କୋଭିଡ ମୃତ୍ୟୁ ସହାୟତା ରାଶି ବିତରଣରେ ବିଫଳ ହୋଇଥିବା ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମ୍କୋର୍ଟ

ନୂଆଦିଲ୍ଲୀ() କୋଭିଡ୍-୧୯ରେ ମୃତ୍ୟୁବରଣ କରିଥିବା ପୀଡିତଙ୍କ ନିକଟ ସମ୍ପର୍କୀୟଙ୍କୁ ସହାୟତା ରାଶି ବିତରଣ କରିବାରେ ଦେଶର ଏକାଧିକ ରାଜ୍ୟ ସରକାର ବିଫଳ ହୋଇଥିବାରୁ ବୁଧବାର ଦିନ ସୁପ୍ରିମକୋର୍ଟ ରାଜ୍ୟ ସରକାରମାନଙ୍କ ଉପରେ ବର୍ଷିଛନ୍ତି। ଏବଂ ଏପରି ଅବହେଳା ପାଇଁ ସେମାନଙ୍କ ବିରୋଧରେ କାହିଁକି ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ସେ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
ଆନ୍ଧ୍ରପ୍ରଦେଶ ଏବଂ ବିହାର ସରକାରଙ୍କ ମୁଖ୍ୟ ସଚିବମାନଙ୍କୁ ବ୍ୟକ୍ତିଗତ ଭାବେ ଶୁଣାଣି କାଳରେ ଅପରାହ୍ନ ୨ଟା ବେଳକୁ ଭର୍ଚୁଆଲ ମୋଡ୍ରେ ଉପସ୍ଥିତ ରହିବାକୁ ଏବଂ କୋଭିଡ୍-୧୯ ଜନିତ ମୃତ୍ୟୁ ପାଇଁ ୫୦,୦୦୦ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କାହିଁକି ସେମାନଙ୍କ ରାଜ୍ୟରେ ଏତେ ମାତ୍ରାରେ କମ୍ ରହିଛି, ତାହାର କାରଣ ଦର୍ଶାଇବାକୁ ଶୀର୍ଷ ଅଦାଲତ କହିଛନ୍ତି ।
ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ ଏମଆର ଶାହା ଏବଂ ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠ କହିଛନ୍ତି ଯେ ରାଜ୍ୟ ଆଇନ ସେବା କର୍ତ୍ତୃପକ୍ଷ କୋଭିଡ୍-୧୯ରେ ନିଜର ନିକଟତର ଏବଂ ପ୍ରିୟମାନଙ୍କୁ ହରାଇଥିବା ପରିବାରମାନଙ୍କ ପାଖରେ ପହଞ୍ଚି ପଞ୍ଜୀକରଣ ଏବଂ ସହାୟତା ରାଶି ବିତରଣକୁ ସୁଗମ କରିବ।
ଶୀର୍ଷ ଅଦାଲତ କହିଛନ୍ତି ଯେ ଏହା ବିହାର ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା କୋଭିଡ୍-୧୯ ମୃତ୍ୟୁ ସଂଖ୍ୟାକୁ ପ୍ରତ୍ୟାଖ୍ୟାନ କରିଛି ଏବଂ କହିଛି ଯେ ଏଗୁଡ଼ିକ ପ୍ରକୃତ ଆକଳନ ନୁହେଁ ବରଂ ସରକାରୀ ଆକଳନ।
ଆମେ ବିଶ୍ୱାସ କରିବାକୁ ପ୍ରସ୍ତୁତ ନାହୁଁ ଯେ କୋଭିଡ କାରଣରୁ ବିହାର ରାଜ୍ୟରେ ମାତ୍ର ୧୨,୦୦୦ ଲୋକ ମୃତ୍ୟୁବରଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିହାର ମୁଖ୍ୟ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ରହି ଖଣ୍ଡପୀଠଙ୍କ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଶୀର୍ଷ ଅଦାଲତ।