ଏନ୍ସିବି ପଞ୍ଝାରେ ‘ପୁଷ୍ପା’ ଫ୍ୟାନ୍: ଉପରେ ଲୁଣ, ତଳେ ଗଞ୍ଜେଇ

ଭୁବନେଶ୍ୱର() ‘ପୁଷ୍ପା’ ଚଳଚ୍ଚିତ୍ରକୁ କିଛିଦିନ ତଳେ ଦେଖିଥିଲେ । ତାକୁ ଅନୁସରଣ କରି ଚୋରାଚାଲାଣ କରୁଥିଲେ । ଉପରେ ଲୁଣବସ୍ତା ରଖି ତଳେ ଗଞ୍ଜେଇ ନେଉଥିଲେ । ଶେଷରେ ଏନ୍ସିବି ପଞ୍ଝାରେ ଧରାପଡ଼ିଲେ ପୁଷ୍ପା ଫ୍ୟାନ୍ । ଗଞ୍ଜେଇ ଚୋରଚାଲାଣ କରିବା ଘଟଣାରେ ପୁଷ୍ପାଙ୍କ ଫ୍ୟାନ୍ ତଥା ଟ୍ରକ ଚାଳକ ମନୋହର ଯାଦବଙ୍କୁ(୨୬) ଗିରଫ ହୋଇଛନ୍ତି ।
ଏନ୍ସିବି ଓଡ଼ିଶା ଶାଖା ଖୋର୍ଦ୍ଧା ଗୋଡ଼ିପଡା ଟୋଲ ପ୍ଲାଜାରୁ ତାଙ୍କୁ ଗିରଫ କରିଛି । ତାଙ୍କ ଠାରୁ ୪୫୯କିଲୋ ଗଞ୍ଜେଇ ଜବତ ହୋଇଛି । ମନୋହରଙ୍କ ଘର ବିହାର ନୱାଡ଼ା ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳରେ । ସେ ଆନ୍ଧ୍ରପ୍ରଦେଶରୁ ଗଞ୍ଜେଇ ଟ୍ରକ୍ରେ ଲଦି ବିହାରକୁ ଚାଲାଣ କରୁଥିବା ଏନ୍ସିବି(ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ପକ୍ଷରୁ ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାରେ ବିପୁଳ ପରିମାଣରେ ଗଞ୍ଜେଇ ଚାଷ ହେଉଛି । ସେଠାରୁ ବିହାରର ଜଣେ ନିଶାମାଫିଆ ଗଞ୍ଜେଇ କିଣିଥିଲେ । ଉକ୍ତ ଗଞ୍ଜେଇକୁ ଲୁଣ ବସ୍ତା ତଳେ ଲୁଚାଇ ନେବାକୁ ଟ୍ରକଚାଳକ ମନୋହର ତାଙ୍କୁ କହିଥିଲେ । ସେ ପୁଷ୍ପା ଫିଲ୍ମ ଦେଖିଛନ୍ତି, ସେଥିରେ ଉପରେ କ୍ଷୀର, ଭିତରେ ଚନ୍ଦନକାଠ ନିଆଯାଉଥିଲା । କେହି ଜାଣିପାରୁନଥିଲେ । ତେଣୁ ଆମେ ଉପରେ ଲୁଣ, ତଳେ ଗଞ୍ଜେଇ ନେଲେ କେହି ଜାଣିପାରିବେ ନାହିଁ ବୋଲି ସେ ନିଶାମାପିଆଙ୍କୁ ବୁଦ୍ଧି ଦେଇଥିଲେ ।
ଟ୍ରକ ଚାଳକ କଥାରେ ରାଜି ହୋଇ ମାଫିଆ ଉକ୍ତ ଟ୍ରକ୍ରେ ଗଞ୍ଜେଇ ଲଦିଥିଲେ । ତା’ ଉପରେ ଲୁଣ ଭର୍ତ୍ତି ବସ୍ତା ଥାକ ମାରିଦେଇଥିଲେ। ସେଥିରେ ଗଞ୍ଜେଇ ଥିବା ଆଦୌ ଜଣାପଡ଼ୁନଥିଲା । ଏହାପରେ ନିଶାମାଫିଆ ଏକ କାର୍ରେ ଟ୍ରକ୍କୁ ଏସ୍କର୍ଟ ଦେଇ ଯାଉଥିଲେ ।
ଏସମ୍ପର୍କରେ ଖବରପାଇ ଏନ୍ସିବି ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ନିକଟସ୍ଥ ଗୋଡିପଡ଼ା ଟୋଲ ପ୍ଲାଜାରେ ଟ୍ରକକୁ ଛକି ରହିଥିଲା।
ଏନ୍ସିବି ଟିମ୍ ମଙ୍ଗଳବାର ସକାଳେ ଟ୍ରକକୁ ଟୋଲ ପ୍ଲାଜାରେ ଅଟକାଇଥିଲା । ଏହାଦେଖି କାରରେ ଥିବା ନିଶାମାଫିଆ ଦୃତଗତିରେ ସେଠାରୁ ଫେରାର୍ ହୋଇଯାଇଥିଲେ । ଏନ୍ସିବି ଉକ୍ତ ଟ୍ରକକୁ ଯାଞ୍ଚ କରିବାବେଳେ ୧୯ଟି ଗଞ୍ଜେଇ ଭର୍ତ୍ତି ବ୍ୟାଗ ବାହାରିଥିଲା । ଟ୍ରକ ଚାଳକକୁ ଅଟକ ରଖି ପଚରାଉଚରା ଚଳାଇଛି । ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି । ଏଥିସହ ଫେରାର୍ ଗଞ୍ଜେଇ ମାଫିଆକୁ ଧରିବାକୁ ଏନ୍ସିବି ଜୋରଦାର୍ ଉଦ୍ୟମ କରୁଛି ।