ରାଜ୍ୟରେ ଟିକାକରଣକୁ ପୂରିଲା ବର୍ଷେ
ଭୁବନେଶ୍ବର () ରାଜ୍ୟରେ କରୋନା ଟିକାକରଣକୁ ଆଜି ବର୍ଷେ ପୂରିଛି। ଜାନୁଆରି ୧୫ ସୁଦ୍ଧା ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀ ଅତିକମ୍ରେ ପ୍ରଥମ ଡୋଜ୍ ଟିକା ଦେବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ହେଲେ ଧାର୍ଯ୍ୟ ସମୟ ଭିତରେ ଏହି ଲକ୍ଷ୍ୟ ପୂରଣ ହୋଇପାରି ନାହିଁ। ଆହୁରି ଲକ୍ଷାଧିକ ଲୋକ ନିଜର ପ୍ରଥମ ଡୋଜ୍ ନେଇ ନାହାନ୍ତି। ଫଳରେ ଧାର୍ଯ୍ୟ ଲକ୍ଷ୍ୟକୁ ପୁନର୍ବାର ଚଳିତମାସ ଶେଷକୁ ଘୁଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି। ଗତବର୍ଷ ଜାନୁଆରି ୧୬ତାରିଖରେ ରାଜ୍ୟ ତଥା ଦେଶବ୍ୟାପୀ କରୋନା ଟିକାକରଣର ଶୁଭାରମ୍ଭ ହୋଇଥିଲା। ପ୍ରଥମେ ରାଜ୍ୟ ୩.୦୯ କୋଟି ହିତାଧିକାରୀକୁ ଟିକା ଦେବାକୁ ଲକ୍ଷ୍ୟ ରଖା ଯାଇଥିବା ବେଳେ ପରବର୍ତୀ ସମୟରେ କେନ୍ଦ୍ର ସରକାର ଏଥିରେ ସଂଶୋଧନ କରିଥିଲେ। ଯାହାଫଳରେ ରାଜ୍ୟରେ ସମୁଦାୟ ୩.୨୫ କୋଟି ହିତାଧିକାରୀଙ୍କୁ ଟିକା ଦେବାକୁ ନିଷ୍ପତ୍ତି ହୋଇଥିଲା।
କୋରାନାର ଦ୍ବିତୀୟ ଲହର ଓ ଏହାର ପରବର୍ତୀ ମାସଗୁଡ଼ିକରେ ରାଜ୍ୟରେ ଟିକାକରଣ ବଢ଼ିଥିଲା। ଏ ଦୃଷ୍ଟିରୁ ରାଜ୍ୟ ସରକାର ଗତବର୍ଷ ଡିସେମ୍ବର ଶେଷ ସୁଦ୍ଧା ସବୁ ହିତାଧିକାରୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଥିଲେ। ପରବର୍ତୀ ସମୟରେ ଏଥିରେ ସଂଶୋଧନ କରାଯାଇ ଜାନୁଆରି ୧୫ ସୁଦ୍ଧା ଟାର୍ଗେଟ୍ ହାସଲ ପାଇଁ ନିଷ୍ପତ୍ତି ହୋଇଥିଲା। ଏବେ ସୁଦ୍ଧା ରାଜ୍ୟରେ ୯୨ ପ୍ରତିଶତରୁ ସାମାନ୍ୟ ଅଧିକ ଲୋକ ନିଜର ପ୍ରଥମ ଡୋଜ୍ ନେଇ ସାରିଥିବା ବେଳେ ୭୦ ପ୍ରତିଶତ ଉଭୟ ଡୋଜ୍ ଟିକା ନେଇ ସାରିଲେଣି। ରାଜ୍ୟରେ ଏବେ ସୁଦ୍ଧା ୫. ୪ କୋଟି ଟିକା ଦିଆଗଲାଣି। ରାଜ୍ୟ କରୋନା ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ରାଜ୍ୟରେ ଲୋକମାନଙ୍କୁ ଟିକା ଦେବା ଆମ ପାଇଁ ଆହ୍ବାନ ଥିଲା। ସମସ୍ତଙ୍କ ସହଯୋଗରେ ଆଜି ସମସ୍ତଙ୍କୁ ଟିକା ଦିଆଯିବା ସମ୍ଭବ ହୋଇପାରିଛି। ତଥାପି କିଛି ଲୋକ ନିଜର ପ୍ରଥମ ଡୋଜ୍ ଟିକା ନେଇ ନାହାନ୍ତି। ତେଣୁ ସେମାନଙ୍କ ଟିକାକରଣ ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ଡା.ପାଣିଗ୍ରାହୀ କହିଛନ୍ତି।