାର ସୁନାକେନି, ନିକିତାମାଲ ଓ ଗାଇଲୋ ଅଞ୍ଚଳରେ ସୁନାପଥର ବିକ୍ଷିପ୍ତ ଭାବରେ ଥିବାର ଅନୁମାନ କରାଯାଉଛି ।

Related Articles

Back to top button